• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

କ୍ଷୀର ଓ ଛେନା ପରେ ବଢ଼ିବ ପାହାଳ ରସୋଗଲା ଦର। ପାହାଳ ମିଠାର ଦର ବୃଦ୍ଧି ନିଷ୍ପତ୍ତି ପରେ ଗ୍ରାହକଙ୍କୁ ଅବଗତ କରିବାକୁ ଆଜିକୁ ୩ ଦିନ ଧରି ବ୍ୟବସାୟ ବନ୍ଦ ରଖିଛନ୍ତି ସମସ୍ତ ବ୍ୟବସାୟୀ। ଆଉ ଏପଟେ ମିଠା ନପାଇ ନିରାଶ ହୋଇ ଫେରୁଛନ୍ତି ଗ୍ରାହକ। ତେବେ ନୂଆ ଦର ସହ ଆସନ୍ତାକାଲିଠୁ ପୁଣି ମିଠା ବ୍ୟବସାୟ ଆରମ୍ଭ ହେବ ବୋଲି ବ୍ୟବସାୟୀ ସଂଘ ଘୋଷଣା କରିଛି। ଏପଟେ ଦର ବଢ଼ିଲେ, ଗ୍ରାହକଙ୍କ ପକେଟକୁ ପୁଣି ବାଧିବ ବୋଲି ମତ ରଖିଛନ୍ତି ଖାଉଟି।

ପ୍ରଥମେ କ୍ଷୀର, ପରେ ଛେନା ଆଉ ଏବେ ମିଠା। କ୍ଷୀର ଆଉ ଛେନାର ଦର ବୃଦ୍ଧି ପରେ ମହଙ୍ଗା ହେବାକୁ ଯାଉଛି ପାହାଳ ରସଗୋଲା। କ୍ଷୀର ଲିଟର ୪ଟଙ୍କା ଏବଂ ଛେନା କେଜିରେ ୨୦ ଟଙ୍କା ବୃଦ୍ଧି ପରେ ମିଠା ଦର ବୃଦ୍ଧି ଦାବିରେ ପାହାଳ ମିଠା ବ୍ୟବସାୟୀଙ୍କ ସମୁହ ଆନ୍ଦୋଳନ। ବିଭିନ୍ନ କିସମର ମିଠା ଦାମ୍ ବୃଦ୍ଧି ନିଷ୍ପତ୍ତି ପରେ ଗ୍ରାହକଙ୍କୁ ଅବଗତ କରାଇବାକୁ ଆଜିକୁ ୩ ଦିନ ହେବ ଦୋକାନ ବନ୍ଦ ରଖିଛନ୍ତି ସମସ୍ତ ବ୍ୟବସାୟୀ। ପାହାଳ ମିଠା ବ୍ୟବସାୟୀ ସଂଘ କହିଛି, ଆସନ୍ତାକାଲି ଅର୍ଥାତ ୨୩ ତାରିଖରୁ ପାହାଳ ମିଠା ପାଇଁ ଧାର୍ଯ୍ୟ ହୋଇଛି ନୂଆ ଦର।

ଗ୍ରାହକଙ୍କୁ ଏଣିକି ୫ ଟଙ୍କାରେ ମିଳୁଥିବା ମିଠା ପାଇଁ ୬ଟଙ୍କା, ୧୦ ଟଙ୍କିଆ ମିଠା ପାଇଁ ୧୨ ଓ ୨୦ ଟଙ୍କିଆ ରସୋଗଲା ପାଇଁ ୨୫ ଟଙ୍କା ଦେବାକୁ ପଡ଼ିବ। ସେହିଭଳି ଛେନାଗଜା କିଲୋ ୨ଶହ ବଦଳରେ ୨୨୦ ଓ ଛେନାପୋଡର ଦାମ ୨୫୦ ପରିବର୍ତ୍ତେ ୨୮୦ ଟଙ୍କାକୁ ବୃଦ୍ଧି ପାଇବ। କ୍ଷୀର, ଛେନା ସହ ଅନ୍ୟାନ୍ୟ କଞ୍ଚାମାଲର ଦର ବୃଦ୍ଧି ପରେ ମିଠା ଦର ବଢାଇବା ଅପରିହାର୍ଯ୍ୟ ବୋଲି ଯୁକ୍ତି ରଖିଛି ମିଠା ବ୍ୟବସାୟୀ ସଂଘ।

ସେପଟେ ବଜାରରେ ଅନ୍ୟାନ୍ୟ ସାମଗ୍ରୀର ଦର ବୃଦ୍ଧି ପରେ ମିଠା ଦର ବୃଦ୍ଧିକୁ ଖାଉଟି ସ୍ୱାଭାବିକ ବୋଲି କହିଥିଲେ ବି ଏହା ସେମାନଙ୍କ ପକେଟକୁ ବାଧିବ ବୋଲି ମତ ରଖିଛନ୍ତି। ତେଣୁ ମିଠା କିଣାର ପରିମାଣକୁ ହିଁ କାଣ୍ଟଛାଣ୍ଟ କରିବାକୁ ପଡ଼ିବ ବୋଲି ଅନେକ ଗ୍ରାହକଙ୍କ ମତ। ସେପଟେ ମିଠା ଦର ବଢ଼ିଲେ, ବାଧ୍ୟ ହୋଇ ମିଠା ପ୍ରତି ରୁଚି କମାଇବାକୁ ପଡ଼ିବ ବୋଲି ମତ ରଖିଛନ୍ତି ଆଉ କିଛି ଗ୍ରାହକ।

ରାଜ୍ୟର ଅନ୍ୟତମ ପ୍ରମୁଖ ମିଠା ବଜାର ପାହାଳରେ ମିଠା ଦର ବୃଦ୍ଧିକୁ ଗ୍ରାହକ ସହଯୋଗ କରିବା ନେଇ ଆଶା ରଖିଛନ୍ତି ବ୍ୟବସାୟୀ। ସେପଟେ କିନ୍ତୁ ଅନ୍ୟାନ୍ୟ ସ୍ଥାନରେ ମିଠା ଉପରେ ବ୍ୟବସାୟୀ ମନଇଚ୍ଛା ଦର କସୁଥିବା ନଜରକୁ ଆସୁଥିବାରୁ ଏହା ଉପରେ ସରକାରୀ ନିୟନ୍ତ୍ରଣ ରହିବା ଉପରେ ମତ ପ୍ରକାଶ ପାଇଛି।

  • Reported by:
  • PRAVAT BISOI , ARACHANA SATPATHY