• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଗରିବ ଓ ଅସହାୟଙ୍କୁ ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଜୁ ପକ୍କାଘର ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରିଛନ୍ତି । ହେଲେ ତଳସ୍ତରରେ ଯୋଗ୍ୟ ହିତାଧିକାରୀ ରହିଛନ୍ତି ଯେଉଁମାନଙ୍କର ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ଘର ଖଣ୍ଡିଏ ମିଳିନି ।

ଏମିତି ଜଣେ ଗରିବ ଅସହାୟ ବୃଦ୍ଧ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ କଳସପୁର ପଞ୍ଚାୟତ ଜେନାବଳି ଗାଁର ଭାଗିରଥୀ ଦାସ । ନିଜ ଭେଣ୍ଡିଆ ପୁଅ ଓ ସ୍ତ୍ରୀକୁ ହରାଇବା ପରେ ଏବେ ଭଙ୍ଗା ଘରେ ଦିନ କାଟୁଛନ୍ତି ।

ଚାଳ ଛପର ଘର, କେଉଁଠି ମାଟି କାନ୍ଥ ଫାଟି ଆଁ କରିଛି ତ ଆଉ କେଉଁଠି ଚାଳ ଛପର ନଇଁ ପଡ଼ିଲାଣି । ଏହି ଭଙ୍ଗାଦଦରା ଚାଳ ଛପର ଘରେ ବର୍ଷ ବର୍ଷ ଧରି ରହିଆସୁଛନ୍ତି ଆଳି ବ୍ଲକ ଜେନାବଳି ଗାଁର ଅସହାୟ ଭାଗିରଥୀ ଦାସ । ପ୍ରଥମେ ଭେଣ୍ଡିଆ ପୁଅ ଓ ପରେ ପରେ ସ୍ତ୍ରୀ ଆରପାରିକୁ ଚାଲିଗଲେ ।

ଏବେ ଏକା ଭଙ୍ଗାଦଦରା ଘରେ ରହୁଛନ୍ତି ଭାଗିରଥୀ । ବୃଦ୍ଧ ବୟସରେ ଏବେ ବି ମୁଲ ଲାଗି ପେଟପାଟଣା ଚଳାଉଛନ୍ତି । ଆବାସ ଯୋଜନାରେ ଘର ଲାଗି ଯୋଗ୍ୟ ଭାଗିରଥୀ, ହେଲେ ତାଙ୍କ ଭାଗ୍ୟ ଦେଖ ୧୩ ବର୍ଷ ହେବ ବାର ଦୁଆର ଶୁଣ୍ଢିପିଣ୍ଡା ହେଉଛନ୍ତି । ଏଠି ପ୍ରଶ୍ନ ଉଠୁଛି ସମସ୍ତ ଯୋଗ୍ୟ ହିତାଧିକାରୀ ହୋଇକି ବି କାହିଁକି ଭାଗିରଥୀଙ୍କୁ ମିଳୁନି ପକ୍କାଘର ।

୨୦୧୧ ଜନ ଗଣନା ସର୍ଭେ ତାଲିକାରେ ଚାଳଘର ଥିବା ସତ୍ତ୍ୱେ ଭାଗିରଥୀଙ୍କୁ ମିଳିନି ଘର । ବାରମ୍ବାର ଆବେଦନ କରୁଛନ୍ତି ହେଲେ ହତାଶ ହେଉଛନ୍ତି । ଆଉ ଘର ଥିବା ଲୋକେ ଘର ପାଉଥିବା ନଜରକୁ ଆସିଛି । ଏ ନେଇ ଆମେ ପିଡି ଡିଆରଡିଏଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ ।

ଏନେଇ ଅନେକ ଅଭିଯୋଗ ଆସିଛି, ତଦନ୍ତ କରାଯାଇ ଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ଅନୁଦାନ ଯୋଗାଯିବ ବୋଲି ସେ କହିଛନ୍ତି । ଦୀର୍ଘ ୧୩ ବର୍ଷ ହେବ ନିଜ ଭାଗ୍ୟକୁ ଆଦରି ବସିଛନ୍ତି ଭାଗିରଥି, ଦେଖାଯାଉ ଆବାସ ଯୋଜନାରେ କେବେ ଭାଗିରଥୀଙ୍କ ଭାଗ୍ୟ ଚମକୁଚି, ଆଉ ସେ ପକ୍କା ଘରଟିଏ ପାଉଛନ୍ତି ।

  • Reported by:
  • Banamali Sahoo , PRABIR KUMAR NAYAK