• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଭକ୍ତ, ସେବାୟତ, ବିରୋଧୀ । ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ, କେବେ ଖୋଲିବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର, ଆଉ କେବେ ହେବ ଗଣତି ? ସୁରକ୍ଷିତ ଅଛି ତ ରତ୍ନ ଭଣ୍ଡାରର ରତ୍ନ ? ଖାଲି ସେତିକି ନୁହେଁ, ରତ୍ନ ଭଣ୍ଡାର ମରାମତି ନେଇ ବି ତୁରନ୍ତ ପଦକ୍ଷେପ ନେବାକୁ ଦାବି ଉଠିଛି । ସେପଟେ ବିବାଦ ବଢ଼ିବା ପରେ ମୁହଁ ଖୋଲିଛନ୍ତି ପୁରୀ ସାଂସଦ । କହିଛନ୍ତି କୋର୍ଟଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି ।

କେବେ ଖୋଲିବ ରତ୍ନ ଭଣ୍ଡାର ? କେବେ ଗଣତି ହେବ ମହାପ୍ରଭୁଙ୍କ ମହଣ ମହଣ ଅଳଙ୍କାର ? କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ଗୋଟିଏ ପ୍ରଶ୍ନ ରତ୍ନ ଭଣ୍ଡାରରେ ଥିବା ରତ୍ନ ସୁରକ୍ଷିତ ଅଛି ତ ? ଭକ୍ତଙ୍କ ମନରେ ଆସୁଥିବା ଏ ସନ୍ଦେହକୁ ସରକାର ତୁରନ୍ତ ଦୂର କରନ୍ତୁ ବୋଲି ସେବାୟତ ଦାବି କଲେଣି । ଖାଲି ସେତିକି ନୁହେଁ, ଭଣ୍ଡାର ଗୃହ ଖୋଲିବାରେ ବିଳମ୍ବ ହେଉଥିବାରୁ ସେବାୟତମାନେ ସନ୍ଦେହ ଘେରରେ ରହିଛନ୍ତି । ଏଥିଲାଗି ଭଣ୍ଡାର ଗୃହକୁ ତୁରନ୍ତ ଖୋଲି ଗଣତି କରାଯାଉ ବୋଲି ବରିଷ୍ଠ ସେବାୟତ କହିଛନ୍ତି । ଅନ୍ୟପଟେ ଆଉ କିଛି ସେବାୟତଙ୍କ ମତ ହେଲା ଶହେ ବର୍ଷ ତଳେ ସଂପନ୍ନ ହୋଇଥିବା ରଘୁନାଥ ବେଶରେ ପ୍ରଭୂ ବିଭୂଷିତ ହୁଅନ୍ତୁ । ରତ୍ନଥାଳିରେ କୋଠ ଭୋଗରେ ଶ୍ରୀଜିଉଙ୍କୁ ଖେଚୁଡି ପରଷା ଯାଉ। ରତ୍ନ ଭଣ୍ଡାର ଖୋଲି ଗଣତି ହେଲେ ମହାପ୍ରଭୁଙ୍କ ଦୁର୍ମୂଲ୍ୟ ଅଳଙ୍କାର ସମ୍ପର୍କରେ ସୂଚନା ମିଳିପାରିବ । ପୂର୍ବରୁ ଗଜପତି ମହାରାଜା ଦିବ୍ୟସିଂହ ଦେବ ଓ ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ମଧ୍ୟ ସମାନ କଥା ଉଠାଇଥିଲେ ।

ସେପଟେ ବିରୋଧୀ ବି ରତ୍ନ ଭଣ୍ଡାର ଖୋଲିବା ପାଇଁ ବାରମ୍ବାର ଦାବି କରିଆସୁଛନ୍ତି । ତେବେ କାହିଁକି ସରକାର ପଛଘୁଞ୍ଚା ଦେଉଛନ୍ତି ତାହା ଜଣାପଡୁନାହିଁ । ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ଉପରେ ବର୍ଷିଛନ୍ତି । କହିଛନ୍ତି, ସରକାର ହେଉଛନ୍ତି ରତ୍ନ ଭଣ୍ଡାରର ମାର୍ଫତଦାର, ମାଲିକ ନୁହନ୍ତି । ପୂର୍ବରୁ କେତେ ଥିଲା ଏବେ ସମ୍ପତ୍ତି କେତେ ଅଛି ତାହା ଜାଣିବା ଭକ୍ତଙ୍କ ଅଧିକାର । ରତ୍ନ ଭଣ୍ଡାର ନଖୋଲିବା ସନ୍ଦେହର ମୁଖ୍ୟ କାରଣ । ସେହିପରି କଂଗ୍ରେସ କଡା ସମାଲୋଚନା କରି କହିଛି କାହିଁକି ରତ୍ନ ଭଣ୍ଡାର ଖୋଲାଯାଇ ସୂଚନା ସାର୍ବଜନୀନ କରାଯାଉନି ? ତେବେ ବାଦ ବିବାଦ ବଢ଼ିବା ପରେ ସାଂସଦ ପିନାକୀ ମିଶ୍ର ମୁହଁ ଖୋଲି କହିଛନ୍ତି, କେସ୍ କୋର୍ଟରେ ଅଛି, କୋର୍ଟଙ୍କ ନିର୍ଦ୍ଦେଶରେ କାର୍ଯ୍ୟ ସମ୍ପାଦନ ହେବ ।

ରତ୍ନ ଭଣ୍ଡାରରେ ମହାପ୍ରଭୁଙ୍କର ହୀରା, ନୀଳା, ମୋତି, ମାଣିକ୍ୟ ଖଚିତ ଅଳଙ୍କାର ରହିଛି । ଶେଷଥର ଲାଗି ୧୯୭୮ରେ ରତ୍ନ ଭଣ୍ଡାର ଅଳଙ୍କାର ଗଣତି ହୋଇଥିଲା । ଦିନକ ତଳେ ରତ୍ନଭଣ୍ଡାର ଖୋଲିବାକୁ ଦାବି କରି ବିଜେପି ପକ୍ଷରୁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି । ରତ୍ନ ଭଣ୍ଡାର ଖୋଲିବା, ମରାମତି ଓ ଅଳଙ୍କାର ଗଣତି ପାଇଁ ପିଟିସନ ଦାଖଲ କରାଯାଇଛି ।

 

  • Reported by:
  • MADHUSUDAN MISHRA , JAGDISH DAS