• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଖୋଲା ଆକାଶ ତଳେ ଗଦା ହୋଇଛି ବହୁ ମୂଲ୍ୟବାନ ଗଛର କାଠ ଗଣ୍ଡି । ମୋଟେଇ ଯେମିତି ଲମ୍ବା ବି ସେମିତି । ବାହାରେ ପଡ଼ିଛି, ଯେତିକି ଏ ଘର ଭିତରେ ରହିଛି ତାଠାରୁ ଢେର୍ ବେଶି । ଏ କାଠ ଗଣ୍ଡି ଏମିତି ସେମିତି ଗଛର ନୁହେଁ ବରଂ ବହୁ ମୂଲ୍ୟ ରକ୍ତଚନ୍ଦନର ଗଣ୍ଡି । ପ୍ରାୟ ୮ ଶହରୁ ୯ ଶହ ମାଟ୍ରିକ ଟନର ରକ୍ତଚନ୍ଦନ ଗଣ୍ଡି ଏମିତି ଅସୁରକ୍ଷିତ ଅବସ୍ଥାରେ ପଡ଼ିଥିବା ବେଳେ ଏହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୪୦୦ କୋଟି ଟଙ୍କା ହେବ ବୋଲି କୁହାଯାଉଛି । ହେଲେ ଦୁର୍ଭାଗ୍ୟ ଏ ମୂଲ୍ୟବାନ ରକ୍ତଚନ୍ଦନ ସୁରକ୍ଷା ପାଇଁ ବନ୍ଧା ହୋଇଛି ଗୋଟିଏ ବାଉଁଶ ଧଡ଼ା ଆଉ ଖଣ୍ଡିଏ ବାଡ଼ି ହାତରେ ଧରି ଜଗିଛନ୍ତି ଜଣିଏ ମାତ୍ର ଘରୋଇ ସିକ୍ୟୁରିଟି ଗାର୍ଡ ।

ମିଳିଥିବା ସୂଚନା ଅନୁସାରେ ୨୦୧୮ ତିତିଲି ବାତ୍ୟାରେ ଗଜପତି ଜିଲ୍ଲା ର ଜଙ୍ଗଲରେ ପ୍ରଚୁର ପରିମାଣର ରକ୍ତଚନ୍ଦ ଗଛ ନଷ୍ଟ ହୋଇଯାଇଥିଲା । ସେବେଠାରୁ ବନ ବିଭାଗ ଏ ମୂଲ୍ୟବାନ ରକ୍ତଚନ୍ଦନକୁ ଓଡିଶା ବନ ଉନ୍ନୟନ ନିଗର ଗୋଦାମ ଘରେ ଏମିତି ଅବସ୍ଥାରେ ପକେଇ ଦେଇଛି । କାଠ ଗଣ୍ଡି ନମ୍ବରିଂ ହୋଇ ପଡ଼ିଛି, ଯେମିତି ତା ଛାଲି ମଧ୍ୟ ଗଦା ହୋଇଛି ସେମିତି । ଏଣେ ଏ ଘଟଣାକୁ ନେଇ ପରିବେଶବିତ କହିଲେଣି ଯଦି ଏ ମୂଲ୍ୟବାନ ରକ୍ତଚନ୍ଦନ ସବୁ ଏମିତି ବାହାରେ ପଡ଼ି ରହେ, ତେବେ ଏହାର ଓଜନ ଏବଂ ଗୁଣାତ୍ମକ ମାନ ନଷ୍ଟହେବାର ଯଥେଷ୍ଟ ଆଶଙ୍କା ରହିଛି ।

ଅଧିକ ପଢ଼ନ୍ତୁ: 'ଆନ୍ଧ୍ର ସିଜ୍‌ କରୁଛି, ଓଡ଼ିଶା ଜଳକା ହୋଇ ଚାହିଁଛି'

ରକ୍ତଚନ୍ଦନ କେତେ ମୂଲ୍ୟବାନ ଆଉ ଏହାର କେତେ ଯେ ଚାହିଦା ତାହା କାହାରିକୁ ଅଛପା ନାହିଁ । ଅଲ୍ଲୁ ଅର୍ଜୁନଙ୍କ 'ପୁଷ୍ପା' ସିନେମା ଆସିବା ପରଠାରୁ ସମାନ ଢଙ୍ଗରେ ରକ୍ତଚନ୍ଦନର ଚୋରାଚାଲାଣ ମାତ୍ରାଧିକ ମାମଲା ସାମ୍ନାକୁ ଆସିଥିଲା । ଏ ରକ୍ତ ଚନ୍ଦନ ମୁଖ୍ୟତଃ ଔଷଧ, କସମେଟିକ୍, ଦାମି ଘର କରଣା ଆଇଟମ ଓ ବାଦ୍ୟ ଯନ୍ତ୍ରରେ ବ୍ୟବହର କରାଯାଇଥାଏ । ଚୀନ୍, ଜାପାନ ଓ ମାଲେସିଆ ଭଳି ଦେଶରେ ଏହାର ଯଥେଷ୍ଟ ଚାହିଦା ରହିଛି । ହେଲେ ଆମର ଏଠି ଏ କଞ୍ଚାମାଲ ଖରା ବର୍ଷା ମାଡରେ ଖତ ଖାଇବାକୁ ବସିଲାଣି... ନା ଅଛି ପାଚେରି ନା ଲାଗିଛି ସିସିଟିଭି...

ଆଜି ପିସିସିଏଫ ଓ ଆରସିସିଏଫ ଘଟଣାସ୍ଥଳ ବୁଲି ଦେଖିଥିଲେ ବି କ୍ୟାମେରା ସାମ୍ନାରେ ମୁହଁ ଖୋଲିବାକୁ ମନା କରିଦେଇଛନ୍ତି । ତେବେ ସ୍ଥାନୀୟ ଡିଏଫଓଙ୍କ କହିବା କଥା ସେଗୁଡିକ ଓଏଫଡିସିକୁ ହସ୍ତାନ୍ତର କରାଯାଇଛି, ବିକ୍ରି ପାଇଁ ପ୍ରକ୍ରିୟା ଚାଲିଛି । ହେଲେ କେବେ ଏ ମୂଲ୍ୟବାନ କାଠ ନିଲାମ ହେବ, କେବେ ବିକ୍ରି ହେବ ତାହା ପ୍ରଶ୍ନ ଘରରେ. । ସରକାରଙ୍କ ନିଦ ଭାଙ୍ଗୁ ଭାଙ୍ଗୁ ରକ୍ତଚନ୍ଦନ ଯଦି ନ ଷ୍ଟ ହୁଏ ତାହାଲେ କୋଟି କୋଟି ଟଙ୍କାର ରାଜସ୍ୱ ଉଇ ଖାଇବା ହିଁ ସାର ହେବ ।