• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ଥିତିକୁ ନେଇ ପୁଣି ଚର୍ଚ୍ଚା । ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ରତ୍ନଭଣ୍ଡାରର ମରାମତି ପାଇଁ ଅନୁମତି ଦେବାକୁ ଶ୍ରୀମନ୍ଦିର ପ୍ରଶାସନକୁ ଖୋଦ୍ ଏଏସ୍‌ଆଇର ଚିଠି ପରେ ରତ୍ନଭଣ୍ଡାର ଖୋଲିବା ନେଇ ପୁଣିଥରେ ଆଶା ସଂଚାର ହୋଇଛି । ତେବେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି ପରବର୍ତ୍ତୀ ପରିଚାଳନା କମିଟି ବୈଠକରେ ଏନେଇ ଆଲୋଚନା ହେବ । ହେଲେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ରାଜ୍ୟ ସରକାର ନେବେ ।

ଭଲ ନାହିଁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ସ୍ଥିତି । ରହସ୍ୟମୟ ରତ୍ନଭଣ୍ଡାରର କେଉଁଠି ଛାତରେ ଫାଟ ତ କେଉଁଠି ପାଣି ଗଳୁଛି । ଆଜି ନୁହେଁ ଦୀର୍ଘ ୪ ବର୍ଷ ତଳୁ ଅର୍ଥାତ୍ ୨୦୧୮ ଏପ୍ରିଲ୍ ୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ଉଦ୍ୟମ ପରଠୁ ସ୍ପଷ୍ଟ ହେଲାଣି ଏ କଥା । ହେଲେ ଚାବି ହଜିବା କାରଣରୁ ନା ସେବେ ଭିତର ଭଣ୍ଡାର ଖୋଲାଯାଇ ପାରିଥିଲା, ନା ଆଜି ଯାଏଁ ଏନେଇ କଥା ଆଗକୁ ବଢ଼ିଛି । ୟା ଭିତରେ ସ୍ଥିତି କଣ ଅଛି କାହାକୁ ବି ଜଣାନାହିଁ ।

ତେବେ ଗଲା ୮ ତାରିଖରେ ରତ୍ନଭଣ୍ଡାରର ଅନୁଧ୍ୟାନ ଓ ମରାମତି ପାଇଁ ଅନୁମତି ଦେବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ରାଜ୍ୟ ଆଇନ୍ ବିଭାଗକୁ ଏଏସ୍‌ଆଇ ସୁପରିନ୍ଟେଣ୍ଡେଣ୍ଟଙ୍କ ଚିଠି, ପୂରା ଘଟଣାକୁ ନୂଆ ମୋଡ଼ ଦେଇଛି । ଯେଉଁଥିରେ ଲେଖାଯାଇଛି ଭିତର ଭଣ୍ଡାରର ତିନିଟି ବିମ୍ ସହ ପ୍ଲାଷ୍ଟର ଖରାପ ଅଛି । ତେଣୁ ଶ୍ରୀମନ୍ଦିର ପ୍ରଶାସନ ରତ୍ନ ଭଣ୍ଡାର ଖୋଲିବାକୁ ବ୍ୟବସ୍ଥା ଗ୍ରହଣ କରୁ ।

ସେପଟେ ଭଣ୍ଡାର ଘର ଦାୟିତ୍ୱରେ ଥିବା ଭଣ୍ଡାର ମେକାପ୍ ବି କହିଛନ୍ତି ରତ୍ନଭଣ୍ଡାର ୩ଟି ବିମ୍‌ରେ ଫାଟ ସହ ପାଣି ଗଳୁଛି । ଭିତର ଭଣ୍ଡାରରେ ଦୁର୍ମୁଲ୍ୟ ରତ୍ନ ଅଳଙ୍କାର ଥିବାରୁ ଶ୍ରୀମନ୍ଦିର ଓ ରତ୍ନଭଣ୍ଡାରର ସୁରକ୍ଷା ପାଇଁ ଭଣ୍ଡାର ଖୋଲାଯାଉ । ହେଲେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକଙ୍କ କହିବା କଥା ଏଏସ୍‌ଆଇର ଚିଠି ଉପରେ ଆଗାମୀ ପରିଚାଳନା କମିଟି ବୈଠକରେ ଆଲୋଚନା ହେବ । କିନ୍ତୁ ରତ୍ନଭଣ୍ଡାର ଖୋଲିବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ରାଜ୍ୟ ସରକାର ନେବେ ।

ହେଲେ ଏଠି ପ୍ରଶ୍ନ ଉଠୁଛି ରତ୍ନଭଣ୍ଡାର ଚାବି ହଜିବା ପରେ ଯେଉଁ ଡୁପ୍ଲିକେଟ୍ ଚାବି ମିଳିଥିବା କଥା କୁହାଯାଉଥିଲା, ସେ ଚାବିରେ ଭଣ୍ଡାର ଖୋଲିବ ତ ?

ଗତ ମାସରେ ଓଟିଭିକୁ ଏକ୍ସକ୍ଲୁସିଭ୍ ଇଣ୍ଟରଭ୍ୟୁ ଦେଇ ରତ୍ନଭଣ୍ଡାର ସ୍ଥିତି ଅତ୍ୟନ୍ତ ଶୋଚନୀୟ ଥିବାରୁ ଗଜପତି ମହାରାଜା ଦିବ୍ୟସିଂହ ଦେବ ବି କ୍ଷୋଭ ପ୍ରକାଶ କରିବା ସହ ଶୀଘ୍ର ମରାମତି ଓ ଅଳଙ୍କାର ଗଣତି ପାଇଁ କରିଥିଲେ ଅପିଲ୍ । ଆଉ ଏବେ ଏଏସ୍‌ଆଇର ଚିଠିକୁ ନେଇ ପୁଣି ରାଜନୀତି ତେଜିଥିଲା ବେଳେ ଆଇନ୍‌ମନ୍ତ୍ରୀ ଜଗନ୍ନାଥ ସାରକା କିନ୍ତୁ କହିଛନ୍ତି ଏଏସ୍‌ଆଇ ଚିଠି ସଂପର୍କରେ ତାଙ୍କ ପାଖରେ ଖବର ନାହିଁ ।

 

ଶ୍ରୀମନ୍ଦିର ରେକର୍ଡ ଅଫ୍ ରାଇଟସ୍ ମୁତାବକ ପ୍ରତି ତିନିବର୍ଷରେ ରତ୍ନଭଣ୍ଡାର ଖୋଲିବା ନିୟମ ରହିଛି । ହେଲେ ଆଜିକୁ ପ୍ରାୟ ୩୭ ବର୍ଷ ହେବ ଏହା ଖୋଲାଯାଇ ନାହିଁ । ତେବେ ଆସନ୍ତା ପରିଚାଳନା କମିଟି ବୈଠକରେ ଏନେଇ କଣ ନିଷ୍ପତ୍ତି ହେଉଛି, ରାଜ୍ୟ ସରକାର ଓ ଆଇନ ବିଭାଗ ଏହା ଉପରେ କି ପଦକ୍ଷେପ ନେଉଛନ୍ତି । ଏବେ ତା ଉପରେ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ନଜର ।