• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପ୍ରଥମେ ମନ୍ଦିର ଯିବାକୁ ଲାଗିଲା କଟକଣା । ଆଉ ଏବେ ସ୍ୱର୍ଗଦ୍ୱାର ଯିବାକୁ ବି ମନା କଲେ । ଅନେକ ଓଡ଼ିଆଙ୍କ ଆଶା ‘ମୁ ମଲେ ମୋତେ ସ୍ୱର୍ଗ ଦ୍ୱାର ନେବ’ ।ହେଲେ ଏଭଳି ଆଶା ରଖୁଥିବା ଲୋକ ନିରାଶ ହୋଇପାରନ୍ତି । କାରଣ ପୁରୀ ପ୍ରଶାସନ ପକ୍ଷରୁ ସ୍ୱର୍ଗଦ୍ୱାରରେ ଶବ ପୋଡ଼ା ନେଇ ଲାଗିଲା କଟକଣା । ଆସନ୍ତା ସୋମବାରରୁ ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ ବନ୍ଦ ବୋଲି କହିଛି ପୁରୀ ପ୍ରଶାସନ । ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲାର ଲୋକଙ୍କ ଶବ ସତ୍କାର ପାଇଁ ବାରଣ କରାଯାଇଛି ।

କେବଳ ପୁରୀ ଜିଲ୍ଲାର ଲୋକଙ୍କୁ ଶବଦାହ ପାଇଁ ଅନୁମତି ଦିଆଯାଇଥିବା କହିଛନ୍ତି ଉପଜିଲ୍ଲାପାଳ । ବିନା କୋଭିଡ୍‌ ଓ ସାଧାରଣ ରୋଗରେ ମୃତ୍ୟୁବରଣ କରିଥିଲେ ସ୍ୱର୍ଗଦ୍ୱାରରେ ଶାବ ଦାହ ପାଇଁ ଅନୁମତି ଦିଆଯିବ । ପରିଚୟପତ୍ର ଦେଖାଇ ସେମାନଙ୍କ ପରିବାର ଶବଦାହ କରିପାରିବେ ବୋଲି ଉପଜିଲ୍ଲାପାଳ କହିଛନ୍ତି । 

ସୂଚନାଯୋଗ୍ୟ ପୂର୍ବରୁ ମଧ୍ୟ ଏଭଳି କଟକଣା ଲାଗିଥିଲା । ବାହାର ଜିଲ୍ଲାର ଲୋକଙ୍କୁ ଶବଦାହ ପାଇଁ ଅନୁମତି ନଥିଲା । କୋଭିଡ୍‌ ସ୍ଥିତି ସୁଧୁରିବା ପରେ ଏହି କଟକଣାକୁ କୋହଳ କରାଯାଇଥିଲା ।

ଅନ୍ୟପଟେ ଆସନ୍ତା ସୋମବାରଠୁ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ । କରୋନା ସଂକ୍ରମଣ ବଢୁଥିବା କାରଣରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ନିଷ୍ପତ୍ତି ନିଆଯାଇଛି । ଛତିଶା ନିଯୋଗ-ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ବସିଥିବା ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଜାନୁଆରୀ ୧୦ରୁ ଜାନୁଆରୀ ୩୧ ତାରିଖ ଯାଏଁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

ଶ୍ରୀମନ୍ଦିର ବନ୍ଦ ନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସୂଚନା ଦେଇଛନ୍ତି । ରାଜ୍ୟରେ ଓମିକ୍ରନ ସଂକ୍ରମଣ ବଢି ଚାଲିଥିବା ବେଳେ ଏପଟେ ଶ୍ରୀମନ୍ଦିରର କିଛି କର୍ମଚାରୀ ଓ ସେବାୟତ ପଜିଟିଭ ଚିହ୍ନଟ ହୋଇଛନ୍ତି ।

 ଓମିକ୍ରନ୍ ମୁକାବିଲା ପାଇଁ ମଧ୍ୟ ସଜାଗ ପୁରୀ ଜିଲ୍ଲା ପ୍ରଶାସନ । ଜିଲ୍ଲାରେ ସଂକ୍ରମଣ ରୋକିବା ପାଇଁ ରେଳଷ୍ଟେସନ, ବସଷ୍ଟାଣ୍ଡରେ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ ପ୍ରଶାସନ କଡ଼ା ନଜର ରଖିଛି । ହୋଟେଲମାନଙ୍କରେ କୋଭିଡ ନିୟମ କଡାକଡି ପାଳନ କରିବା ପାଇଁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ପୂର୍ବରୁ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଜିରୋ ନାଇଟ ସେଲିବ୍ରେସନ ବ୍ୟାନ୍ କରାଯାଇଥିଲା ।