• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ନିଦରେ ଶୋଇଛି ବନବିଭାଗ । ଲୁଟ୍‌ ହେଉଛି ରକ୍ତ ଚନ୍ଦନ କାଠ । ମାଲେମାଲ୍‌ ଆନ୍ଧ୍ର, ଜଳକା ହୋଇ ରହିଛି ଓଡ଼ିଶା । କୁମ୍ଭକର୍ଣ୍ଣ ନିଦରେ ଶୋଇଛି ବନବିଭାଗ, ଆଉ ମନଇଚ୍ଛା ଜଙ୍ଗଲରୁ ରକ୍ତ ଚନ୍ଦନ କାଠ ଲୁଟ୍‌ କରୁଛନ୍ତି କାଠ ମାଫିଆ । ରକ୍ତ ଚନ୍ଦନ କାଠ ଏତେ ମୂଲ୍ୟବାନ ଯେ, ରାତିରାତି ଜଙ୍ଗଲ ସଫା କରିଦେଉଛନ୍ତି କାଠ ମାଫିଆ। ଆଉ କାଠକୁ ଚେନ୍ନାଇ ଦେଇ ବିଦେଶକୁ ରପ୍ତାନୀ କରି ରୋଜଗାର କରୁଛନ୍ତି କୋଟି କୋଟି ଟଙ୍କା ।

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନ ବିଭାଗ ଅଧିନସ୍ଥ ମହେନ୍ଦ୍ରଗିରି ବନାଞ୍ଚଳରେ ରହିଛି ରକ୍ତ ଚନ୍ଦନ ବଣ । ପାରଳା ମହାରାଜାଙ୍କ ତତ୍ତ୍ୱାବଧାନରେ ସୃଷ୍ଟି ହୋଇଥିବା ଏହି ରକ୍ତ ଚନ୍ଦନ ବଣ ଦକ୍ଷିଣ ଏସିଆର ବୃହତ ଅଂଚଳ ବୋଲି କୁହାଯାଏ । ଆଉ ଔଷଧୀୟ ଗୁଣରେ ଭରପୁର ଏହି ଜଙ୍ଗଲ ଉପରେ କିନ୍ତୁ କାଠ ମାଫିଆଙ୍କ ରହିଛି ଲୋଲୁପ ନଜର ।

ସ୍ଥିତି ଏମିତି ହେଲାଣି ଯେ, ଥାନା ଦେଇ ବେଆଇନ କାଠ ବୋଝେଇ ଟ୍ରକ୍‌ ଯାଉଥିବା ପରେ ବି ଏହାର କୌଣସି ଟେର୍‌ ପାଉନି ପୋଲିସ । ହେଲେ ଆନ୍ଧ୍ର ପୋଲିସ ରକ୍ତ ଚନ୍ଦନ କାଠକୁ ଜବତ କରିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରକ୍ତ ଚନ୍ଦନ ଜଙ୍ଗଲରେ ମାଫିଆମାନେ ଏମିତି ଉତ୍ପାତ ହେଲେଣି ଯେ, ଘଂଚ ଜଙ୍ଗଲରୁ ଆଉ ମାତ୍ର କିଛି ଗଛ ଦେଖାଯାଉଛି । ଅଭିଯୋଗ ଆସୁଛି ହେଲେ ବନ ବିଭାଗ ସବୁ ଜାଣିଶୁଣି ଚୁପ୍‌ ବସୁଛି।

 

ଆଉ ଏହାରି ମଧ୍ୟରେ ଆନ୍ଧ୍ରର ଶ୍ରୀକାକୁଲମ୍ ପୁଲିସ ହାତରେ ଧରାପଡିଥିଲେ କିଛି ରକ୍ତ ଚନ୍ଦନ ମାଫିଆ । ୪ ହଜାର ୨ କିଲୋ ଓଜନର ରକ୍ତ ଚନ୍ଦନ କାଠ ବୋଝେଇ ଟ୍ରକକୁ ଆନ୍ଧ୍ରର ଟେକ୍କାଲି ନିକଟରେ ଶ୍ରୀକାକୁଲମ୍ ପୁଲିସ୍ ଧରିବାରେ ସାମ୍ନାକୁ ଆସିଥିଲା କାଠ ଚୋରାଚାଲାଣର ସବୁ ସତ । ଆଇନ ଅନୁସାରେ ବର୍ତ୍ତମାନ ଯେଉଁ ସବୁ ରକ୍ତ ଚନ୍ଦନ କାଠ ଆନ୍ଧ୍ର ପୋଲିସ ସିଜ୍‌ କରିଛି ତାହା ଆନ୍ଧ୍ରରେ ରହିବ ଆଉ ଜଳକା ହୋଇ ଅନାଇଛି ଓଡ଼ିଶା । ଏମିତିକି କୋଟି କୋଟି ଟଙ୍କା ରାଜସ୍ୱ ହରାଇବା ପରେ ବି ଓଡ଼ିଶା ସରକାରଙ୍କ କୌଣସି ପରବା ନାହିଁ।

କାଠ ଚୋରାଚାଲାଣ ଅଭିଯୋଗରେ ୧୧ ଜଣଙ୍କୁ ଆନ୍ଧ୍ର ପୋଲିସ ଗିରଫ କରିଥିବା ବେଳେ ୪ ଜଣ ଏବେ ବି ଫେରାର ଅଛନ୍ତି । ଖାଲି ଏବେ ନୁହେଁ ବରଂ ପୂର୍ବରୁ ୨୦୧୯ ମସିହାରେ ୩ ଜଣ ରକ୍ତ ଚନ୍ଦନ ମାଫିଆଙ୍କୁ ଗିରଫ କରିଥିଲା ପୋଲିସ । ହେଲେ ଓଡ଼ିଶା ପୋଲିସ କିନ୍ତୁ କାଠ ମାଫିଆଙ୍କ ସମ୍ପର୍କରେ ପାଉନି କିଛି ଖବର। ଯାହାକୁ ନେଇ ପ୍ରଶ୍ନ ଉଠିଲାଣି ।

ଆଶ୍ଚର୍ଯ୍ୟକର କଥା ହେଲା, ଜଙ୍ଗଲ ଦସ୍ୟୁମାନେ ସଫା କରିଦେଲେଣି ରକ୍ତ ଚନ୍ଦନ ଜଙ୍ଗଲ । ଆଉ ନାହିରେ ତେଲ ମାରି ଶୋଇଛି ଓଡ଼ିଶା ପୋଲିସ ଓ ବନବିଭାଗ । ଦକ୍ଷିଣ ଓଡ଼ିଶାର ଏହି ଅଂଚଳକୁ ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି, ହେଲେ ସେନେଇ କିଛି ସୁରକ୍ଷା ବ୍ୟବସ୍ଥା ନହେବା କାରଣରୁ ଏବେ ଜଙ୍ଗଲରେ ରାଜ୍‌ କରୁଛନ୍ତି ଜଙ୍ଗଲ ଦସ୍ୟୁ ।

ରିପୋର୍ଟର- ପାରଳାଖେମୁଣ୍ଡିରୁ ଆଦର୍ଶ ଦାସ