Advertisment

ଦଉଡ଼ିରେ ଝୁଲି ଝୁଲି ନଈ ପାରିହେଲେ ଗର୍ଭବତୀ

ଅପହଞ୍ଚ ଇଲାକା ପାଇଁ ଦେବଦୂତ ସାଜିଲେ ଅଗ୍ନିଶମ ବାହିନୀ

author-image
Chandan Shishu
ଅଦ୍ୟତନ ହୋଇଛି
Pregnant Lady Carried Across in a rope

Pregnant Lady Carried Across in a rope

ଏକ ଦଉଡ଼ି ସାହାଯ୍ୟରେ ଜଣେ ଗୁରୁତର ଗର୍ଭବତୀ ମହିଳାଙ୍କୁ ଉଛୁଳା ନଈ ପାରି କରାଇଲେ ଅଗ୍ନିଶମ ବାହିନୀ। କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ ତାଳପଦା ପଞ୍ଚାୟତରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଏ ଦୃଶ୍ୟ ଯେତିକି ଉଦବେଗଜନକ, ସେତିକି ମର୍ମସ୍ପର୍ଶୀ ମଧ୍ୟ। ଉଛୁଳା ନଈରେ ପ୍ରଖର ସୁଅ, ତା ଉପର ଦେଇ ଲମ୍ବିଛି ଦଉଡ଼ି। ଆଉ ସେଥିରେ ଝୁଲି ଝୁଲି ନଈ ପାରି ହେବାକୁ ପଡ଼ୁଛି ଜଣେ ଯନ୍ତ୍ରଣାରେ ଛଟପଟ ଗର୍ଭବତୀ ମହିଳାଙ୍କୁ। 

Advertisment

ଆଜିର ଯୁଗରେ ବି ଯେ ଏଭଳି ଅପହଞ୍ଚ ଇଲାକା ବିକାଶର ଦୃଷ୍ଟି ଆଢ଼ୁଆଳରେ ରହିଛି, ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଆଉ ଲଜ୍ଜା ବି ଲାଗେ।ତାଳପଦା ପଞ୍ଚାୟତ ମୁଣ୍ଡାସାହିକୁ ରାସ୍ତା ଖଣ୍ଡେ ନଥିବାରୁ, ତେଲକୋଇ ଅଗ୍ନିଶମ ବାହିନୀ ସହାୟତାରେ ଏଭଳି ବିପଦ ସଂକୁଳ ଅବସ୍ଥାରେ ସମାକୋଇ ନଦୀ ପାରି ହୋଇଛନ୍ତି ୩ ମାସର ଗର୍ଭବତୀ ବାସନ୍ତି ମହାରଣା।

ଗତକାଲି ସନ୍ଧ୍ୟାରେ ତାଙ୍କ ପେଟ ଭୀଷଣ ଯନ୍ତ୍ରଣା ହୋଇଥିଲା, ଆଉ ଆଜି ସକାଳୁ ସେ ଗୁରୁତର ହୋଇଯାଇଥିଲେ। ଏଣେ ଅସମ୍ଭବ ଯନ୍ତ୍ରଣା, ତେଣେ ଉଛୁଳା ନଈ। ମେଡିକାଲକୁ ଯିବାର ବାଟ ନାହିଁ। ଏଭଳି ସ୍ଥିତିରେ ଅଗ୍ନିଶମ ବାହିନୀ ଦେବଦୂତ ସାଜି ମହିଳାଙ୍କୁ ନଈ ପାରି କରାଇବା ସହିତ ତେଲକୋଇ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ମହିଳାଙ୍କ ଅବସ୍ଥା ଆହୁରି ସଂକଟାପନ୍ନ ହେବାରୁ ତାଙ୍କୁ କେନ୍ଦୁଝର ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

Advertisment

ପ୍ରଶ୍ନ ଉଠୁଛି, ଏଇ କଣ ଆମ ପ୍ରଶାସନର ପାରିବା ପଣିଆ? ଏଭଳି ଦୁର୍ଗମ ଅଞ୍ଚଳରେ ରହୁଥିବା ମଣିଷମାନେ କଣ ନାଗରିକ ନୁହଁନ୍ତି? ସେମାନଙ୍କର କଣ ରାସ୍ତା କି ପୋଲ ଭଳି ମୌଳିକ ଭିତ୍ତିଭୂମି ସହ ବଞ୍ଚିବାର ଅଧିକାର ନାହିଁ? ତେବେ ଏନେଇ ସ୍ଥାନୀୟ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ।   

River Pregnant Lady
Advertisment
Advertisment