/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700491614.jpg)
Biswabhusan Harichandan
ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଯନ୍ତ୍ରଣା ଏବଂ ଶ୍ରୀମନ୍ଦିର ନୀତିକାନ୍ତିରେ ବିଭ୍ରାଟକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ଶ୍ରୀ ମନ୍ଦିର ପ୍ରଶାସନ ଓ ସରକାରଙ୍କୁ ପ୍ରସ୍ତାବ ଦେଇ କହିଛନ୍ତି, ଐତିହ ରକ୍ଷା କରି ପରିକ୍ରମା ପ୍ରକଳ୍ପ ହେଉ, କାମ ପାଇଁ ଗୋଟିଏ ଦ୍ୱାର ବନ୍ଦ ରଖି ଆଉ ୩ଟି ଦ୍ୱାର ତୁରନ୍ତ ଖୋଲାଯାଉ । ବିଶ୍ୱଭୂଷଣଙ୍କ ଏମିତି ମନ୍ତବ୍ୟ ପେର ତେଜିଛି ରାଜ୍ୟ ରାଜନୀତି ।
ଶ୍ରୀମନ୍ଦିରର ୩ ଦ୍ୱାର ଖୋଲନ୍ତୁ ସରକାର । କାହିଁକି ନା ଖରା ବର୍ଷାରେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି ଶ୍ରଦ୍ଧାଳୁ । ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ନେଇ ଛତିଶଗଡ଼ ରାଜ୍ୟପାଳ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଖବରକାଗଜରେ ସ୍ତମ୍ଭ ଲେଖି ପ୍ରଶାସନ ଏବଂ ସରକାରଙ୍କୁ କରିଛନ୍ତି ଟାର୍ଗେଟ । ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ କହିଛନ୍ତି ଗତ ଥର ପୁରୀ ଯାଇଥିବା ବେଳେ ଶ୍ରଦ୍ଧାଳୁଙ୍କ ଯନ୍ତ୍ରଣା ବେଶ ବେଦନାଦାୟକ ଥିଲା । ଖରା ବର୍ଷାରେ ଶ୍ରଦ୍ଧାଳୁମାନଙ୍କୁ ୫ରୁ ୬ ଘଣ୍ଟା ଅପେକ୍ଷା କରିବାକୁ ପଡୁଛି ।
ଏହି ସମୟରେ ପରିଶ୍ରା ଲାଗିଲେ ସେଥିପାଇଁ କୌଣସି ବ୍ୟବସ୍ଥା ନାହିଁ । ତେଣୁ ପରିକ୍ରମା ପ୍ରକଳ୍ପ କାମ ଗୋଟିଏ ଦ୍ୱାରରେ କରି ଅନ୍ୟ ୩ ଦ୍ୱାର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବାକୁ ସେ କହିଛନ୍ତି । ଏହା ସହ ଶ୍ରୀମନ୍ଦିରର ଐତିହ୍ୟ ରକ୍ଷା କରି ପରିକ୍ରମା ପ୍ରକଳ୍ପ ହେଉ ବୋଲି କହିଛନ୍ତି ବିଶ୍ୱଭୂଷଣ । ସେହିପରି ସମୟ ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ ରହିବା ନେଇ ଉଦବେଗ ପ୍ରକାଶ କରିବା ସହିତ ନିଜର ଦାବି ପୂରଣ ପାଇଁ ନୀତିକାନ୍ତି ବନ୍ଦ ନକରିବାକୁ ସେବାୟତମାନଙ୍କୁ ନିବେଦନ କରିଛନ୍ତି । ଏହାସହ ଆଲୋଚନା ମାଧ୍ୟମରେ ସବୁ କଥାର ସମାଧାନ ହୋଇପାରିବ, ଏଠି କୌଣସି ଶାସକର ଅହଂକାର ମନମୁଖୀ ନିଷ୍ପତ୍ତିର ସ୍ଥାନ ନାହିଁ ବୋଲି ସ୍ତମ୍ଭରେ ଲେଖିଛନ୍ତି ।
ବିଶ୍ୱଭୂଷଣଙ୍କ ଏମିତି ସମାଲୋଚନା ପରେ ତେଜିଛି ରାଜ୍ୟ ରାଜନୀତି । ପୂର୍ବରୁ ମଧ୍ୟ ଚାରିଦ୍ୱାର ଖୋଲା ଓ ରତ୍ନଭଣ୍ଡାର ଖୋଲିବା ଦାବି କରୁଥିବା ବିରୋଧୀ ସରକାରଙ୍କୁ ସିଧା ନିଶାନା କରିଛନ୍ତି । ଆଜି ପୁରୀ ଜିଲ୍ଲାପାଳ ଏବଂ ଏସ୍ପିଙ୍କୁ ଭେଟି ଖୁବ୍ ଶୀଘ୍ର ପଶ୍ଚିମ ଦ୍ୱାର ଖୋଲିବାକୁ ଦାବି କରିଛନ୍ତି ବିଧାୟକ ଜୟନ୍ତ ଷଡଙ୍ଗୀ । କଂଗ୍ରେସ କହିଛି ଆଗକୁ ଦଳାଚକଟା କିମ୍ୱା ଶ୍ରଦ୍ଧାଳୁଙ୍କ କୌଣସି କ୍ଷତି ହେଲେ ଦାୟୀ ରହିବେ ରାଜ୍ୟ ସରକାର । ତେବେ କାର୍ତ୍ତିକ ମାସ ଯୋଗୁଁ ଭିଡ ହେଉଛି, ଚାରି ଦ୍ୱାର ଖୋଲିବା ନେଇ ଠିକ୍ ସମୟରେ ସରକାର ନିଷ୍ପତ୍ତି ନେବେ ବୋଲି କହିଛି ବିଜେଡି ।
କୋଭିଡ ମହାମାରୀ ବେଳେ ବନ୍ଦ ରହିଥିଲା ୩ ଦ୍ୱାର । ପରେ ପରେ ପରିକ୍ରମା ପ୍ରକଳ୍ପ କାମ ଆରମ୍ଭ କରିଥିଲେ ସରକାର । ଆଉ ସେଥିପାଇଁ କେବଳ ସିଂହଦ୍ୱାର ପଟେ ପ୍ରବେଶ ବ୍ୟବସ୍ଥା ଚାଲିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)