• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆସୁଛନ୍ତି ରାଷ୍ଟ୍ରପତି, ସଜେଇ ହେଉଛି ରାଇରଙ୍ଗପୁର । ଦେଶର ପ୍ରଥମ ନାଗରିକଙ୍କୁ ନିଜ ମାଟିରେ ଦେଖିବାକୁ ନିଜ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ । ରାଷ୍ଟ୍ରପତି ହେବା ପରେ ଏହା ଦ୍ରୌପଦୀ ମୁର୍ମୁଙ୍କ ଜନ୍ମମାଟିକୁ ପ୍ରଥମ ଗସ୍ତ । ତିନି ଦିନିଆ ଗସ୍ତରେ ରାଷ୍ଟ୍ରପତି ନିଜେ ପ୍ରତିଷ୍ଠା କରିଥିବା ସ୍କୁଲକୁ ଯିବେ । ଆଦିବାସୀ ରୀତିନୀତିରେ ପୂଜା କରିବେ, ବନ୍ଧୁବାନ୍ଧବଙ୍କୁ ଭେଟିବେ । ଶିମିଳିପାଳ ଅଭୟାରଣ୍ୟ ବୁଲି ଦେଖିବା ସହ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି।

ରାତି ପାହିଲେ ପାଦ ପଡିବ ରାଷ୍ଟ୍ରପତିଙ୍କର । ରାଷ୍ଟ୍ରମୁଖ୍ୟ ହେବା ପରେ ପ୍ରଥମ ଥର ଜନ୍ମମାଟିକୁ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗାଁ ବୋହୂର ଆସିବା ବାଟକୁ ଅନାଇ ବସିଛି ରାଇରଙ୍ଗପୁରର ପାହାଡ଼ପୁର । ଗାଁରେ ଖୁସି କାହିଁରେ କ’ଣ । ରାଷ୍ଟ୍ରପତି ବାଦାମପାହାଡ ହେଲିପ୍ୟାଡରେ ସକାଳ ପ୍ରାୟ ୧୦ଟା ୧୫ରେ ପହଞ୍ଚାଇବା ପରେ ସିଧା ଆସିବେ ନିଜେ ପ୍ରତିଷ୍ଠା କରିଥିବା ଶ୍ୟାମ-ଲିପୁନ-ସିପୁନ ବା SLS ସ୍କୁଲକୁ । ସ୍ୱାମୀ ଶ୍ୟାମ ଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଆଦିବାସୀ ପରମ୍ପରା ଅନୁଯାୟୀ ପୂଜା କରିବେ ରାଷ୍ଟ୍ରପତି ।

ସେଥିପାଇଁ ପ୍ରସ୍ତୁତ ରଖାଯାଇଛି ହାଣ୍ଡିଆ ଓ ଅନ୍ୟାନ୍ୟ ପୂଜା ସାମଗ୍ରୀ । ରାଷ୍ଟ୍ରପତିଙ୍କ ପାଇଁ ବିଭିନ୍ନ ପ୍ରକାରର ଫଳ ବି ରହିଛି । ସ୍କୁଲରେ ୧୨୦ ଜଣ ବନ୍ଧୁବାନ୍ଧବ ଓ ସମ୍ପର୍କୀୟଙ୍କୁ ଭେଟିବା ସହ ଶହେରୁ ଅଧିକ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ । ସ୍କୁଲ ପକ୍ଷରୁ ରାଷ୍ଟ୍ରପତିଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଛି । ଯେଉଁଥିରେ ରହିଛି ମାଡାମ ପ୍ରେସିଡେଣ୍ଟଙ୍କ ପ୍ରିୟ ଖାଦ୍ୟ ଭାତ, ଡାଲି, ଖଟା ଓ ବଢ଼ିଚୁରା ।

ରାଷ୍ଟ୍ରପତିଙ୍କ ପାଇଁ ପ୍ରସ୍ତୁତ ରହିଛି ପାହାଡପୁରର ପୂଜାସ୍ଥଳ ଗୋଷାଣୀ । ଏଠାରେ ଆଦିବାସୀ ରୀତିନୀତିରେ ପୂଜା କରିବେ ରାଷ୍ଟ୍ରପତି । ପୂର୍ବରୁ ଝାଡ଼ଖଣ୍ଡ ରାଜ୍ୟପାଳ ଥିବା ସମୟରେ ସେ ଗୋଷାଣୀକୁ ଆସି ପୂଜା କରିଥିଲେ । ହେଲେ ରାଷ୍ଟ୍ରପତି ହେବାପରେ ଏହା ତାଙ୍କର ପ୍ରଥମ ଗସ୍ତ । ଦିନ ପ୍ରାୟ ଗୋଟାଏରେ ପାହାଡପୁରରୁ ଗାଡ଼ିରେ ସିଧାସଳଖ ସାତପୁଟିଆକୁ ଯିବେ ରାଷ୍ଟ୍ରପତି । ସେଠାରେ ବ୍ରହ୍ମ କୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ନିଶାମୁକ୍ତ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେବେ ଦ୍ରୌପଦୀ ମୁର୍ମୁ ।

ଆସନ୍ତାକାଲି ସେ ମହୁଲଡିହାସ୍ଥିତ PWD ବଂଗଳାରେ ରାତ୍ରିଯାପନ କରିବେ । ପରଦିନ ଅର୍ଥାତ୍ ମେ’ ୫ ତାରିଖରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମବାର୍ଷିକୀ ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ହେଲିକପ୍ଟରରେ ସିଧା ଯିବେ ଶିମିଳିପାଳ ଅଭୟାରଣ୍ୟ । ସ୍ୱତନ୍ତ୍ର ଗାଡ଼ିରେ ରାଷ୍ଟ୍ରପତି ଶିମିଳିପାଳ ଅଭୟାରଣ୍ୟର
ବରେହିପାଣି ଓ ଚହଲା ବୁଲିବା କାର୍ଯ୍ୟକ୍ରମ ରହିଛି ।

ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାକୁ ସଜେଇ ହୋଇଛି ବାରିପଦାର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ । ରଙ୍ଗ ବେରଙ୍ଗର ଫୁଲ ଗଛ ସାଙ୍ଗକୁ ରଙ୍ଗୀନ ଆଲୋକମାଳାରେ ଝଲସୁଛି ୟୁନିଭରସିଟି । ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ସହ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ସୁରକ୍ଷାରେ ନିୟୋଜିତ ହୋଇଛନ୍ତି ୫୦ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ୪୦୦ରୁ ଅଧିକ ଅଫିସର । ଏଡିଜି ଦେବଦତ୍ତ ସିଂ, ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ଓ ତିନିଜଣ ଏସପି ବି ସୁରକ୍ଷା ଦାୟିତ୍ୱରେ ରହିବେ। ତ୍ରିସ୍ତରୀୟ ସୁରକ୍ଷା ବଳୟରେ ଏସପିଜି କମାଣ୍ଡୋ ମୁତୟନ ରହିବେ ।

ରାଷ୍ଟ୍ରପତିଙ୍କ କାରକେଡ୍ ଯିବାବେଳେ ପୁରା ପାହାଡ଼ପୁର- ସାତପୁଟିଆ ରାସ୍ତାକୁ କର୍ଡନ କରାଯିବ । ଏହାରି ଭିତରେ ଆଜି ପ୍ରବଳ ବର୍ଷା ସତ୍ତ୍ୱେ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କଲିକତାରୁ ଫୁଲ ଅଣାଯାଇଛି ଓ ଆଦିବାସୀଙ୍କ ପାରମ୍ପରିକ ବାଦ୍ୟ ଯନ୍ତ୍ର ପ୍ରସ୍ତୁତ କରାଯାଇଛି। ରାଷ୍ଟ୍ରପତିଙ୍କ ତିନି ଦିନିଆ କାର୍ଯକ୍ରମ ଥିବାରୁ ତାଙ୍କୁ ପାଖରୁ ପାଇବାର ସୁଯୋଗକୁ ହାତଛଡ଼ା ନ କରିବାକୁ ଚାହିଁ ବସିଛନ୍ତି ପୁରା ମୟୂରଭଂଜବାସୀ ।