• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପ୍ରସ୍ତୁତି ଚୂଡ଼ାନ୍ତ, ମହାମହିମଙ୍କ ଆଗମନକୁ ଅପେକ୍ଷା । ରାଷ୍ଟ୍ରପତି ହେବା ପରେ ଆସନ୍ତାକାଲି ମୟୂରଭଞ୍ଜ ଜିଲ୍ଲାକୁ ଦ୍ୱିତୀୟ ଥର ପାଇଁ ଆସୁଛନ୍ତି ଦ୍ରୌପଦୀ ମୁର୍ମୁ । ବାରିପଦାରେ ସାନ୍ତାଳୀ ଲେଖକ ସଂଘ ଅଧିବେଶନରେ ଉଦବୋଧନ ସହ ରାଇରଙ୍ଗପୁରରୁ ୩ଟି ନୂଆ ଟ୍ରେନର ଲୋକର୍ପଣ ରହିଛି ପ୍ରମୁଖ କାର୍ଯ୍ୟକ୍ରମ । ତେଣେ ନିଜ ହାତରେ ନଣନ୍ଦଙ୍କୁ ମନପସନ୍ଦର ଖାଦ୍ୟ ପରଷିଦେବାକୁ ଅପେକ୍ଷାରେ ରାଷ୍ଟ୍ରପତିଙ୍କ ଭାଉଜ ।

ରାଷ୍ଟ୍ରପତି ହେବା ପରେ ନିଜ ଜିଲ୍ଲା ମୟୂରଭଂଜକୁ ଆସୁଛନ୍ତି ଆସନ୍ତାକାଲି ଦ୍ୱିତୀୟ ଥର ପାଇଁ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତେଣେ ମାଟିର ଝିଅକୁ ସ୍ୱାଗତ ପାଇଁ ସାଧବ ବୋହୁ ପରି ସଜେଇ ହେଲାଣି ବାରିପଦା ଓ ରାଇରଙ୍ଗପୁର । ବାରିପଦାରେ ରାଷ୍ଟ୍ରପତିଙ୍କ ହେଲିକପଟର ଅବତରଣର ରିହର୍ସାଲ୍ ସୋମବାର ନୂଆଦିଲ୍ଲୀରୁ ବାହାରି ପ୍ରଥମେ ପଶ୍ଚିମବଙ୍ଗ କଲେଇକୁଣ୍ଡା ବାୟୁସେନା ବିମାନଘାଟିରେ ଅବତରଣ କରିବ ମ୍ୟାଡମ ପ୍ରେସିଡେଣ୍ଟଙ୍କ ବିମାନ ।

ସେଠୁ ଏୟାରଫୋର୍ସ ସ୍ୱତନ୍ତ୍ର ହେଲିକପଟରରେ ଦିନ ୧୧ଟାରେ ବାରିପଦାରେ ଓହ୍ଲାଇବେ ଦେଶର ପ୍ରଥମ ନାଗରିକ । ସିଧା ଯିବେ ସହିଦ ସ୍ମୃତି ଭବନ। ସେଠି ୩୬ତମ ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘ ଅଧିବେଶନରେ ଉଦବୋଧନ ଦେବେ । କିଛି ସମୟ ବାରିପଦା ସର୍କିଟ୍ ହାଉସରେ ବିଶ୍ରାମ ନେବା ପରେ ଅପରାହ୍ଣ ୨ଟା ୩୫ରେ କୁଳିଅଣାରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଲୋକର୍ପଣ କରିବେ । ସେଠୁ ରାଇରଙ୍ଗପୁର ଯିବେ, ୨୧ ତାରିଖରେ ରାଇରଙ୍ଗପୁରରୁ ୩ଟି ନୂଆ ଟ୍ରେନ୍‌ର ଲୋକାର୍ପଣ କରିବେ ।

ତେବେ ବାଦାମପାହାଡ଼ରୁ ରାଇରଙ୍ଗପୁର ଟ୍ରେନ୍ ଯାତ୍ରାବେଳେ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିବେ ରାଷ୍ଟ୍ରପତି । ତାଙ୍କ ସହ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱେଶ୍ୱର ଟୁଡୁ ପ୍ରମୁଖ ସାମିଲ ହେବେ । ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ପାଇଁ କେଉଁଠି ମଞ୍ଚବନ୍ଧା ଶେଷ ତ କେଉଁଠି ସ୍ୱାଗତ ପାଇଁ ଝଲସୁଛି ୱାଲ ପେଣ୍ଟିଂ । ହୋର୍ଡିଂ ଓ ବ୍ୟାନର ବି ଛାଇ ଗଲାଣି । ତେଣେ ମହାମହିମଙ୍କ ଗସ୍ତ କାର୍ଯ୍ୟକ୍ରମର ଟିକନିଖ୍ ତଦାରଖ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଓ ରାଇରଙ୍ଗପୁର ବିଧାୟକ ।

ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ମଣ୍ଡନ କରିବା ପରେ ଦ୍ୱିତୀୟ ଥର ପାଇଁ ରାଇରଙ୍ଗପୁର ଯାଉଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେଠି ବି କିଛି ବିଶିଷ୍ଟ ବ୍ୟକ୍ତିଙ୍କୁ ଭେଟିବେ ଓ ନିଜ ମହୁଲଡିହା ବାସଭବନରେ ରାତ୍ରୀଯାପନ କରିବେ । ମଙ୍ଗଳବାର ଶାଶୁଘର ପାହାଡ଼ପୁରରେ ଦକ୍ଷତା ବିକାଶ କେନ୍ଦ୍ର ଉଦଘାଟନ କରିବାପରେ ସ୍ୱାମୀ ଏବଂ ଦୁଇ ପୁଅଙ୍କ ସ୍ମୃତିରେ ଚାଲିଥିବା ଆବାସିକ ସ୍କୁଲରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ ।

ରାଷ୍ଟ୍ରପତି ଆସୁଥିବାରୁ ଏସଏଲଏସ୍ ଆବାସିକ ସ୍କୁଲ ଛାତ୍ରଛାତ୍ରୀଙ୍କ ମନ ବି କୁଣ୍ଢେମୋଟ । ସେପଟେ ରାଷ୍ଟ୍ରପତିଙ୍କ ଭାଉଜ କହିଛନ୍ତି- ଆଦରର ନଣନ୍ଦଙ୍କୁ ଏଥର ସେ ନିଜ ହାତରେ ମଣ୍ଡା, ଚକୁଳି, ଶାଗ ଓ ସନ୍ତୁଳା ପରଷିବେ ।

ଏସବୁ ଭିତରେ ରାଇରଙ୍ଗପୁରରେ ପୋଷ୍ଟାଲ ଡିଭିଜନକୁ ଉଦଘାଟନ କରିବେ ରାଷ୍ଟ୍ରପତି । ଯାହାଦ୍ୱାରା ବାମନଘାଟି ଉପଖଣ୍ଡ ଅନ୍ତର୍ଗତ ୭ଟି ବ୍ଲକର ଲକ୍ଷ ଲକ୍ଷ ଲୋକଙ୍କୁ ଆଉ ୧୦୦ କିଲୋମିଟର ଅତିକ୍ରମ କରି ବାରିପଦା ଆସିବାକୁ ପଡିବନି । ତେଣୁ ସମଗ୍ର ମୟୂରଭଞ୍ଜ ଜିଲ୍ଲାବାସୀ ମହାମହିମଙ୍କୁ ଆସିବା ବାଟକୁ ଉତ୍କଣ୍ଠାରେ ଅପେକ୍ଷା କରିଛନ୍ତି ।

ବାରିପଦାରୁ ମାଣିକଲାଲ୍ ପାଣିଙ୍କ ସହ ଉଦଳାରୁ ରବୀନ୍ଦ୍ର ନାଏକଙ୍କ ରିପୋର୍ଟ, ଓଟିଭି