• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • କୋଟିଆରେ ଆନ୍ଧ୍ରପ୍ରଦେଶ କରାଇଥିବା ନିର୍ବାଚନର ଫଳାଫଳ ଘୋଷଣା ।

  • YSR କଂଗ୍ରେସର ବାଜିମାତ୍‌ ।

କୋଟିଆ: କୋଟିଆରେ ଆନ୍ଧ୍ରପ୍ରଦେଶ କରାଇଥିବା ନିର୍ବାଚନର ଫଳାଫଳ ଘୋଷଣା ହୋଇଛି । ଗଞ୍ଜେଇପଦର ପଞ୍ଚାୟତ ପାଇଁ ହୋଇଥିବା ନିର୍ବାଚନରେ YSR କଂଗ୍ରେସର ପ୍ରାର୍ଥୀ ମାଜି ଆପ୍ପାଲମ୍ମା ବିଜୟୀ ହୋଇଛନ୍ତି । ନିକଟତମ ବାମ ଦଳ ପ୍ରାର୍ଥୀଙ୍କୁ ୪୧ ଖଣ୍ଡ ଭୋଟ୍‌ରେ ମାତ୍ ଦେଇଛି YSR କଂଗ୍ରେସ ।

ସେହିଭଳି ଫଗୁଣ ସିନେରୀ, ଫାଟୁସିନେରୀରେ ବି ଆନ୍ଧ୍ର ନିର୍ବାଚନ କରାଇଥିଲା । ଏସବୁରେ ବି ବାଜି ମାରିଛି YSR କଂଗ୍ରେସର ପ୍ରାର୍ଥୀ । ଓଡ଼ିଶାର ଗଞ୍ଜେଇପଦର, ଫଗୁଣ ସିନେରୀ, ଫାଟୁସିନେରୀ ଗାଁ ଗୁଡ଼ିକର ନାଁ ବଦଳାଇ ଏଠି ଆନ୍ଧ୍ରପ୍ରଦେଶ ଜୋରଜବରଦସ୍ତ ଭାବେ ନିର୍ବାଚନ କରାଇଥିଲା । ଅପ୍ରେଲ ୮ ତାରିଖ ଦିନ ନିର୍ବାଚନ ହୋଇଥିଲା । ଯାହାର ଫଳାଫଳ ଆଜି ବାହାରିଛି ।

ସେପଟେ ଯେତେ ଯାହା କଲେ ବି ନା କୋଟିଆ ମୋହକୁ ଛାଡ଼ିପାରୁଛି ଆନ୍ଧ୍ର, ନା କାଟୁ କରୁଛି ଓଡ଼ିଶା ପ୍ରଶାସନର କଡ଼ା ପଦକ୍ଷେପ । ବେଫିକର ହୋଇ କୋରାପୁଟର ବିବାଦୀୟ କୋଟିଆ ଗ୍ରାମପୁଞ୍ଜରେ ବୁଲୁଛନ୍ତି ଆନ୍ଧ୍ର ଅଧିକାରୀ । ବୃକ୍ଷରୋପଣ ପାଇଁ ମାଗଣା ଚାରା ବଣ୍ଟନ ସହ ଗାଁକୁ ଗାଁ ବୁଲି ଗୃହପାଳିତ ପଶୁଙ୍କ ଚିକିତ୍ସା କରୁଛନ୍ତି । ପାର୍ବତୀପୁରମ ଆଇଟିଡିଏ ପିଓ ଆର୍.କେ. ଉର୍ମନାଥ, ଫାଟୁସେନେରି, ଫଗୁଣସେନେରି, ମାଡକର, ତଳସେମ୍ବି, ଉପରସେମ୍ବି ,ଗଂଜେଇପଦର ଗାଁକୁ ଯାଇ ଚାରା ମଧ୍ୟ ବଣ୍ଟନ କରିଛନ୍ତି ।

ଆନ୍ଧ୍ର ପ୍ରଦେଶ ସହ ଓଡ଼ିଶାର କୋଟିଆରେ ଜଗନ ସରକାର ପଞ୍ଚାୟତ ନିର୍ବାଚନ କରିବାକୁ ଯେଉଁ ପ୍ରକ୍ରିୟା ଆରମ୍ଭ କରିଥିଲେ, ତା’କୁ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ଆଗକୁ ବଢ଼ାଇବାକୁ ଅନୁମତି ଦେଇଥିଲେ । ଏହାପରେ କୋଟିଆରେ ନିର୍ବାଚନ ପାଇଁ ଆନ୍ଧ୍ର ଆରମ୍ଭ କରିଥିଲା ପ୍ରକ୍ରିୟା । ପ୍ରଥମେ ହାଇକୋର୍ଟର ଜଣିକିଆ ବେଞ୍ଚ ପଞ୍ଚାୟତ ନିର୍ବାଚନ ଉପରେ ରୋକ ଲଗାଇଥିଲେ । ହେଲେ ତା ପରଦିନ ଡିଭିଜନ ବେଞ୍ଚ ଉକ୍ତ ନିର୍ଦ୍ଦେଶକୁ ରଦ୍ଦ କରି ପଞ୍ଚାୟତ ନିର୍ବାଚନ କରିବାକୁ ଅନୁମତି ଦେଇଥିଲେ । ପୂରା ରାଜ୍ୟରେ ମଣ୍ଡଳ ପରିଷଦ ଓ ଜିଲ୍ଲା ପରିଷଦ ପାଇଁ ଭୋଟିଂ ହୋଇଥିଲା ।

ସେହିପରି ଓଡ଼ିଶାର କୋଟିଆରେ ମଧ୍ୟ ଭୋଟ ପଡ଼ିବା ପାଇଁ ହାଇକୋର୍ଟଙ୍କ ରାୟ ପରେ ବାଟ ଫିଟିଥିଲା । ତେବେ ଏପ୍ରିଲ ୮ରେ ଭୋଟ ହେବ ବୋଲି ସରକାର କୋର୍ଟ ଅନୁମତି ଦେଇଥିବା ବେଳେ ୧୦ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇଁ ମନା କରିଥିଲେ ।