• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କଟକ ବିଡ଼ାନାସୀ ପୋଲିସ ହସ୍ପିଟାଲର ଝାଡୁଦାର ଧନୀ ନାୟକଙ୍କୁ ନେଇ ଏବେ ଚର୍ଚ୍ଚା । ଧନୀ ନାୟକ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ । ତାଙ୍କୁ ପୋଲିସ ଡିଜି ଅରୁଣ କୁମାର ଷଡ଼ଙ୍ଗୀ କୁଣ୍ଢେଇ ପକାଇବା ପରେ ଧନୀ ନାୟକ ଭାବବିହ୍ୱଳ ହୋଇପଡିଥିଲେ । ରାଜ୍ୟ ପୋଲିସ ବିଭାଗର ମୁଖିଆ ଆଲିଙ୍ଗନ କରିବା ପରେ ଧନୀଙ୍କ ଆଖି ଲୁହରେ ବତୁରି ଯାଇଥିଲା ।

ଜଣେ ତଳିଆ କର୍ମଚାରୀଙ୍କ ପାଇଁ ପୋଲିସ ବିଭାଗ ମୁଖ୍ୟଙ୍କର ଏପରି ସମ୍ମାନ କେବେ ମଧ୍ୟ ଦେଖିବାକୁ ମିଳିନଥିଲା ବୋଲି ପୋଲିସ ମୁଖ୍ୟାଳୟରେ ଚର୍ଚ୍ଚା ଚାଲିଛି । ନିଜ କାର୍ଯ୍ୟକାଳରେ ଅନେକ ଆଇପିଏସ ଅନେକ ଅଫିସରଙ୍କ ପ୍ରକୋଷ୍ଠ ଝାଡ଼ୁ କରିଛନ୍ତି ଧନୀ । କିନ୍ତୁ ତାଙ୍କୁ ଯେ ଦିନେ ପୋଲିସ ଡିଜି ଏପରି ସମ୍ମାନ ଜଣାଇବେ ସେ ତାହା ସ୍ୱପ୍ନରେ ମଧ୍ୟ କେବେ କଳନା କରିନଥିବେ ।

ଦୀର୍ଘ ବର୍ଷ ଧରି କଟକ ବିଡ଼ାନାସୀ ପୋଲିସ ହସ୍ପିଟାଲର ଝାଡୁଦାର ତଥା ସୁଇପର୍ ଭାବେ ଯୋଗାଇ ଆସୁଥିଲେ ନିରନ୍ତର ସେବା । ଏବେ ଚାକିରୀରୁ ଅବସର ନେଇଛନ୍ତି । ଅବସରକାଳୀନ ସମ୍ବର୍ଦ୍ଧନା ବେଳେ ଶ୍ରଦ୍ଧା ଏବଂ ସମ୍ମାନ ସ୍ୱରୂପ ଏଭଳି କୋଳେଇ ନେଇ ବିଦାୟ ଜଣାଇଛନ୍ତି ଡିଜିପି ଅରୁଣ କୁମାର ଷଡ଼ଙ୍ଗୀ ।

ଏହି ସମୟରେ ଆତ୍ମହରା ହୋଇ କେବଳ ଯେ ଧନୀ ନାୟକଙ୍କ ଆଖି ଲୁହ ଛଳଛଳ ହୋଇଥିଲା ତା’ନୁହେଁ, ଡିଜିପି ମଧ୍ୟ ଭାବବିହ୍ୱଳ ହୋଇଥିଲେ । ଝାଡ଼ୁଦାର ହୋଇ ମଧ୍ୟ ପୋଲିସ ଡିଜି ଯେପରି ସମ୍ମାନ ଜଣାଇଛନ୍ତି ତାହା ତାଙ୍କର ଶେଷ ପର୍ଯ୍ୟନ୍ତ ମନେ ରହିବ । ଏହା ସହ ତାଙ୍କ ପରିବାରରେ ମଧ୍ୟ ଏପରି ସମ୍ମାନ ପାଇବା ପରେ ଖୁସି ଖେଳିଯାଇଛି ।

ଅନ୍ୟପଟେ ପୋଲିସ ବିଭାଗ ତରଫରୁ ମଧ୍ୟ ତାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।