• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରାଜଧାନୀରେ ଦଲାଲଙ୍କ ନଜରରେ ଖାଲି ପଡିଥିବା ସରକାରୀ ଜମି । ଟିକେ ସୁବିଧା ପାଇଲେ ଜବରଦଖଲ କରୁଛନ୍ତି । ଆଉ ପରେ ନୀରିହ ଲୋକଙ୍କୁ ସତମିଛ କହି ବିକ୍ରି କରୁଛନ୍ତି । ଏପରି ଘଟଣା ସାମ୍ନାକୁ ଆସିଛି ଭୁବନେଶ୍ୱର ଉପକଣ୍ଠ ଶାମପୁର ମୌଜାରେ । ଶହ ଶହ ଏକର ସରକାରୀ ଜମି ଉପରେ ଦଲାଲଙ୍କ ଆଖି ଥିବା ଜାଣି ଏବେ ସକ୍ରିୟ ହୋଇଛି ବିଡିଏ । ଏପଟେ ବିରୋଧୀ କଂଗ୍ରେସ ଓ ବିଜେପିର ଅଭିଯୋଗ ସରକାରଙ୍କ ଛତ୍ରଛାୟା ତଳେ ରହି ଏପରି କରୁଛନ୍ତି ଦଲାଲ ।

ବିପଦରେ ସରକାରୀ ଜମି । ଜମି ଦଲାଲଙ୍କ ନଜରରେ ସରକାରୀ ସଂପତ୍ତି । ଦିନ ଦ୍ୱିପହରେ ଆଖିରେ ଆଙ୍ଗୁଠି ଗୁଞ୍ଜି ବିକୁଛନ୍ତି ଦଲାଲ । ଦଲାଲଙ୍କ ହାତରେ ଫସୁଛନ୍ତି ନିରିହ ଲୋକ । ଭୁବନେଶ୍ୱର ଶାମପୁର ଅଞ୍ଚଳରେ କାହାକୁ ହଜାର ତ କାହାକୁ ଲକ୍ଷେରେ ବିକ୍ରି ହୋଇଛି ସରକାରୀ ପ୍ଲଟ । ପ୍ଲଟିଂ ହୋଇଛି, ଘର ବି ହୋଇଛି । ଗୋଟିଏ କି ଦୁଇଟି ନୁହେଁ ଏକର ଏକର ଜାଗାରେ ଦଲାଲଙ୍କଠୁ ପ୍ଲଟ୍ କିଣି ଘର କରିଛନ୍ତି ଲୋକେ । ଯଦିଓ ଜମି କିଣାବିକା ସମୟରେ କାଗଜପତ୍ର ହୋଇନି କିନ୍ତୁ ଟଙ୍କା ଦେଇ କିଣିଥିବା ସ୍ୱୀକାର କରିଛନ୍ତି ଲୋକେ ।

ସେହିପରି ବିଡିଏ ଜାଗାକୁ ଲାଗି ରହିଥିବା ସରକାରଙ୍କ ଭୂଦାନ ସଂପତ୍ତି ମେଳା କିମ୍ବା ହାଟର ଭ୍ରମ ସୃଷ୍ଟି କରୁଛି । ସରକାରୀ ଜାଗା ମାଗଣାରେ ମିଳୁଥିବା ଖବର ପ୍ରଚାର ହେବା ପରେ ଆଖପାଖ ଅଞ୍ଚଳର ଲୋକେ ସେହି ସ୍ଥାନକୁ ଅକ୍ତିଆର କରିଛନ୍ତି । କିଏ କପଡା ତ ଆଉ କିଏ ଦଉଡି ବାନ୍ଧି କିଛି କିଛି ଅଞ୍ଚଳ ଜବରଦଖଲ କରିଛନ୍ତି । ଜଙ୍ଗଲ ଓ ଖୋଲା ପଡିଆରେ ଯିଏ ଯେଉଁଠି ପାଇଛି ଘେରା ବୁଲାଇଛି । ପଚାରିଲେ ଉତ୍ତର ମିଳୁଛି ବର୍ଷ ବର୍ଷ ଧରି ବସ୍ତିରେ ଭଡା ରହିଲୁ । ଜାଗା ମିଶନରେ କିଛି ମିଳିଲାନି । ସେଥିପାଇଁ ଯେଉଁଠି ପାଇଲୁ ସେଇଠି ରହିବୁ ।

ଏଠି ପ୍ରଶ୍ନ ଜବର ଦଖଲରେ ଥିବା ଏ ସମସ୍ତ ଜମି କାହାର ? ସରକାରୀ ଜମି ଜବରଦଖଲ ଉଦ୍ୟମ କରୁଥିବା ଲୋକଙ୍କ ପଛରେ କାହାର ହାତ ରହିଛି ? ଦୀର୍ଘ ଦିନ ଧରି ଏହି ପ୍ରକ୍ରିୟା ଚାଲିଥିବା ବେଳେ ସରକାରଙ୍କ ପାଖେ ଏ ଖବର ଅଛି କି ନାହିଁ ? ତେବେ ବିଡିଏ କହିବା ଅନୁସାରେ ଶାମପୁର ମୌଜାରେ ବିଡିଏର ପ୍ରାୟ ୬୦ ଏକରରୁ ଅଧିକ ଜାଗା ରହିଛି । କାଳକ୍ରମେ ସେହି ଜାଗାରେ ଅନଧିକୃତ ପ୍ରବେଶ ବା ଜବରଦଖଲ କରାଯାଇଛି । ସେହି ଜାଗାରେ କିଛି ବେଆଇନ ନିର୍ମାଣ ଶେଷ ହୋଇଥିବା ବେଳେ ଆଉ କିଛି ନିର୍ମାଣ ଚାଲିଛି । ଏ ନେଇ ୧୮ ଜଣଙ୍କୁ ନୋଟିସ କରିଛି ବିଡିଏ ।

ଖୁବ୍‌ଶୀଘ୍ର ଯାଞ୍ଚ କରାଯାଇ ଅନ୍ୟ ବେଆଇନ ନିର୍ମାଣ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛି ବିଡିଏ । ସେପଟେ ଏହାକୁ ନେଇ ତେଜିଛି ରାଜନୀତି । କେବଳ ସାମପୁର ନୁହେଁ ବରଂ ସରକାରଙ୍କ ଜାଗା ମିଶନ ଯୋଜନା ରେ ଘର ପାଇନଥିବା ଲୋକେ ବାସସ୍ଥାନ ପାଇଁ ବିଭିନ୍ନ ସରକାରୀ ଜାଗା କୁ ଜବରଦଖଲ କରି ଘର କରୁଛନ୍ତି । ଆଉ ଏହାର ଫାଇଦା ଉଠାଇ ଜମି ଦଲାଲ ସକ୍ରିୟ ହେଉଛନ୍ତି ।

  • Reported by:
  • BIBARTAN PANDA