• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନିମନ୍ତ୍ରଣ ଦିଆଯିବା ପରେ ଆଜି ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜଙ୍କୁ ନିମନ୍ତ୍ରଣ କରାଯିବ । ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପରିଚାଳନା କମିଟି ସଦସ୍ୟ ମାନେ ମଧ୍ୟପ୍ରଦେଶର ଉଜ୍ଜୟନୀ ଯାତ୍ରା କରିବେ । ସେଠାରେ ଜଗତଗୁରୁଙ୍କ ସହ ବିସ୍ତୃତ ଭାବରେ ପରିକ୍ରମା ପ୍ରକଳ୍ପର ଯଜ୍ଞ ଓ ହୋମ ଆଦି ବିଧି ବିଧାନ ସମ୍ପର୍କରେ ଆଲୋଚନା କରାଯିବ ।

ପରେ ପରେ ଭାରତବର୍ଷର ୪ ଧାମ, ୧୨ ଜ୍ୟୋତିର୍ଲିଙ୍ଗ, ଭାରତ ବର୍ଷର ବିଭିନ୍ନ ଶୈବପୀଠ, ଜଗନ୍ନାଥ ମନ୍ଦିର ଓ ବିଭିନ୍ନ ମନ୍ଦିରର ମୁଖ୍ୟ ପୂଜକଙ୍କୁ ନିମନ୍ତ୍ରଣ ପାଇଁ ସେବାୟତ ମାନେ ଯାତ୍ରା କରିବେ । ଆଗାମୀ ୨୬ ତାରିଖରୁ ଲିଙ୍ଗରାଜ ମନ୍ଦିର ସମ୍ମୁଖରୁ ଆରମ୍ଭ ହେବ ଯାତ୍ରା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯାତ୍ରାର ଶୁଭାରମ୍ଭ କରିବେ ।

ଗତକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚରଣରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ସମ୍ପର୍କିତ ନିମନ୍ତ୍ରଣ ପତ୍ର ଅର୍ପଣ କରାଯିବା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ଯାଇଥିଲା । ଏଥିରେ ଶ୍ରୀମନ୍ଦିର ଐତିହ୍ୟ ସହ ଅଙ୍ଗାଅଙ୍ଗୀ ଭାବେ ଜଡିତ ସ୍ଥାନକୁ ଏକତ୍ରୀକରଣ ଯୋଜନା ଏବଂ ଏହାର ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ନେଇ ଆଲୋଚନା କରାଯାଇଥିଲା ।

ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପରିଚାଳନା କମିଟି ସଦସ୍ୟ ଓ ମଠର ମହନ୍ତ ମହାରାଜ ସଂସ୍କୃତି ଗବେଷକମାନେ ଯୋଗଦାନ କରିଥିଲେ । ବୈଠକରେ ଶ୍ରୀଜଗନ୍ନାଥ ତତ୍ତ୍ବ, ଗବେଷଣା, ପ୍ରକାଶନ ଓ ପ୍ରସାର ଉପ- ସମିତି ଅନ୍ତର୍ଗତ "ଐକ୍ୟ ସ୍ଥାପନ ସଂଯୋଜନା ମଣ୍ଡଳୀ’ର ଏହି ବୈଠକରେ ଆଲୋଚନା କରାଯାଇଥିଲା । ବୈଠକରେ ୪ଟି ମଣ୍ଡଳୀ ଗଠନ କରାଯାଇଛି ।