• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସ୍ମାର୍ଟ ସ୍କୁଲର ବିକଳ ବ୍ୟବସ୍ଥା । ଛାତରୁ ଗଳୁଛି ପାଣି, ବସିବାକୁ ନାହିଁ ଚେୟାର, ନିର୍ମାଣ ହୋଇନି ଶୌଚାଳୟ । ମାଳମାଳ ସମସ୍ୟା ଘେରରେ ଥିବା ଏଭଳି ସ୍କୁଲ ହେଉଛି ଯାଜପୁର ବିଂଝାରପୁର ବ୍ଲକର କପିଳା-ବରପଦା ପଞ୍ଚାୟତରେ ଥିବା ସତ୍ୟଭାମା ଗଣେଶଚନ୍ଦ୍ର ସ୍କୁଲ । ଏଇ କିଛି ଦିନ ତଳେ 5T ଅଧିନରେ ସ୍କୁଲର ରୂପାନ୍ତରଣ ହୋଇଥିଲା । ନୂଆ ରଙ୍ଗରେ ସଜେଇ ହୋଇଥିଲା ସ୍କୁଲ ପରିସର । ହେଲେ ଉଦଘାଟନକୁ ଦିନ କେଇଟା ନ ପୂରୁଣୁ ସ୍କୁଲର ଅବସ୍ଥା ନକହିଲେ ଭଲ । ନିମ୍ନ ମାନର କାମ ଯୋଗୁଁ ବିପଦଶଙ୍କୁଳ ଅବସ୍ଥାରେ ପିଲାଏ ପାଠ ପଢୁଥିବା ବେଳେ, ସମସ୍ୟା ବୁଝିବାକୁ କେହିନାହାନ୍ତି । ପ୍ରଧାନ ଶିକ୍ଷକ ମଧ୍ୟ ବାରମ୍ବାର ନିମ୍ମମାନ କାମର ଅଭିଯୋଗ କରୁଥିଲେ ହେଁ, ସମସ୍ୟାର ସମାଧାନ ପରିବର୍ତ୍ତେ ବିଲ୍ ପାଇଁ କ୍ଲିଅରାନ୍ସ ଦେବାକୁ ପ୍ରଧାନଶିକ୍ଷକଙ୍କ ଉପରେ ଚାପ ପକାଉଥିବା ଅଭିଯୋଗ ହୋଇଛି । ସେପଟେ ଜିଲ୍ଲାପାଳଙ୍କୁ ଭେଟି ସ୍କୁଲକୁ ଆସିଥିବା ଅନୁଦାନ ସୁବିନିଯୋଗ କରିବାକୁ ଦାବି କରିଛନ୍ତି ।

ସେପଟେ ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ବି ବାଟବଣା ଶିକ୍ଷା ବ୍ୟବସ୍ଥା । ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ଚିତ୍ରକୋଣ୍ଡା ବ୍ଲକ ଧୂଳିପୁଟର ଆବାସିକ ବିଦ୍ୟାଳୟ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସ୍କୁଲରେ ୧୦୦ ପିଲା ଏଇ ଗୋଟିଏ ଶ୍ରେଣୀଗୃହରେ ବସି ପାଠ ପଢିବାକୁ ବାଧ୍ୟ । ହଷ୍ଟେଲରେ ରହୁଛନ୍ତି ଆବଶ୍ୟକତା ଠାରୁ ଅଧିକ ପିଲା । ଏପରିକି ସେହି ରୁମରେ ହିଁ ରହୁଛି ଚାଉଳ ବସ୍ତା ଓ ନୂଆ ବହି । ରୋଷେଇ ଘର ଅବସ୍ଥା ବି ନକହିବା ଭଲ । ସ୍କୁଲରେ ପାଚେରୀ ନଥିବା ବେଳେ, ପରିତ୍ୟକ୍ତ ଖୋଲାକୂଅ ଯୋଗୁଁ କେତେବେଳେ କଣ ଘଟିବ କହି ହେଉନି । ସେପଟେ ଡିଇଓଙ୍କ ପାଖରେ ସମସ୍ୟା ନେଇ ନାହିଁ ଖବର ।

ସରକାରୀ ସ୍କୁଲରେ ହାଇଟେକ୍‌ ଶିକ୍ଷା ସୁବିଧା ଯୋଗାଇବାକୁ ସରକାର କରିଥିଲେ ଯୋଜନା । ହେଲେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଯୋଜନାର ସୁଫଳ ପାଉନାହାନ୍ତି ଛାତ୍ରଛାତ୍ରୀ । ସେପଟେ ସ୍ୱାଭିମାନ ଅଞ୍ଚଳରେ ମଧ୍ୟ ବିକାଶର ଗୋଲାପୀ ଚିତ୍ର ଏବେ ମଳିନ ପଡିଥିବା ଅଭିଯୋଗ ହୋଇଛି ।