• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଓଡ଼ିଶାରେ ମାଟିର ଝିଅ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଞ୍ଚିରୁ ସ୍ୱତନ୍ତ୍ର ହେଲିକପଟରରେ ମୟୂରଭଞ୍ଜ ଆସିବା ସହ ପ୍ରଥମେ ଖିଚିଂ ଯାଇ ମା’ କୀଚକେଶ୍ୱରୀଙ୍କୁ ଦର୍ଶନ କରିଛନ୍ତି । ଏହାପରେ ରାଇରଙ୍ଗପୁର ମହୁଲଡିହାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଲୋକାର୍ପଣ କରି ବାସଭବନକୁ ଯାଇଛନ୍ତି । ମାଡାମ୍ ପ୍ରେସିଡେଣ୍ଟ ଆସନ୍ତା ୨ ତାରିଖ ଯାଏଁ ଓଡ଼ିଶାରେ ରହିବା ସହ କେନ୍ଦୁଝର, କଟକ, ବ୍ରହ୍ମପୁର ଓ ସମ୍ବଲପୁର ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ।

ଉତ୍ସାହ...ଉତ୍କଣ୍ଠା...ଉନ୍ମାଦନା... ନିଜ ମାଟିର ଝିଅ ଆଜି ଯେତେବେଳେ ଦେଶର ରାଷ୍ଟ୍ରପତି, ତାଙ୍କରି ଝଲକଟିଏ ପାଇବା ପାଇଁ ଏବଂ ତାଙ୍କୁ ଅତି ନିକଟରୁ ଦେଖିବାରୁ ସୁଯୋଗ ଯେତେବେଳେ ଆଜି ଆସିଛି କିଏ ବା କାହିଁକି ହାତଛଡ଼ା କରିବ । ସେଥିପାଇଁ ଚଳଚଞ୍ଚଳ ମୟୂରଭଞ୍ଜ ମାଟି... ଢୋଲ, ମାଦଳ, ଘଣ୍ଟଘଣ୍ଟାର ତାଳରେ ଝୁମୁଛନ୍ତି ପ୍ରତ୍ୟେକଟି ମୟୂରଭଞ୍ଜିଆ । ରାଷ୍ଟ୍ରପତି କାରରୁ ଓହ୍ଲାଇବା କ୍ଷଣି ଅପେକ୍ଷାରତ ଲୋକଙ୍କ ଗହଣକୁ ଯାଇ ସାକ୍ଷାତ କରିଥିଲେ । ଆଉ ରାଷ୍ଟ୍ରପତିଙ୍କୁ ପାଖରୁ ପାଇ ଖିଚିଂବାସୀ ବି ବେଶ୍ ଖୁସି ପ୍ରକାଶ କରିଛନ୍ତି ।

ଖିଚିଂର ଅଧିଷ୍ଠାତ୍ରୀ ଦେବୀ ମା’ କିଚକେଶ୍ୱରୀଙ୍କ ଦର୍ଶନରୁ ୪ ଦିନିଆ ଓଡ଼ିଶା ଗସ୍ତ ଆରମ୍ଭ କରିଛନ୍ତି ମହାମହିମ । ୧୯୩୪ରେ ମୟୂରଭଞ୍ଜ ରାଜାଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ମନ୍ଦିରକୁ ଯାଇ ମା’ଙ୍କ ପାଖରେ ସ୍ୱତନ୍ତ୍ର ପୂଜା ସହ ଆଳତୀ କରିଥିଲେ । ପରେ ଚନ୍ଦ୍ରଶେଖର ମହାଦେବଙ୍କ ପୂଜାର୍ଚ୍ଚନା କରି କଦଳୀ ପତ୍ରରେ ଅନ୍ନପ୍ରସାଦ ସେବନ କରିଥିଲେ । ସାଙ୍ଗରେ ଥିଲେ ରାଷ୍ଟ୍ରପତିଙ୍କ ଝିଅଙ୍କ ସହ ରାଜ୍ୟପାଳ ରଘୁବର ଦାସ । କନିକା, ଡାଲି, ବେସର, ଶାଗ ଓ ଖିରି ଆଦି ସେବନ କରିଥିଲେ ସମସ୍ତେ ।

ଏହାପରେ ରାଷ୍ଟ୍ରପତିଙ୍କର କୀଚକେଶ୍ୱରୀ ମନ୍ଦିରରେ ଥିବା ସଂଗ୍ରହାଳୟ ବୁଲିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ତାହା ବନ୍ଦ ଥିବାରୁ ବଞ୍ଚିତ ହେଲେ ରାଷ୍ଟ୍ରପତି । କରଞ୍ଜିଆ ଉପ ଜିଲ୍ଲାପାଳଙ୍କ କହିବା କଥା, ନବୀକରଣ କାର୍ଯ୍ୟ ଚାଲିଥିବାରୁ ମ୍ୟୁଜିୟମ ବନ୍ଦ ରହିଛି ।

ଖିଚିଂରୁ ରାଇରଙ୍ଗପୁର ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । କେନ୍ଦ୍ରୀୟ ବିଦ୍ୟାଳୟ ପାର୍ଶ୍ୱରେ ‘ହଲି ଡେ ହୋମ’ର ଭିତ୍ତିପ୍ରସ୍ତର ସହ ଭର୍ଚୁଆଲ ମୋଡ଼ରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି । ତା’ ମଧ୍ୟରେ ରହିଛି, ରାଇରଙ୍ଗପୁରରେ NH ୨୨୦ର ଡବଲ୍ ଲେନ ବିଶିଷ୍ଟ ବାଇପାସ୍ ରୋଡ୍ ନିର୍ମାଣ, ରାଇରଙ୍ଗପୁର-ଯଶିପୁର ଜାତୀୟ ରାଜପଥର ପ୍ରଶସ୍ତିକରଣ, ବାଇଦାପୋଷି ସ୍ଥିତ ସ୍ପୋର୍ଟ କମ୍ପ୍ଲେକ୍ସ, ଆଦିବାସୀ ରିସର୍ଚ୍ଚ ସେଣ୍ଟରର ଶିଳାନ୍ୟାସ ଏବଂ ବଡ଼ସାହି ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ । ଏହି କାର୍ଯ୍ୟକ୍ରମ ସାରି ମହୁଲଡିହା ସ୍ଥିତ ବାସଭବନରେ ରାତ୍ରୀଯାପନ ପରେ ଆସନ୍ତାକାଲି କେନ୍ଦୁଝର ଯିବେ ରାଷ୍ଟପତି ।

ମାର୍ଚ୍ଚ ୨ ଯାଏଁ ଓଡ଼ିଶାରେ ରହିବେ ମହାମହିମ । ଆସନ୍ତାକାଲି କେନ୍ଦୁଝର ଯାଇ ଗୋନାସିକା କଦଳୀବାଡ଼ି ଗାଁର ଆଦିମ ଅଧିବାସୀ ସଦସ୍ୟଙ୍କୁ ଭେଟିବେ । ପରେ ଧରଣୀଧର ୟୁନିଭର୍ସିଟିର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ । ସେଇଠୁ ଫେରି ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି । ମାର୍ଚ୍ଚ ୧ରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ, କଟକରେ ବ୍ରହ୍ମକୁମାରୀ ଓଡ଼ିଶାର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଏବଂ ରାଜଭବନରେ ପ୍ରଧାନମନ୍ତ୍ରୀ ଜନମନର ଉପସ୍ଥାପନା ଦେଖିବେ । ମାର୍ଚ୍ଚ ୨ରେ ସମ୍ବଲପୁର ଜିଲ୍ଲା ଗସ୍ତରେ ଯାଇ ସନ୍ଥକବି ଭୀମଭୋଇଙ୍କ ସହ ଜଡ଼ିତ ବିଭିନ୍ନ ସ୍ଥାନ ପରିଦର୍ଶନ କରି ମହିମା ଧର୍ମାବଲମ୍ବୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।