• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୋଲିସ ଉପରୁ ତୁଟିଯାଉଛି କି ଲୋକଙ୍କ ଭରସା ? କାରଣ ଏବେ ନିଜ ଅଞ୍ଚଳର ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି ଲୋକେ । ଆମେ କହୁଛୁ କଟକ ସିଡିଏ ଅଞ୍ଚଳର କଥା । ଲୋକଙ୍କ କହିବା ଅନୁଯାୟୀ ସ୍ଥାନୀୟ ଅଞ୍ଚଳରେ ଚୋରି, ଡକାୟତି, ଛିନତାଇ ଏତେ ପରିମାଣରେ ବଢିଯାଇଛି ଯେ ଏବେ ନିଜର ସୁରକ୍ଷା ପାଇଁ ନିଜେ ଅଣ୍ଟା ଭିଡ଼ିଛନ୍ତି । ରାତି ତମାମ କରୁଛନ୍ତି ନାଇଟ ପାଟ୍ରୋଲିଂ । ତେବେ କଟକ ଡିସିପି ଏମାସ ସୁଦ୍ଧା ଆଉଟ୍-ପୋଷ୍ଟ୍ କାର୍ଯ୍ୟକ୍ଷମ ହୋଇଯିବ ବୋଲି ଭରସା ଦେଇଛନ୍ତି ।

ଏପଟେ କାହା ହାତରେ ଠେଙ୍ଗା । କାହା ହାତରେ ଟର୍ଚ୍ଚ ଲାଇଟ୍ । କେତେବେଳେ ଚାଲି ଚାଲି, ତ ପୁଣି କେତେବେଳେ ବାଇକରେ । ଏହା ହେଉଛି କଟକ ସିଡିଏ ଅଞ୍ଚଳ ସେକ୍ଟର ୧୩ର ପବ୍ଲିକ ପାଟ୍ରୋଲିଂର ଦୃଶ୍ୟ । ଗତ କିଛି ଦିନ ହେଲା ନିଜ ଅଞ୍ଚଳ ଓ ଅଞ୍ଚଳବାସୀଙ୍କ ସୁରକ୍ଷା ଲାଗି ଏଭଳି ଭାବେ ଅଣ୍ଟା ଭିଡିଛନ୍ତି ଏଠାକାର ବାସିନ୍ଦା । ସଞ୍ଜ ନଇଁଲେ କି ନାରୀ କି ପୁରୁଷ, ସମସ୍ତେ ବାହାରି ଆସନ୍ତି ସମୂହ ସୁରକ୍ଷାରେ । ଲୋକଙ୍କ ଅଭିଯୋଗ ଯେ, ଏଠାରେ ବିଗତ କିଛି ଦିନ ହେବ ଚୋରି, ଡକାୟତି ଓ ଲୁଟ ସହ ଆହୁରି ଅନେକ ଅସାମାଜିକ କାର୍ଯ୍ୟକଳାପ ଅସମ୍ଭବ ଭାବେ ବଢିଛି । ପୋଲିସ ପାଟ୍ରୋଲିଂ ନିୟମିତ ଭାବେ ହେଉନଥିବାରୁ ଏହାର ଫାଇଦା ନେଉଛନ୍ତି ଲୁଟେରା । ହେଲେ ପୋଲିସ ଭରସାରେ ନରହି ଏବେ ନିଜେ ଅଣ୍ଟା ଭିଡିଛନ୍ତି ଲୋକେ । ଏପରିକି ଝିଅ ବୋହୂ ବି ସାମିଲ ହେଲେ ଏହି ଅଭିଯାନରେ ।

ଗତ ଅଳ୍ପ କିଛି ଦିନ ଭିତରେ ଘଟିଥିବା ଚାରି ଚାରିଟି ଚୋରି ଘଟଣା ଲୋକଙ୍କ ନିଦ ହଜାଇ ଦେଇଥିଲା । ଆବାସିକ ସଂଘ ଗଠନ କରି ନିଜ ଏରିଆ ନିଜେ ଜଗିବା ପାଇଁ ଆରମ୍ଭ ହେଲା ଅଭିଯାନ । ପାଳି କରି ଆରମ୍ଭ ହେଲା ପାଟ୍ରୋଲିଂ । ଏପରିକି କିଛି ଲୋକେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜଗୁଥିବା ବେଳେ ସଂଘର ଆହୁରି କିଛି ଲୋକେ ସକାଳ ଯାଏଁ ପହରା ଦେଇଥାନ୍ତି । ପୋଲିସ ଆଉଟପୋଷ୍ଟ ପ୍ରତିଷ୍ଠା କରିବା ସହ ଷ୍ଟ୍ରୀଟ୍ ଲାଇଟ ବ୍ୟବସ୍ଥା ପାଇଁ ଦାବି କରିଛନ୍ତି ଲୋକେ । ସେପଟେ କଟକ ଡିସିପି କହିଛନ୍ତି ସେ ଅଞ୍ଚଳ ପାଇଁ ନରାଜ ଏଡ୍-ପୋଷ୍ଟ୍, ଏହି ମାସ ସୁଦ୍ଧା ଶେଷ  ହୋଇ କାର୍ଯ୍ୟକ୍ଷମ ହୋଇଯିବ, ଲୋକଙ୍କୁ ଭୟଭୀତ ହେବାର କାରଣ ନାହିଁ ।