• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପୁଣି ତାତିଲେ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ । ପୁଣି ଥରେ ବସ୍‌ ଧର୍ମଘଟ ନେଇ ଘରୋଇ ମାଲିକ ସଂଘର ନିଷ୍ପତ୍ତି ନେଇଛି । ଡିସେମ୍ବର ୧ରୁ ରାଜ୍ୟ ତମାମ ବସ୍‌ ଧର୍ମଘଟ ହେବ ବୋଲି କହିଛି ସଂଘ । ଏନେଇ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର କର୍ମକର୍ତ୍ତା ବରଦା ଆଚାର୍ଯ୍ୟ ସୂଚନା ଦେଇଛନ୍ତି । ନଭେମ୍ବର ୨୨ରୁ ବିଧାନସଭା ସମ୍ମୁଖରେ ମାଲିକମାନେ ଧାରଣା ଦେବେ ବୋଲି ସୂଚନା ଦେଇଛନ୍ତି ବରଦା ଆଚାର୍ଯ୍ୟ ।

ଲକ୍ଷ୍ମୀ ବସ୍ ଚଳାଚଳକୁ ନେଇ ରାଜ୍ୟ ଘରୋଇ ବସ ମାଲିକ ସଂଘ ଆପତ୍ତି ଉଠାଇଛି । ବ୍ଲକ ହେର୍ଡକ୍ୱାଟରରୁ ଜିଲ୍ଲା ହେଡ କ୍ୱାଟରକୁ ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରୁଛି ଘରୋଇ ବସ୍ ମାଲିକ ସଂଘ । ଲକ୍ଷ୍ମୀ ବସ୍ ଚାଲିଲେ, ସେମାନଙ୍କର କ୍ଷତି ହେବ ଏବଂ ବହୁ କର୍ମଚାରୀ କାମ ହରାଇବେ ବୋଲି କହିଛି ସଂଘ ।

ଏହାକୁ ନେଇ ଗତ ମାସ ଦଶହରା ବେଳେ ଧର୍ମଘଟକୁ ଓହ୍ଲାଇଥିଲା ଘରୋଇ ବସ୍ ମାଲିକ ସଂଘ । ତେବେ ଯାତ୍ରୀ ହନ୍ତସନ୍ତ ହେବା ପରେ ସଂଘ ଆନ୍ଦୋଳନରୁ ଓହରିଥିଲା ଏବଂ ବସ୍ ଚଳାଚଳ ସ୍ୱାଭାବିକ ହୋଇଥିଲା । ତେବେ ଆଜି ପୁଣି ଥରେ ଧର୍ମଘଟ ଡାକରା ଦିଆଯାଇଛି ।

ଆଜି ଭବାନୀପାଟଣାରେ ଅଲ୍ ଓଡ଼ିଶା ଘରୋଇ ବସ ମାଲିକ ସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି । ସେଥିରେ ରାଜ୍ୟ ଘରୋଇ ବସ ମାଲିକ ସଂଘ ସଭାପତି ଲୋକନାଥ ପାଣି, ସମ୍ପାଦକ ଦେବେନ୍ଦ୍ର ସାହୁଙ୍କ ସମେତ ୩୦ଟି ଜିଲ୍ଲାର ସଭାପତି ଓ ବରିଷ୍ଠ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ ।

ପୂର୍ବରୁ ସଂଘର ଦାବିକୁ ନେଇ ରାଜ୍ୟ ସରକାରଙ୍କ ସହ ବାରମ୍ବାର ଆଲୋଚନା ହୋଇଛି । ଏମିତି କି ପରିବହନ ମନ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା କରିଛି ସଂଘ । ହେଲେ ସଂଘର ଦାବି ମୁତାବକ ସରକାର ସେପରି କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗ ହୋଇଛି । ବାରମ୍ବାର ପ୍ରତିଶ୍ରୁତି ମିଳିଥିଲେ ବି କୌଣସି କାର୍ଯ୍ୟକାରୀ ହୋଇପାରୁନାହିଁ ।

ତେବେ ବସ୍‌ ମାଲିକଙ୍କ ଏହି ଅପେକ୍ଷାର ଅନ୍ତ କେବେ ହେବ, କାହାକୁ ଜଣାନାହିଁ । ଦିନ ପରେ ଦିନ ଗଡ଼ୁଥିଲେ ମଧ୍ୟ ଏ ସମସ୍ୟାର ସମାଧାନ କେବେ ହେବ ଯେପରି କାହା ପାଖରେ ଉତ୍ତର ହିଁ ନାହିଁ । ରାଜ୍ୟରେ ବାରମ୍ବାର ଘରୋଇ ବସ୍‌ ମାଲିକମାନଙ୍କ ଅସନ୍ତୋଷ କାରଣରୁ ବସ୍‌ ଧର୍ମଘଟ ଡାକରା ଦିଆଯାଉଛି । ଫଳରେ ଯାତ୍ରୀମାନେ ଅନେକ ସମୟରେ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଛନ୍ତି ।