• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆପଣ ସମସ୍ତଙ୍କର ମନେଥିବ ରାହୁଲର କଥା । ଯିଏ କି ଏବେ ମୃତ୍ୟୁଞ୍ଜୟୀ ବାଳକ ରାହୁଲ ଭାବେ ବେଶ ଚର୍ଚ୍ଚିତ । ବୋରୱେଲ ଭିତରୁ ବାହାରିବା ପରେ ସେ ଏବେ ମେଡିକାଲରେ ଦିନ କାଟୁଛି । ଆଉ ଧିରେ ଧିରେ ସୁସ୍ଥ ହେଉଛି । ଦେଖିବାକୁ ମିଳିଛି ରାହୁଲ ହସି ହସି ଗୀତ ଶୁଣୁଛି । ସତରେ ବିଶ୍ୱାସ ହଉନି, ସେଇ ରାହୁଲ ଯିଏ ଗଭୀର ବୋରୱଲ ଭିତରେ ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ୫ ଦିନ କାଳ ସାପ ସହ ଲଢ଼େଇ କରି ନୂଆ ଜୀବନ ପାଇଛି । ରାହୁଲ ଏବେ ବିଳାସପୁରର ଆପୋଲୋ ହସପିଟାଲରେ ଚିକିତ୍ସାଧୀନ । ରାହୁଲକୁ ଦେଖିଲେ ଲାଗୁଛି ଯେମିତି ମେଡିକାଲ ବେଡ ଉପରେ ବସି ରହି ପଛ କଥାକୁ ଭୁଲିଯିବାକୁ ଚାହୁଁଛି । 

ଆଉ ୟାରି ଭିତରେ ରାହୁଲ ପାଖରେ ପହଞ୍ଚିଛନ୍ତି ଜଗନ୍ନାଥ ସେନାର କର୍ମକର୍ତ୍ତା । ସେନାର ଆବାହକ ପିକୁ ପଟ୍ଟନାୟକ ବ୍ୟକ୍ତିଗତ ଭାବେ ରାହୁଲକୁ ଭେଟି ଜଗନ୍ନାଥଙ୍କ ଭୋଗ ଓ ପତିତପାବନ ବାନା ଦେଇ ରାହୁଲକୁ ରଥଯାତ୍ରା ପାଇଁ ନିମନ୍ତ୍ରଣ କରିଛନ୍ତି । ସବୁଠୁ ବଡ଼ କଥା ହଉଛି, ରାହୁଲର ପୂରା ପରିବାର ଜଗନ୍ନାଥଙ୍କ ଭକ୍ତ । ରାହୁଲ ଯେତେବେଳେ ଦୀର୍ଘ ୫ ଦିନ କାଳ ବୋରୱେଲ ଭିତରେ ଜୀବନ ମରଣ ସହ ସଂଘର୍ଷ କରୁଥିଲା, ରାହୁଲର ପରିବାର ମୁହଁରେ ଗୋଟିଏ କଥା ଥିଲା.. ଜୟ ଜଗନ୍ନାଥ.. ଜୟ ଜଗନ୍ନାଥ । ଆଉ ଶେଷରେ ସେଇ ଜଗନ୍ନାଥଙ୍କ ପାଇଁ ହିଁ ରାହୁଲ ନୂଆ ଦୁନିଆଁ ଦେଖିଲା ।

 

ରାହୁଲଙ୍କ ପରିବାରର ଜଗନ୍ନାଥ ପ୍ରେମ ଦେଖିବା ପରେ ଜଗନ୍ନାଥ ସେନାର ଆବାହକ ଅନ୍ୟ ସଦସ୍ୟଙ୍କ ସହ ଆପୋଲୋ ହସପିଟାଲରେ ପହଞ୍ଚିଥିଲେ । ଆଉ ତାପରେ ସାରା ପରିବାରରେ ଯେମିତି ଖୁସିର ମାହୋଲ ଖେଳିଯାଇଛି ।

ସୂଚନାଯୋଗ୍ୟଯେ, ଆପୋଲୋ ହସପିଟାଲର ୫ ଜଣିଆ ଡାକ୍ତରୀ ଟିମ୍ ରାହୁଲର ଚିକିତ୍ସା କରିବା ପରେ ରାହୁଲ ଏବେ ଧୀରେ ଧୀରେ ସୁସ୍ଥ ହେବାରେ ଲାଗିଛି । ତା’ର ଫେରିବା ବାଟକୁ ପୂରା ଗାଁ ଲୋକ ଅନେଇ ବସିଛନ୍ତି । ରାହୁଲ ସୁସ୍ଥ ହୋଇ ଗାଁକୁ ଫେରୁ ଆଉ ରଥ ଉପରେ ଜଗନ୍ନାଥଙ୍କୁ ଦର୍ଶନ କରୁ । ସେଇ ବିଶ୍ୱନିୟନ୍ତା ଜଗନ୍ନାଥଙ୍କ ପାଖରେ ଏତିକି କାମନା କରୁଛନ୍ତି ଲୋକେ ।