• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଅନ୍ୟ ବିଭାଗ ଭଳି ସ୍ୱାସ୍ଥ୍ୟ ବିଭାଗ ଫାଇଭ୍-ଟି ଅଧିନକୁ ଆସିବା ପରେ ଲୋକଙ୍କ ଆଶାଥିଲା ପୂର୍ବାପେକ୍ଷା ଅଧିକ ସକ୍ରିୟ ଓ ସେବା ଅଭିମୁଖୀ ହେବ ଗ୍ରାମାଞ୍ଚଳ ମେଡିକାଲ । ଲୋକଙ୍କ ସ୍ୱାସ୍ଥ୍ୟସେବା ଆବଶ୍ୟକତାକୁ ତତ୍କାଳ ପୂରଣ କରିବ । ହେଲେ ରାଜଧାନୀଠୁ ଅନତି ଦୂରରେ ଥିବା ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ମେଡିକାଲ ଉପରେ ଥରେ ଆଖି ବୁଲାଇ ଆଣିଲେ, ସେ ଧାରଣା ଦୂରେଇ ଯିବ ।

ଫାର୍ମାସିଷ୍ଟ ଦେଖୁଛନ୍ତି ରୋଗୀ, ସୁଇପର ମାପୁଛନ୍ତି ବ୍ଲଡ ପ୍ରେସର ଆଉ ଆଟେଣ୍ଡାଣ୍ଟ ଦେଉଛନ୍ତି ଇଞ୍ଜେକ୍ସନ । ଫାଇଭ୍ ଟି ଅଧିନରେ ଆସୁଥିବା ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର ଖୋଦ୍ ରାଜଧାନୀ ସନ୍ନିକଟ ଖୋର୍ଦ୍ଧ ଜିଲ୍ଲାରେ ଦେଖିବାକୁ ମିଳିଛି । ମାସ ମାସ ଓ ବର୍ଷ ବର୍ଷ ଧରି ଡାକ୍ତର ଅଭାବରୁ ଦୟନୀୟ ସ୍ଥିତିରେ ଗତି କରୁଛି ଖୋର୍ଦ୍ଧା ଜିଲ୍ଲାରେ ଏକାଧିକ ମେଡିକାଲ । ଏ ଚିତ୍ର ଦେଉଳି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର । ଏଠି ଦୁଇ ଜଣ ଡାକ୍ତର, ଜଣେ ଫାର୍ମାସିଷ୍ଟ, ଏଏନଏମଙ୍କ ସହ ଅନ୍ୟ ସପୋର୍ଟିଂ ଷ୍ଟାଫ୍ ଅଛନ୍ତି । କିନ୍ତୁ ରୋଗୀ ଦେଖିବା ବେଳକୁ ଡାକ୍ତରଙ୍କ ଦେଖା ନାହିଁ ।

ତେଣୁ ବାଧ୍ୟ ହୋଇ ରୋଗୀ ଦେଖୁଛନ୍ତି ଫାର୍ମାସିଷ୍ଟ, ତାଙ୍କ ଭରସାରେ ଚାଲିଛି ପୂରା ମେଡିକାଲ । ଖୋର୍ଦ୍ଧା ଡାଳତୋଳା ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଛନ୍ତି, ହେଲେ ଫାର୍ମାସିଷ୍ଟ ଆସୁନାହାନ୍ତି । ଫଳରେ ତାଙ୍କ ସ୍ଥାନ ନେଇଛନ୍ତି, ଜଣେ ସୁଇପର । ଏମିତିକି ରୋଗୀଙ୍କ ରକ୍ତଚାପ ମାପିବା କାମକୁ ବି ରୀତିମତ ତୁଲାଇ ଦେଉଛନ୍ତି ଏହି ଚତୁର୍ଥ ଶ୍ରେଣୀ କର୍ମଚାରୀ । ସେହିଭଳି ଗୌଡନୂଆଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ବି ମେଡିକାଲ ଆଉଟ୍ ଡୋରରେ କେବେ ଡାକ୍ତରଙ୍କ ପାଦ ପଡ଼େନି କି ଡାକ୍ତରଙ୍କୁ ଭେଟିବାର ଯୋଗ ରୋଗୀଙ୍କ ଭାଗ୍ୟରେ ଜୁଟେନି । ଡାକ୍ତରଙ୍କ ଅନୁପସ୍ଥିତିରେ ଫାର୍ମାସିଷ୍ଟ ଓ ରୋଗୀଙ୍କୁ ସାହାଯ୍ୟ ପାଇଁ ଥିବା ୱାର୍ଡ ଆଟେଣ୍ଡାଣ୍ଟ୍ ହିଁ ସବୁ କାମ ତୁଲାଇ ଦିଅନ୍ତି । ଏମିତିକି ରୋଗୀଙ୍କୁ ଇଞ୍ଜେକ୍ସନ ଦେବାର କାମ ବି ଚଳାଇ ନିଅନ୍ତି ୱାର୍ଡ ଆଟେଣ୍ଡାଣ୍ଟ୍ ।

ସାଧାରଣ ଲୋକଙ୍କୁ ଉତ୍କୃଷ୍ଟ ସ୍ୱାସ୍ଥ୍ୟ ସେବାର ଏଇ ଦୁଇ ତିନିଟି ଚିତ୍ର ନୁହେଁ, ଜିଲ୍ଲାର ଯେଉଁ ଆଡ଼କୁ ଆଖି ବୁଲାଇବେ ସବୁଠି, ସ୍ୱାସ୍ଥ୍ୟସେବାର ଏ ବିଚିତ୍ର ନୀତି କାମ କରୁଥିବା ନଜର ଆସିବ । ତାଳତୁମ୍ବ ହେଉ କି ପରିଛଳ ପ୍ରାଥମିକ ସ୍ୱାସ୍ଥ୍ୟ ହେଉ, ସବୁଠି ଡାକ୍ତରଙ୍କ ସ୍ଥାନରେ ଫାର୍ମାସିଷ୍ଟ, ଫାର୍ମାସିଷ୍ଟଙ୍କ ସ୍ଥାନରେ ଆଟେଣ୍ଡାଣ୍ଟ କିମ୍ବା ସୁଇପର ସେମାନଙ୍କ କାମ ସେବା ପରମ୍ପାରାକୁ ବଞ୍ଚାଇ ରଖିଛନ୍ତି । ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ବର୍ଷ ବର୍ଷ ଧରି ଏ ବ୍ୟବସ୍ଥା ସକ୍ରିୟ ଥିଲେ ବି ପାଟି ଖୋଲିବାକୁ କେହିଁ ନାହିଁ । ସେପଟେ ଘଟଣା ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀଙ୍କୁ ପଚାରିବାରୁ, ସେ କହିଛନ୍ତି ଅଭିଯୋଗର ତଦନ୍ତ ହେବ ।

 

 

  • Reported by:
  • BALRAM LENKA