• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସୁବର୍ଣ୍ଣପୁର: ବିଲରେ ଭାସୁଛି ପେଟ୍ରୋଲ । ଆଉ ଲୋକେ ବେଲା, ଗିନା, ବାଲ୍‌ଟିରେ ବୋହି ନେଉଛନ୍ତି ଘରକୁ । ଏହି ଘଟଣା ଏବେ ପୁରା ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି । ତେବେ କେଉଁଠୁ ଆସିଲା ଏହି ପେଟ୍ରୋଲ । 

ସୂଚନାଯୋଗ୍ୟ, ରାସ୍ତାରେ କଡ଼ରେ ଏକ ପେଟ୍ରୋଲ ଟ୍ୟାଙ୍କର ଓଲଟି ପଡ଼ିଥିଲା । ଆଉ ସେଥିରୁ ପେଟ୍ରୋଲ ନିଗିଡ଼ି ତଳେ ଅଜାଡ଼ି ହୋଇଥିଲା । ଯାହାକୁ ଲୋକ ବୋହି ନେଇଛନ୍ତି । ସୁବର୍ଣ୍ଣପୁର ବରପାଲ୍ଲି ମୁଖ୍ୟରାସ୍ତାର ଦାନୀପାଲି ଛକରେ ଘଟିଛି ଏଭଳି ଦୁର୍ଘଟଣା । ଆଜି ପ୍ରାୟ ଭୋର ସମୟରେ ଟ୍ୟାଙ୍କରଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଲୋକମାନେ ବାଲ୍‌ଟି ତଥା ଘାରର ବାସନ କୁସନ ସାହାଯ୍ୟରେ ପେଟ୍ରୋଲ ବୋହି ନେଇଛନ୍ତି ।

ଖାଲି ସେତିକି ନୁହେଁ ଲୋକମାନେ ବିଲ ପାଣିରେ ଗାମୁଛା ବୁଡ଼ାଇ ତାକୁ ଚିପୁଡ଼ି ବିଲରୁ ପେଟ୍ରୋଲ ସଂଗ୍ରହ କରିଛନ୍ତି । ଯାହାକୁ ଦେଖି ଅନ୍ୟ ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି ।ଟ୍ୟାଙ୍କରଟି ଝାରସୁଗୁଡ଼ାରୁ କୋରାପୁଟକୁ ଯାଉଥିବା ନେଇ ସୂଚନା ରହିଛି । ତେବେ ପେଟ୍ରୋଲ ଦର ଏବେ ସାଧାରଣ ଲୋକଙ୍କୁ କନ୍ଦାଉଥିବା ବେଳେ ଏଭଳି ସ୍ଥିତି ତାଙ୍କୁ ଆନନ୍ଦ ଦେଇଛି କିଛି ସ୍ଥାନୀୟ ଲୋକ ତାଚ୍ଛଲ୍ୟ କରି କହିଛନ୍ତି । ସବୁଠାରୁ ବଡ଼ କଥା ହେଲା ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ମଧ୍ୟ ଲୋକମାନେ ପେଟ୍ରୋଲ ବୋହିବା ବନ୍ଦ କରିନଥିଲେ ।

ତେବେ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ଡ୍ରାଇଭର ଓ ହେଲପର ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପେଟ୍ରୋଲ ‍ବୋଝେଇ ଟ୍ୟାଙ୍କରଟି ଆଜି ସକାଳେ ଝାରସୁଗୁଡ଼ାରୁ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଅଭିମୁଖେ ଯାଉଥିଲେ । ରାସ୍ତା ଖରାପ ଥିବାରୁ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ବୋଲି ଟ୍ୟାଙ୍କର ଡ୍ରାଇଭର ପକ୍ଷରୁ ସଫେଇ ଦିଆଯାଇଛି । ଦୁଇଟି କ୍ରେନ ସାହାଯ୍ୟରେ ଗାଡ଼ି ଉଠାଇବାକୁ ଚେଷ୍ଟା କରାଯାଇଛି ।