• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଶୀତ ରାଜୁତି କରୁଛି, ସଞ୍ଜ ନଇଁଲେ ରେଜେଇ, କମ୍ବଳ ସାଥୀ ସାଜୁଛି । ଯାହାର ବାସ ଅଛି, ତା’କୁ ସିନା ଶୀତ କଷ୍ଟ ନାହିଁ । ହେଲେ ଯିଏ ବାସହୀନ- କେମିତି କଟୁଛି ସେମାନଙ୍କ ଜୀବନ । ଶୂନଶାନ୍ ଶୀତ ରାତିରେ ଭୁବନେଶ୍ୱରରୁ ବାଲେଶ୍ୱର ଯାଏଁ ସ୍ଥିତି ପରଖିଛି ଓଟିଭି । ଆଉ ଫୁଟପାଥରୁ ସିଧା ବ୍ୟବସ୍ଥାକୁ ନିଶାନା କରିଛି ବେସାହାରା ମଣିଷମାନଙ୍କ ଦୁର୍ଦ୍ଦଶାର ଚିତ୍ର ।

ନିଘୋଡ଼ ନିଦରେ ଶୋଇଛି ରାଜଧାନୀ, ରେଜେଇ-କମଳ ଘୋଡ଼ି ହୋଇ ଉଆସ ଭିତରେ ଉଷୁମ ଟାଣୁଛନ୍ତି ଥିଲାବାଲା । ହେଲେ ଯିଏ ବେସାହାରା, ତାଙ୍କ ଶେଯ ଏଇଠି ଏମିତି । ଖୋଲା ଆକାଶ, କାଲୁଆ ଚଟାଣ । ରାସ୍ତା କଡ଼, ଗଛ ମୂଳ ନହେଲେ ପର ପିଣ୍ଢା । କେଉଁଠି ମେହନତି ମଣିଷଟିଏ ଦିନଯାକର ପରିଶ୍ରମ ପରେ ଫୁଟପାଥକୁ ଆପଣାଇ ନେଇଛି ତ ପୁଣି କିଏ କମଳଟିଏ ବି ନପାଇ ରାସ୍ତା କଡ଼ରୁ ଜରିପାଲ ଖଣ୍ଡେ ଗୋଟେଇ ଆଣି ଦିହ ମୁହଁ ଢାଙ୍କି ହୋଇ ଶବ ଭଳି ପଡ଼ିଛି ।

ଶୂନଶାନ୍ ଶୀତ ରାତିରେ ନିଜ ଟଲି ଉପରେ ଜାକିଜୁକି ହୋଇ ଶୋଇଛନ୍ତି କାଳିଆ ।

ପାଖକୁ ଯାଇ ପଚାରିଲୁ ଘରକୁ ଗଲନି, କହିଲେ ଏଇ ତ ମୋ ଘର । ଆଶ୍ରୟସ୍ଥଳୀକୁ ଯାଇଥିଲି, ହେଲେ ସେଠି ଏତେ ଅବ୍ୟବସ୍ଥା ଯେ, ମୋ ଟଲି ମୋ ପାଇଁ ସ୍ୱର୍ଗ ଭାବି ପୁଣି ଚାଲି ଆସିଲି । ସେମିତି ରାତି ପ୍ରାୟ ଗୋଟାଏ ବେଳେ ରାଜମହଲ ଓଭରବ୍ରିଜ୍ ତଳେ ଜଣେ ବୃଦ୍ଧଙ୍କୁ ଭେଟିଥିଲୁ, ଥରି ଥରି ନିଜ ରିକ୍ସାରେ ଶୋଇବାକୁ ଯାଉଥିଲେ, ପଚାରିବାରୁ କହିଲେ ମୋ ଗାଁ ପଳାଶପଲ୍ଲୀ । ଘରକୁ ଯାଏନି, ଏଇଠି କୋଉଠି ଶୋଇପଡ଼େ । ରାଜଧାନୀ ରାତିରେ ଯେଉଁ ଛକକୁ ଗଲୁ ଅଳ୍ପେ ବହୁତେ ଦେଖିଲୁ ଶୀତ ରାତିର ସତ ଚିତ୍ର ।

କାଲୁଆ ରାତିରେ କେମିତି ଶୋଇଛି ସାହି ଗଳିର ସହର କଟକ । ଏଠି ବି ରାସ୍ତା କଡ଼, ଫୁଟଫାଥ୍ ସବୁଠି ସ୍ପଷ୍ଟ ନଜରକୁ ଆସିଥିଲେ ନିରାଶ୍ରୟ । ବୁଲି ବୁଲି ପହଞ୍ଚିଗଲୁ ବଡ଼ ମେଡିକାଲରେ । ଗଛ ମୂଳ, ପାର୍କିଂ ସ୍ଥଳ, ଡଷ୍ଟବିନ୍ ପାଖ । ଯୁଆଡ଼େ ଚାହିଁଲେ, ଲୋକ ଶୋଇଛନ୍ତି । କିଏ ଶୀତବସ୍ତ୍ର ଖଣ୍ଡେ ପାଇଛି, ତ ପୁଣି କିଏ ଗାମୁଛା ଖଣ୍ଡେରେ ମୁହଁ ଢାଙ୍କିଛି । କାକରରୁ ବର୍ତ୍ତିବାକୁ କିଏ ମଶାରୀ ଉପରେ ପିନ୍ଧାଲୁଗା ପକେଇଛି । ମେଡିକାଲରେ ରୋଗୀ ପଡ଼ିଛନ୍ତି ଯେତେବେଳେ ନିଜ ଲୋକଙ୍କୁ ତ ଏମିତି ବାହାରେ ରହିବାକୁ ହେବ ନା । ଏଣେ ମେୟର କହୁଛନ୍ତି କଟକରେ କୁଆଡ଼େ ୪ଟା ରାତ୍ରୀ ଆଶ୍ରୟସ୍ଥଳୀ କାମ କରୁଛି ।

ବାଲେଶ୍ୱର ସହରରେ ତ ବାସହୀନଙ୍କ ପାଇଁ ଯେମିତି ଶୀତ ରାତି ହୋଇଯାଉଛି ଯନ୍ତ୍ରଣାର ରାତି । କିଏ କାଲୁଆ କାକରରେ ସଢୁଛି ତ ପୁଣି କିଏ ରାତି ଉଜାଗର ରହି ନିଆଁକୁ ସାହାରା କରିଛି ।

ଭୁବନେଶ୍ୱରରୁ ସୀତେଶ ସୁଆର, କଟକରୁ ଦେବାଶିଷ ମହାନ୍ତି ଓ ବାଲେଶ୍ୱରରୁ ଚନ୍ଦ୍ରକାନ୍ତଜେନା, ଓଟିଭି

  • Reported by:
  • DEBASHISH MOHANTY