• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଯାହା ୯୦ ବର୍ଷରେ ହୋଇ ନଥିଲା, ତାହା ତତ୍କାଳ ହୋଇପାରିଲା । ରାଷ୍ଟ୍ରପତି ହେଲେ ବୋଲି ପୂରଣ ହେବାକୁ ଯାଉଛି ଦ୍ରୌପଦୀ ମୁର୍ମୁ ଓ ମୟୂରଭଞ୍ଜ ବାଦାମ ପାହାଡ଼ବାସୀଙ୍କ ସ୍ୱପ୍ନ । ଶେଷରେ ବାଦାମପାହାଡ଼କୁ ଗଡ଼ିବ ଏକ୍ସପ୍ରେସ ଟ୍ରେନ । ଆଉ ଗର୍ବର ବିଷୟ, ଖୋଦ୍ ରାଷ୍ଟ୍ରପତି ଏହାର ଶୁଭାରମ୍ଭ ବି କରିବେ । ସେଥିପାଇଁ ସଜେଇ ହେଉଛି ବାଦାମପାହାଡ଼ ଷ୍ଟେସନ ଓ ଖୁସିରେ ଗଦଗଦ୍ ସ୍ଥାନୀୟ ବାସିନ୍ଦା ।

ପୂରଣ ହେବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସ୍ୱପ୍ନ । ସଜେଇ ହେଉଛି ବାଦାମପାହାଡ଼ ରେଳ ଷ୍ଟେସନ । ଯଦିଓ ୧୯୩୨ରୁ ବାଦାମପାହାଡ଼କୁ ରେଳ ସଂଯୋଗ ହୋଇଛି, ହେଲେ ଖାଲି ପାସେଞ୍ଜର ଟ୍ରେନ ହିଁ ଚାଲୁଥିଲା । ୯୦ ବର୍ଷ ଭିତରେ ଏକ୍ସପ୍ରେସ ଟ୍ରେନ୍‌ଟିଏ ଦେଖି ପାରି ନଥିଲା ବାଦାମପାହାଡ଼ । ସେଥିପାଇଁ ରାଷ୍ଟ୍ରପତି ହେବା ପୂର୍ବରୁ ନିଜ ଅଞ୍ଚଳକୁ ରାଜ୍ୟ ତଥା ଦେଶର ଅନ୍ୟ ବ୍ୟବସାୟିକ ପେଣ୍ଠ ସହ ଟ୍ରେନ ଯୋଗେ ଯୋଡ଼ିବାକୁ ବହୁବାର ଚେଷ୍ଟା କରିଥିଲେ ଦ୍ରୌପଦୀ ମୁର୍ମୁ । ୨୦୦୦ରୁ ୨୦୦୨ ଯାଏଁ ରାଜ୍ୟର ପରିବହନ ମନ୍ତ୍ରୀ ଥିଲା ବେଳେ ବହୁବାର ପ୍ରୟାସ କରିଥିଲେ । ହେଲେ, ସାକାର ହୋଇପାରି ନ ଥିଲା ତାଙ୍କ ସ୍ୱପ୍ନ ।

ଏବେ ରାଷ୍ଟ୍ରପତି ହେବାପରେ ଏ ସ୍ୱପ୍ନ ସତ ହେବାକୁ ଯାଉଛି । ଆସନ୍ତା ୨୧ରେ ବାଦାମପାହାଡ଼ରୁ ରାଉରକେଲା ଓ କୋଲକାତାକୁ ଗଡ଼ିବ ଏକ୍ସପ୍ରେସ । ଏମିତିକି ତାଙ୍କ ଶ୍ୱଶୁର ଘର ଅଞ୍ଚଳ ବାଦାମପାହାଡ଼ରୁ ଜନ୍ମମାଟି ରାଇରଙ୍ଗପୁର ଦେଇ ଏକ ପାସେଞ୍ଜର ଟ୍ରେନ ବି ଚଳାଚଳ କରିବ । ଆଉ ସବୁଠୁ ଖୁସିର କଥା ହେଉଛି, ଏସମସ୍ତ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ ବି ଖୋଦ୍ ରାଷ୍ଟ୍ରପତି ।

ରାଷ୍ଟ୍ରପତି କେବଳ ୩ଟି ଟ୍ରେନର ଶୁଭାରମ୍ଭ କରିବେ ତାହା ନୁହେଁ, ସେଥିମଧ୍ୟରୁ ଗୋଟିଏ ଟ୍ରେନର ଯାତ୍ରୀ ବି ହେବେ । କୋଲକାତାକୁ ଯୋଡ଼ିବାକୁ ଥିବା ବାଦାମପାହାଡ଼ ସାଲିମାର ଏକ୍ସପ୍ରେସର ଏସି-୧ କୋଚରେ ରାଇରଙ୍ଗପୁର ଯାଏଁ ପାଖାପାଖି ୩୨ କିଲୋମିଟର ଯାତ୍ରା କରିବେ । ଆଉ ଦେଶର ରାଷ୍ଟ୍ରପତି ସ୍ୱତନ୍ତ୍ର ପ୍ରେସିଡେନ୍ସିଆଲ ଟ୍ରେନ ବଦଳରେ ସାଧାରଣ ଏସି କୋଚରେ ଯାତ୍ରା କରିବାରେ ଏହା ହେବ ଭାରତୀୟ ରେଳ ଇତିହାସର ପ୍ରଥମ ଘଟଣା । ରାଷ୍ଟ୍ରପତିଙ୍କ ସହ ବିଭିନ୍ନ ସ୍କୁଲର ପ୍ରାୟ ୨ଶହ ଛାତ୍ରଛାତ୍ରୀ ବି ଏ ଟ୍ରେନ ଯାତ୍ରାରେ ସାମିଲ ହେବେ । ଅନ୍ୟପକ୍ଷରେ ରାଷ୍ଟ୍ରପତି ହେବା ପରଠାରୁ ରାଇରଙ୍ଗପୁର ଓ ବାଦାମପାହାଡ଼ ଅଞ୍ଚଳର ବିକାଶ ଧାରା ଆଗେଇ ଚାଲିଛି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।

ସେପଟେ ରାଷ୍ଟ୍ରପତିଙ୍କ ଦୁଇଦିନିଆ ମୟୂରଭଞ୍ଜ ଗସ୍ତ ପାଇଁ ଆରମ୍ଭ ହୋଇଯାଇଛି ବ୍ୟାପକ ପ୍ରସ୍ତୁତି । ବାୟୁସେନା ପକ୍ଷରୁ ଆଜି ସ୍ୱତନ୍ତ୍ର ହେଲିକପ୍ଟର ଆକାଶ ମାର୍ଗରେ ପଇଁତରା ମାରିବା ସହ ଟ୍ରାଏଲ ରନ୍ କରିଛି । ବାୟୁସେନାର ଏକ ପାଞ୍ଚ ଜଣିଆ ଟିମ୍ ବାରିପଦାରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା ବି କରିଛନ୍ତି ।

ବାରିପଦାରୁ ମାଣିକ ଲାଲ୍ ପାଣି ଓ ଉଦଳାରୁ ରବୀନ୍ଦ୍ର ନାୟକଙ୍କ ରିପୋର୍ଟ, ଓଟିଭି