• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୯୬ ପଇସା ଓ ଡିଜେଲ ୯୧ ପଇସା ମହଙ୍ଗା ହୋଇଛି । ଫଳରେ ରାଜଧାନୀରେ ପେଟ୍ରୋଲ ଲିଟର ପିଛା ୧୦୨ ଟଙ୍କା ୭୪ ପଇସା ଓ ଡିଜେଲ୍ ୯୨ ଟଙ୍କା ୫୪ ପଇସାରେ ପହଞ୍ଚିଛି । ପ୍ରାୟ ସାଢ଼େ ୪ ମାସ ପରେ ଦୈନିକ ଦରବୃଦ୍ଧି ମେକାନିଜିମ୍ ଆରମ୍ଭ କରିଛନ୍ତି ରାଷ୍ଟ୍ରାୟତ୍ତ ତୈଳ କମ୍ପାନି ।

ଅର୍ଥାତ୍ ଆନ୍ତର୍ଜାତିକ ବଜାର ଦର ଅନୁସାରେ ଆଜିଠୁ ନିଇତି ବଦଳିବ ପେଟ୍ରୋଲ ଓ ଡିଜେଲ ଦର । ଏସମ୍ପର୍କରେ ପେଟ୍ରୋଲିୟମ ଡିଲର ସଂଘର କହିବା କଥା, ରୁଷ-ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ଦର ବଢ଼ିଚାଲିଛି । ନଭେମ୍ବର ୬ ତାରିଖରେ ଅଶୋଧିତ ତେଲ ମୂଲ୍ୟ ବ୍ୟାରେଲ ପିଛା ୮୨ ଡଲାର ଥିଲା ବେଳେ ଏବେ ୧୧୮ ଡଲାରରେ ପହଞ୍ଚିଛି । ଏହି ହିସାବରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ୧୮ରୁ ୨୦ ଟଙ୍କା ବଢ଼ିବାର ସମ୍ଭାବନା ଅଛି । ଏପଟେ ଖାଉଟିଙ୍କ କହିବା କଥା, ସରକାର ଚାହିଁଲେ ଆମକୁ ମିଳିପାରିବ ଆଶ୍ୱସ୍ତି ।

କେବଳ ପେଟ୍ରୋଲ ଓ ଡିଜେଲ ନୁହେଁ, ଅକ୍ଟୋବର ୬ ତାରିଖ ପରେ ପ୍ରଥମ ଥର ମହଙ୍ଗା ହୋଇଛି ରୋଷେଇ ଘରର ମୁଖ୍ୟ ଇନ୍ଧନ ଏଲ୍‌ପିଜି । ୧୪.୨ କିଲୋଗ୍ରାମ ବିଶିଷ୍ଟ ଏଲ୍‌ପିଜି ସିଲିଣ୍ଡର ଦାମ୍ ୫୦ ଟଙ୍କା ମହଙ୍ଗା ହୋଇ ପାଖାପାଖି ହଜାରେ ଟଙ୍କା ଛୁଇଁଛି । ଫଳରେ ରାଜଧାନୀ ଭୁବନେଶ୍ୱରରେ ଗ୍ରାହକଙ୍କୁ ୯୭୬ ଟଙ୍କାରେ କିଣିବାକୁ ପଡ଼ିବ ଏଲ୍‌ପିଜି ସିଲିଣ୍ଡର । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗୃହିଣୀ ।

ଏପଟେ ତେଲ ଓ ଗ୍ୟାସ୍ ଦର ବଢ଼ିବା ପରେ ଜୋର୍ ଧରିଛି ରାଜନୀତି । ୫ ରାଜ୍ୟରେ ବିଧାନସଭା ନିର୍ବାଚନ ସରୁ ସରୁ ତେଲ ଓ ଗ୍ୟାସ୍ ଦରବୃଦ୍ଧି ପାଇଁ ବିଜେଡି କେନ୍ଦ୍ର ସରକାରଙ୍କୁ କାଠଗଡ଼ାକୁ ଟାଣିଥିବା ବେଳେ କଂଗ୍ରେସ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି । ଏହାର ଜବାବରେ ବିଜେପି କହିଛି, ଏଥିରେ କେନ୍ଦ୍ର ସରକାରଙ୍କ କୌଣସି ହାତ ନାହିଁ । ଆନ୍ତର୍ଜାତିକ ବଜାର ଦର ଆଧାରରେ ହିଁ ଦେଶରେ ବଢ଼ୁଛି ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍ ଦର ।

OTV is now on Whatsapp

Join and get latest news update delivered to you via whatsapp

Join Now