• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ପୁରୀ: ଧର୍ମନଗରୀ ପୁରୀର ନାଁ ପରିବର୍ତ୍ତନ ଦାବିକୁ ଆଂଶିକ ସଫଳତା। ଏ ଐତିହାସିକ ସହରର ନାଁ ପରିବର୍ତ୍ତନ ପୂର୍ବରୁ ପୁରୀ ରେଳ ଷ୍ଟେସନର ନାଁ ପରିବର୍ତ୍ତନ ଦାବିକୁ ରେଳମନ୍ତ୍ରୀଙ୍କ ସମର୍ଥନ। ପୁରୀ ରେଳଷ୍ଟେସନର ନାଁକୁ ନୂତନ ଭାବେ ଶ୍ରୀଜଗନ୍ନାଥଧାମ ପୁରୀ ରେଳ ଷ୍ଟେସନ କରିବା ଲାଗି ଜୋର ଦେଇ ଆସୁଥିବା ବୁଦ୍ଧିଜୀବୀ ଗୋଷ୍ଠୀଙ୍କ ଦାବିକୁ ଗ୍ରହଣ କରିବା ସହ ଗ୍ରୀନ୍ ସିଗନାଲ ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଗତକାଲି ନୂଆଦିଲ୍ଲୀସ୍ଥିତ ରେଳ ଭବନ ଯାଇ ବିଭାଗୀୟ ମନ୍ତ୍ରୀଙ୍କୁ ଏ ସମ୍ପର୍କୀତ ସ୍ମାରକପତ୍ର ଦେଇଥିଲେ।

ବିଭିନ୍ନ ଗୋଷ୍ଠୀ ଓ ଅନୁଷ୍ଠାନର କର୍ମକର୍ତ୍ତା ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ବିଜେପି ନେତା ସମ୍ବିତ ପାତ୍ର, ମିଳିତ ଗୋଷ୍ଠୀର ଆବାହାକ ଚକ୍ରଧର ମହାପାତ୍ର ଓ ଶ୍ରୀଜଗନ୍ନାଥ ସେନା ଆବହାକ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ପ୍ରମୁଖ ରେଳମନ୍ତ୍ରୀଙ୍କ ନିକଟରେ ନୂଆ ନାମକରଣର ଯଥାର୍ଥତା ନେଇ ମତ ଉପସ୍ଥାପନ କରିଥିଲେ। ରେଳମନ୍ତ୍ରୀ ଏ ଦାବିକୁ ଗ୍ରହଣ କରିବା ସହ ଏ ସମ୍ପର୍କରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସୁପାରିସ ଆସିବା ପରେ ନାମ ପରିବର୍ତ୍ତନ ପ୍ରକ୍ରିୟା ଆରମ୍ଭ ଲାଗି ପ୍ରତିଶ୍ରୁତି ଦେଇଥିଲେ।

ଏପଟେ ପୁରୀର ନାଁ ବଦଳିବା ଦାବି ଜୋର ଧରିବା ଭିତରେ ରେଳ ଷ୍ଟେସନର ନାଁ ବଦଳିବା ପ୍ରକ୍ରିୟାକୁ ପ୍ରାଥମିକ ସଫଳତା ପରେ ଉତ୍ସାହିତ ହୋଇପଡ଼ିଛନ୍ତି। ପୁରୀର ବିଭିନ୍ନ ଧାର୍ମିକ ଗୋଷ୍ଠୀ ଓ  ଶ୍ରୀଜଗନ୍ନାଥପ୍ରେମୀ ସେମାନଙ୍କ ମତରେ ପୁରୀ ସହର ହେଉ କି ରେଳ ଷ୍ଟେସନ, ଏଥିରୁ ପୁରୁଣା ନାଁ ପୁରୀକୁ ବାଦ ଦିଆଯାଉନି ବରଂ ପୁରୁଣା ନାଁ ସହ ଶ୍ରୀଜଗନ୍ନାଥଙ୍କ ନାଁକୁ ଯୋଡ଼ା ଯାଉଥିବାରୁ ପୁରୀ ନାଁର ହୃତ ଗୌରବ ଫେରି ଆସିବ। ତେଣୁ ଏହାକୁ ନେଇ ବାଦ, ବିବାଦ ଓ ବିତର୍କର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ।

ସେପଟେ ପୁରୀ ପୂର୍ବରୁ ବି ଜଗନ୍ନାଥ ଧାମ ପୁରୀ ଭାବେ ସର୍ବବିଦିତ ଥିଲା ଏବଂ ଆଜି ବି ସମଗ୍ର ଭାରତ ବର୍ଷରେ ଏହି ନାଁ ପ୍ରସିଦ୍ଧିଲାଭ କରିଥିବାରୁ ନାମ ପରିବର୍ତ୍ତନର ଯଥାର୍ଥତା ସମ୍ପର୍କରେ ମତ ରଖିଛନ୍ତି ବରିଷ୍ଠ ଗବେଷକ। ପୁରୀ ନାଁ ସହ ଜଗନ୍ନାଥଙ୍କ ନାଁକୁ ଯୋଡ଼ିବା ଅଭିଯାନରେ ସାମିଲ ହୋଇଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ସେ ପୁରୀ ବେଳାଭୂମିରେ ଜଗନ୍ନାଥଙ୍କର ସୁନ୍ଦର ବାଲୁକା ବିଗ୍ରହ ନିର୍ମାଣ ସାଙ୍ଗକୁ ପୁରୀର ନାଁ ଜଗନ୍ନାଥ ପୁରୀକୁ ପରିବର୍ତ୍ତନର ନାରା ସହ ଯୋଡ଼ି ହୋଇଛନ୍ତି।


ରିପୋର୍ଟ: ପ୍ରଦୀପ ମହାନ୍ତି ଓ ମଧୁସୂଦନ ମିଶ୍ର