Advertisment

ଡିଜାଇନ୍ ଗୋଟେ ତ କାମ ଗୋଟେ, ପରିକ୍ରମା ପ୍ରକଳ୍ପ ଭିତରେ ନାହିଁ ରଘୁନନ୍ଦନ ଲାଇବ୍ରେରୀ

ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ରଙ୍କ ଅଭିଯୋଗ- ଐତିହ୍ୟ ପ୍ରକଳ୍ପର ସ୍ୱପ୍ନ ଦେଖାଇ ସରକାର ମନ୍ଦିର ଚତୁଃପାର୍ଶ୍ୱରେ ଅନେକ ପ୍ରାଚୀନ ମଠ, ଘର ଓ ଲଜିଂ ଧ୍ୱଂସ କରି ପ୍ରଶସ୍ତ ଯାଗା ପାଇଥିଲେ। ହେଲେ ପ୍ରତିଶ୍ରୁତି ମୁତାବକ କୌଣସି କାମ ହୋଇନି।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

srimandir heritage corridor project

କୁଆଡେ ଗଲା ଶ୍ରୀଜଗନ୍ନାଥ ରିସେପସନ୍ ସେଣ୍ଟର ? କେଉଁଠି ତିଆରି ହେଉଛି କୀର୍ତ୍ତନ ମଣ୍ଡପ ? ଯଜ୍ଞ ଓ ଧ୍ୟାନ ସହ ସଂସ୍କୃତି ମଣ୍ଡପ ନିର୍ମାଣ ହେଉଛି ତ ? ବୁଲଡୋଜର ଲଗାଇ ଧୁଳିସାତ୍ କରାଯାଇଥିବା ଏମ୍ଆର ମଠର ନୂଆ ରଘୁନନ୍ଦନ ଲାଇବ୍ରେରୀ କଥା ଭୁଲିଗଲେ କି ସରକାର ? ଆସନ୍ତା ଜାନୁଆରୀ ୧୭ରେ ଯେଉଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ଉଦଘାଟନ ପାଇଁ ଏତେ ତରତର, ସେଥିରେ ଏସବୁ ଦିଶୁ ନ ଥିବାରୁ ପୁରୀର ବୁଦ୍ଧିଜୀବୀ, ଆଇନଜୀବୀ ଓ ଭକ୍ତଙ୍କ ସହ ଖୋଦ୍ ସେବାୟତଙ୍କ ଆଡୁ ଉଠିଲାଣି ସାଂଘାତିକ ପ୍ରଶ୍ନ। ସେମାନଙ୍କ ଅଭିଯୋଗ- ୨୦୨୨ ନଭେମ୍ବର ୨୪ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ସମୟରେ ଯେଉଁ ଥ୍ରୀଡି ପ୍ରତିକୃତି ଭିଡିଓ ଦେଖାଯାଇଥିଲା- ତାସହ ଏବେକାର ପରିକ୍ରମା ପ୍ରକଳ୍ପର ବାସ୍ତବ ସ୍ଥିତି ଆଦୌ ଖାପ ଖାଉନି। ସିଂହଦ୍ୱାରକୁ ଛାଡ଼ି ବାକି ତିନି ଦ୍ୱାରରେ କେବଳ ଟୟଲେଟ୍ ନିର୍ମାଣ ହୋଇଛି। ବାକି ଯେତେ କାମ ଅଛି ତାକୁ ସାରିବାକୁ ଆହୁରି ୨ବର୍ଷ ଲାଗିପାରେ।

Advertisment

ଆଉ ଇଏ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଗ୍ରାଉଣ୍ଡ ଜିରୋରୁ ଚିତ୍ର। ସରିଲାଣି ଉତ୍ତର, ଦକ୍ଷିଣ ଓ ପଶ୍ଚିମ ଦ୍ୱାରରେ ମହିଳା, ପୁରୁଷ ଓ ସେବାୟତଙ୍କ ପାଇଁ ଶୌଚାଳୟ ସହ ଭକ୍ତଙ୍କ ପାଇଁ ଇନଫର୍ମେସନ କିଓସ୍କ ଓ ସେଲଟର ପାଭିଲିୟନ। ଆଉଟର ଆକସେସ ରୋଡ୍ କାମ ବି ସରିଲାଣି। ପ୍ରକଳ୍ପ ନିର୍ମାଣ ଦାୟିତ୍ୱରେ ଥିବା ଓବିସିସି କହିଛି- ଜାନୁଆରୀ ୧୫ବେଳକୁ ପ୍ରକଳ୍ପ ପୁରା ପ୍ରସ୍ତୁତ ହୋଇଯିବ । ଗୋଟିଏ ପଟେ ଭକ୍ତଙ୍କୁ ବ୍ୟାରିକେଡ୍ ଯନ୍ତ୍ରଣାରୁ ମୁକ୍ତି ଦେବାକୁ ଏସି ସେଡ୍ ସହ ବଡ଼ଦାଣ୍ଡରୁ ଭିଡ଼ କମାଇବାରୁ ଶ୍ରୀଦାଣ୍ଡ ନିର୍ମାଣ ବି ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି।

ତେଣେ ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ରଙ୍କ ଅଭିଯୋଗ- ଐତିହ୍ୟ ପ୍ରକଳ୍ପର ସ୍ୱପ୍ନ ଦେଖାଇ ସରକାର ମନ୍ଦିର ଚତୁଃପାର୍ଶ୍ୱରେ ଅନେକ ପ୍ରାଚୀନ ମଠ, ଘର ଓ ଲଜିଂ ଧ୍ୱଂସ କରି ପ୍ରଶସ୍ତ ଯାଗା ପାଇଥିଲେ। ହେଲେ ପ୍ରତିଶ୍ରୁତି ମୁତାବକ କୌଣସି କାମ ହୋଇନି। ପ୍ରକଳ୍ପରେ କ’ଣ କାମ ଚାଲିଛି, ସେ ନେଇ ସମସ୍ତେ ଅଜ୍ଞ। ଯେହେତୁ ଆଗକୁ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ରହିଛି ତେଣୁ ରାଜ୍ୟ ସରକାର କେବଳ ବାଦକୁ ଅଧାପନ୍ତରିଆ ଶ୍ରୀମନ୍ଦିର ପ୍ରକଳ୍ପକୁ ଲୋକାର୍ପଣ ପାଇଁ ତରତର ହେଉଛନ୍ତି।

Advertisment

ଆସନ୍ତା ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ଏବେ ଜୋରଦାର ଅତିଥି ନିମନ୍ତ୍ରଣ ଚାଲିଛି। ଜାନୁଆରୀ ୧୫ରୁ ହୋମ ଯଜ୍ଞ ଆରମ୍ଭ ହୋଇ୧୭ରେ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ପାଇଁ ସମୟ ସ୍ଥିର ହୋଇଛି।

Odisha Puri Srimandir Heritage Corridor Project
Advertisment
Advertisment