• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ହାଇକୋର୍ଟରେ ରତ୍ନଭଣ୍ଡାର ଖୋଲା ଓ ଗଣତି ଆବେଦନ ମାମଲା । ୪ ସପ୍ତାହ ମଧ୍ୟରେ କମିଟି ଅଧ୍ୟକ୍ଷ ନିଯୁକ୍ତି କରିବେ ସରକାର । ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ଅଧ୍ୟକ୍ଷ ନିଯୁକ୍ତ କରାଯିବ । ଆସନ୍ତା ୪ ସପ୍ତାହରେ ନିଯୁକ୍ତି ନେଇ ହାଇକୋର୍ଟଙ୍କୁ ଜଣାଇଛନ୍ତି ସରକାର ।

୪ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଅନ୍ୟପଟେ ଏପ୍ରିଲ ୩୦ ସୁଦ୍ଧା ଶ୍ରୀମନ୍ଦିର ନାଟମଣ୍ଡପ ଓ ଜଗମୋହନ ମରାମତି ସରିବ । ଏନେଇ ହାଇକୋର୍ଟଙ୍କୁ ଜଣାଇଥିଲେ ଆମିକସ୍ କ୍ୟୁରି ଏନ୍. କେ. ମହାନ୍ତି । ମୌଖିକ ଭାବେ ସେ ଏହି କଥା ଜଣାଇଥିଲେ । ମରାମତି ପାଇଁ ଗତ ଜାନୁଆରୀ ୧୦ ତାରିଖରେ ବିମ୍ ଡିଜାଇନ୍ ଚୂଡ଼ାନ୍ତ ହୋଇଥିଲା ।

ସେପଟେ ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ASI କାହିଁକି ଚୁପ ରହିଛି ବୋଲି ପ୍ରଶ୍ନ ଉଠୁଛି । ୫ ବର୍ଷ ତଳେ ୪ ଏପ୍ରିଲ ୨୦୧୮ରେ ASI ଏକ ରିପୋର୍ଟରେ ସ୍ପଷ୍ଟ ଲେଖିଥିଲା ଯେ, ମହାପ୍ରଭୁ ଜଗନ୍ନାଥଙ୍କ ଭିତର ରତ୍ନଭଣ୍ଡାରର ମରାମତି ଅତ୍ୟନ୍ତ ଜରୁରୀ l କିନ୍ତୁ ଆଜି ୨୦୨୩ ବର୍ଷ ସରି ୨୦୨୪ ଚାଲିଲାଣି, ତଥାପି ଭିତର ରତ୍ନ ଭଣ୍ଡାରର ମରାମତି କାହିଁକି ହୋଇପାରୁନି ? କେଉଁଠି ଅଟକିଛି କଥା ?

ଅନ୍ୟପଟେ ଶ୍ରୀମନ୍ଦିର ପରିଚାଳନା କମିଟି ମଧ୍ୟ ଭିତର ରତ୍ନ ଭଣ୍ଡାରର ମରାମତି ଲାଗି କାହିଁକି ଗୁରୁତ୍ୱ ଦେଉନି ? ଜଗନ୍ନାଥ ମନ୍ଦିର ହେରିଟେଜ୍ କରିଡରକୁ ଯେଉଁଭଳି ଗୁରୁତ୍ୱ ଦେଇ କାର୍ଯ୍ୟ ତ୍ୱରାନ୍ୱିତ କରାଯାଉଛି, ସେହିପରି ଶ୍ରୀମନ୍ଦିରର ଭିତର ଭଣ୍ଡାରର ମରାମତି ଦିଗରେ ଆବଶ୍ୟକ ପଦକ୍ଷେପ କାହିଁକି ନେଉନାହାନ୍ତି ରାଜ୍ୟ ସରକାର ? ରାଜନୀତି, ନା ମନୋବୃତ୍ତି, ନା କୌଣସି ଅଜ୍ଞାତ ଭୟ ଭିତରେ ଫସିଯାଇନି ତ ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର !

ସୂଚନା ଥାଉ କି, ଜଗନ୍ନାଥ ମନ୍ଦିରର ଜଗମୋହନର ସ୍ଥିତି ଏବଂ ମରାମତି ପ୍ରସଙ୍ଗରେ ଅଭିଷେକ ଦାସ ନାମକ ଜଣେ ବ୍ୟକ୍ତି ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା (PIL) ରୁଜୁ କରିଥିଲେ l ଏଥିରେ ସେ ASIକୁ ବି ଏକ ପକ୍ଷ କରିଥିଲେ l ୨୦୧୮ରେ ଏହାର ଶୁଣାଣି ସମୟରେ ଖୋଦ୍ ASI ହିଁ ହାଇକୋର୍ଟଙ୍କୁ ଅପିଲ୍ କରିଥିଲା ଯେ, ଯେହେତୁ ରତ୍ନ ଭଣ୍ଡାର ମଧ୍ୟ ଜଗମୋହନର ହିଁ ଅଂଶ ବିଶେଷ, ଏଣୁ ଜଗମୋହନ ସହ ରତ୍ନ ଭଣ୍ଡାରର ବି ଯାଞ୍ଚ କରାଯିବା ଉଚିତ୍ l ASIର ଏହି ଅପିଲକୁ ଗୁରୁତ୍ୱ ଦେଇ ହାଇକୋର୍ଟ ରତ୍ନ ଭଣ୍ଡାର ଖୋଲିବା ଏବଂ ଏହାର ସ୍ଥିତି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ l