• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅସହ୍ୟ ତାତି ସହ ପାନୀୟ ଜଳର ଅଭାବ ଯୋଗୁଁ ଲୋକେ କଲବଲ । କେଉଁଠି ନଦୀର ଧାର ଶୁଖିଲାଣି ତ କେଉଁଠି ପୋଖରୀ । ପାନୀୟ ଜଳ ପ୍ରକଳ୍ପ ଅଛି ହେଲେ କାର୍ଯ୍ୟକ୍ଷମ ହୋଇନି । ଘରକୁ ଘର ପାଇପ ସଂଯୋଗ ହୋଇଛି, ବାହାରେ ଟ୍ୟାପ୍ ବି ଲାଗିଛି । ହେଲେ ଲୋକଙ୍କୁ ପାଣି ମିଳୁନି । ଏଭଳି ସ୍ଥିତି ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ବଡ଼ଗଡ଼ ଗାଁରେ ।

୧୦ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଗାଁରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଲାଗି ଦୁଇଟି ପାନୀୟ ଜଳ ପ୍ରକଲ୍ପ ନିର୍ମାଣ ହୋଇଥିଲା । ହେଲେ ଖରାଦିନେ ଗୋଟିଏ ପ୍ରକଳ୍ପରୁ ଜଳ ଯୋଗାଣ ହୋଇପାରୁନଥିବା ଲୋକେ ଅଭିଯୋଗ କରିଛନ୍ତି । ଫଳରେ ଗାଁର ୫ରୁ ୬ ସାହି ବାସିନ୍ଦା କେବେଳ ଗୋଟିଏ ନଳକୂପ ଉପରେ ନିର୍ଭର କରିବା ସହ ଦୂଷିତ ଜଳ ବ୍ୟହାର କରି ନାନାରୋଗରେ ପଡୁଛନ୍ତି ।

ସେପଟେ ଯାଜପୁର ଜିଲ୍ଲା ଛତିଆ ଅମରାବତୀ ଅଞ୍ଚଳରେ ବି ସେହି ସମାନ ଅବସ୍ଥା । ୨୦୨୦ ମସିହାରେ ଏକ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ୱାଟର ହେଡ୍‌ ଟ୍ୟାଙ୍କ ନିର୍ମାଣ କରାଯାଇଥିଲା । ଲୋକଙ୍କ ଆଶା ଥିଲା ଖରାଦିନେ ଆଉ ପାନୀୟ ଜଳ ସମସ୍ୟା ରହିବନି । ତେବେ ପ୍ରକଳ୍ପ ନିର୍ମାଣର ବର୍ଷେ ପରେ ବି ଏହା କାର୍ଯ୍ୟକ୍ଷମ ହୋଇପାରିନି ।

ଛତିଆ ବଜାର ସମେତ ଅମରାବତୀପାଟଣା, ଇଛାନଗର ପାଟଣା, ନୟାପାଟଣା, କଂପାନୀବଜାର ଆଦି ଅଂଚଳରେ ଏବେ ଉତ୍କଟ ପାନୀୟ ଜଳ ସମସ୍ୟା ଦେଖା ଦେଇଛି । ସମସ୍ୟା ଦୂର କରିବା ପାଇଁ ପାନୀୟ ଜଳ ଯୋଗାଣ ବିଭାଗ ଏବଂ ବ୍ଲକ ପ୍ରଶାସନର ଦୃଷ୍ଟି ଅକର୍ଷଣ କରିଥିବା କହିଛନ୍ତି ଛତିଆର ନବ ନିର୍ବାଚିତ ସରପଂଚ । ଏପଟେ ବିଭାଗୀୟ କର୍ତୃପକ୍ଷଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ  ନିଆଯିବ ବୋଲି ବିଡିଓ କହିଛନ୍ତି ।

ସମସ୍ତ ଭିତ୍ତିଭୁମି ଥାଇ ବି ପ୍ରଶାସନିକ ଅବହେଳା ଯୋଗୁଁ ଅନେକ ଗ୍ରାମଞ୍ଚଳରେ ଲୋକେ ପାଇପାରୁ ନାହିଁନ୍ତି ପାନୀୟ ଜଳ । ଏବେ ଅପେକ୍ଷା କେବେ ଗଞ୍ଜାମ ଜିଲ୍ଲାର ବଡ଼ଗଡ଼ ଓ ଯାଜପୁର ଛତିଆ ଅଞ୍ଚଳରେ ଦୂର ହେଉଛି ଲୋକଙ୍କ ପାନୀୟ ଜଳ ସମସ୍ୟ ।