• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପଶ୍ଚିମା ଝଡ଼ ପ୍ରଭାବରେ ଆସିଥିବା ଅଦିନିଆ ବର୍ଷା ଧୋଇନେଲା ଚାଷୀର ସମ୍ପତ୍ତି । ଗତକାଲି ଭଳି ଆଜି ବି ରାଜ୍ୟର ବିଭିନ୍ନ ଅଞ୍ଚଳରେ ପରିବା ଚାଷୀଙ୍କ ଉପରେ ଦାଉ ସାଧିଛି ଲଗାଣ ଝଡ଼-ବର୍ଷା । ଆଜି ରାୟଗଡ଼ା, କଳାହାଣ୍ଡି ଓ ଭଦ୍ରକ ଜିଲ୍ଲାର ବ୍ୟାପକ ଅଞ୍ଚଳରେ ହୋଇଥିବା ଭଳି ଭଳି ପରିବା କ୍ଷେତର ଉଜୁଡ଼ା ଚିତ୍ର ସାମ୍ନାକୁ ଆସିଛି । ଏପଟେ ଆଜି ରାଜଧାନୀ ସମେତ ରାଜ୍ୟର ଆଉ କିଛି ଅଞ୍ଚଳରେ ଭଲ ବର୍ଷା ସହ କୁଆପଥର ମାଡ଼ ହୋଇଥିବା ଦେଖିବାକୁ ମିଳିଛି ।

ରାୟଗଡ଼ାର କାଶୀପୁର, କଳାହାଣ୍ଡିର କୋକସରା ଆଉ ଭଦ୍ରକର ବାସୁଦେବପୁର । ପଶ୍ଚିମା ଝଡ଼ ପ୍ରଭାବରେ ହଠାତ ଝଡ-ବର୍ଷା ପରେ ସବୁଠି ପୂରନ୍ତା କ୍ଷେତର ଉଜୁଡ଼ା ସ୍ଥିତି ଉପଜିଛି । ରାୟଗଡ଼ା ଜିଲ୍ଲାରେ ୨-୩ ଦିନ ଧରି ପବନ, ବର୍ଷା ଓ କୁଆପଥର ମାଡ଼ରେ ଭାଙ୍ଗିଯାଇଛି ଚାଷୀର ଅଣ୍ଟା। ଇଏ ଜିଲ୍ଲାର କାଶୀପୁର ଅଞ୍ଚଳର ଦୃଶ୍ୟ । ଅଞ୍ଚଳର ବହୁ ଚାଷୀ ଋଣ ଓ ଧାର ଉଧାର କରି ଜମିରେ ସୁନା ଫଳାଇବାକୁ ଯାଉଥିଲେ । ହେଲେ ଏ ଅଦିନିଆ ବର୍ଷାରେ ସବୁକିଛି ଛିନଛତ୍ର ।

ଏକର ଏକର ଜମିରେ ହୋଇଥିବା ମକା, ଟମାଟୋ, ଧନିଆପତ୍ର ଭଳି ଫସଲ ଏବେ ମାଟିରେ ଲୋଟୁଛି । ସେହିଭଳି ବର୍ଷା ଓ ମେଘୁଆ ପାଗ ପାଇଁ ଆଉ ଅମଳ ଅବସ୍ଥାରେ ନାହିଁ ବିଭିନ୍ନ କିସମର କୋବି ଫସଲ । ସେହିଭଳି କଳାହାଣ୍ଡିର କୋକସରାରେ ବ୍ୟାପକ ଅଞ୍ଚଳରେ ହୋଇଥିବା ପିଆଜ ଚାଷକୁ ମଧ୍ୟ ବିପୁଳ କ୍ଷତି ପହଞ୍ଚାଇଛି କୁଆପଥର ବର୍ଷା ଓ ପବନ ।

ଠିକ୍ ଅମଳ ପୂର୍ବରୁ ମାଟି ଭିଜିଯିବାରୁ ସଢ଼ିବା ଆରମ୍ଭ କଲାଣି ପିଆଜ । ଏପଟେ ଭଦ୍ରକ ଜିଲ୍ଲା ବାସୁଦବପୁରରେ ବି ଅନୁରୂପ ସ୍ଥିତି । ତୁହାକୁ ତୁହା ବର୍ଷା ପରେ ପରିବା କ୍ଷେତରେ ଚାଖଣ୍ଡେ ଉଚ୍ଚର ପାଣି । ତେଣୁ ବାଇଗଣ, ଭେଣ୍ଡି, ବିନ୍, ଜହ୍ନି, ଟମାଟୋ ଓ କାପସିକମ୍ ଭଳି ପରିବା କ୍ଷେତରେ ଆରମ୍ଭ ହେଲାଣି ଝାଉଁଳା ରୋଗ । ସେପଟେ ମେଘୁଆ ପାଗ ପାଇଁ ରୋଗପୋକର ଶିକାର ହେଲାଣି କୋବି ଓ ବାଇଗଣ ଫସଲ।

ଏପଟେ ପଶ୍ଚିମା ଝଡ଼ ପ୍ରଭାବରେ କାଲି ଭଳି ଆଜି ବି ରାଜଧାନୀରେ ହୋଇଛି ଅଦିନିଆ ବର୍ଷା । ବେଶ୍ କିଛି ସମୟ ବର୍ଷା ସହ କିଛି ଅଞ୍ଚଳରେ କୁଆପଥର ମାଡ଼ ଦେଖିବାକୁ ମିଳିଥିଲା । ସେପଟେ ରାଜ୍ୟର ଅନ୍ୟ ଅଞ୍ଚଳରେ ଦେଖିବାକୁ ମିଳିଛି ପଶ୍ଚିମା ଝଡ଼ର ପ୍ରଭାବ ।

ଆଜି ବାଲେଶ୍ୱର ଓ ବଲାଙ୍ଗିରରେ ବି ମୂଷଳ ଧାରାରେ ବର୍ଷା ସାଙ୍ଗକୁ କୁଆପଥର ବର୍ଷା ହୋଇଛି । ସେହିପରି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଅଞ୍ଚଳରେ ଆଜି ବେଶ୍ କିଛି ସମୟ ଧରି ବଡ଼ ବଡ଼ ଆକାରର କୁଆପଥର ମାଡ ହୋଇଥିବା ଦେଖିବାକୁ ମିଳିଥିଲା ।

କାଶୀପୁରରୁ ରାଜେଶ ପାତ୍ର, ଧର୍ମଗଡ଼ରୁ ଇଙ୍ଗିତ ପଣ୍ଡା, ବାସୁଦେବପୁରରୁ ସୂର୍ୟୋଦୟ ବିଶ୍ୱାଳ ଓ ଭୁବନେଶ୍ୱରୁ ଅର୍ଚ୍ଚନା ଶତପଥୀଙ୍କ ରିପୋର୍ଟ, ଓଟିଭି ।