• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରଥଯାତ୍ରାରେ ରାଗଚଣା ବିକିଲେ ପଦ୍ମଶ୍ରୀ ହଳଧର ନାଗ । ପ୍ରତିବଷ ଭଳି ଏବର୍ଷ ମଧ୍ୟ ସେ ରାଗଚଣା ବିକ୍ରି କରିଥିବା ବେଳେ ଖାଇବାକୁ ବହୁଲୋକଙ୍କ ଭିଡ଼ ଲାଗିଥିଲା । ସାହିତ୍ୟ ସାଧାନା ପାଇଁ ପଦ୍ମଶ୍ରୀରେ ସମ୍ମାନୀତ ହୋଇଥିଲେ ବି ନିଜ ସରଳ ଜୀବନଶୈଳୀ ଭୁଲିନାହାନ୍ତି ହଳଧର । ଏଣୁ ଲୋକଙ୍କ ଡିମାଣ୍ଡ ଅନୁସାରେ ରଥଯାତ୍ରା ସମୟରେ ସେ ରାଗଚଣା ବିକ୍ରି କରିଛନ୍ତି ।

ରାଗଚଣା ବିକ୍ରିରୁ ହେଉଥିବା ଲାଭ ଏବଂ ରାଜ୍ୟ ସରକାର ଦେଉଥିବା ପଦ୍ମଶ୍ରୀ ଭତ୍ତା ଅନାଥଶ୍ରମକୁ ଦାନ କରୁଥିବା କହିଛନ୍ତି ହଳଧର । କୌଣସି କାମ ଛୋଟ ନୁହେଁ ଏହି ବାର୍ତ୍ତା ଦେଇ ପ୍ରତିବର୍ଷ ରଥ ଯାତ୍ରାରେ ଏଭଳି ରାଗଚଣା ବିକ୍ରି କରିଥାନ୍ତି ହଳଧର ।

ଆଜି ହଳଧର ସମାଜରେ ଜଣେ ବିଶିଷ୍ଟ ବ୍ୟକ୍ତି ଭାବେ ପରିଗଣିତ ହେଉଥିଲେ ମଧ୍ୟ ଆଜି ବି ତାଙ୍କ ହୃଦୟରେ ଅତୀତର ସେହି ସରଳ ମାନବୀକତା ଭରି ରହିଛି । ଏହାକୁ ମଧ୍ୟ ଅସ୍ୱୀକାର କରିହେବ ନାହିଁ । ୧୯୭୨ ମସିହାରୁ ସେ ରାଗଚଣା ତିଆରି କରି ବିକ୍ରି କରି ଆସୁଛନ୍ତି । କୁହାଯାଉଛି ପଦ୍ମଶ୍ରୀ ପୁରସ୍କାର ପାଇବା ପରେ ତାଙ୍କର ବ୍ୟବସାୟରେ ବାଧା ଆସିଥିଲା । ଗତ ଦୁଇବର୍ଷ ଧରି କୋଭିଡ୍ ପାଇଁ ରଥଯାତ୍ରା ବନ୍ଦ ରହିଥିଲା । ଚଳିତ ବର୍ଷ କଟକଣା ହଟିବା ପରେ ହଳଧର ପୁଣି ଥରେ ତାଙ୍କର ଅତୀତର ଚଣା ତରକାରୀ ନେଇ ଲୋକଙ୍କ ପାଖରେ ପହଞ୍ଚିଥିଲେ । ଲୋକମାନେ ତାଙ୍କର ଘୁଘୁନୀ ଖାଇ ଖୁସି ଅନୁଭବ କରୁଥିବା ଦେଖାଯାଇଛି ।

ତେବେ ଚଳିତ ବର୍ଷ ହଳଧରଙ୍କ ରାଗଚଣା ଷ୍ଟଲ ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଏନେଇ ହଳଧର କହିଛନ୍ତି, ଅତୀତର ଜୀବନ ଜୀବିକାକୁ ମନେରଖିବା ପାଇଁ ସେ କୁଣ୍ଠାବୋଧ କରନ୍ତି ନାହିଁ । ପୁରୁଣା ସ୍ମୃତିକୁ ରୋମନ୍ଥନ କରି କିଛି ଅର୍ଥ ରୋଜଗାର କରି ଅନାଥ ପିଲାଙ୍କ କାମରେ ଲଗାଇବେ । ସରକାର ତାଙ୍କୁ ମାସିକ ୧୦ ହଜାର ପ୍ରଦାନ କରୁଥିଲେ ହେଁ ସେ ଅନାଥ ପିଲାଙ୍କ ପାଠପଢ଼ା ଓ ମନ୍ଦିର ନିର୍ମାଣରେ ତାହାକୁ ଖର୍ଚ୍ଚ କରୁଛନ୍ତି । ଅତୀତକୁ ନ ଭୁଲିବା ପାଇଁ ସେ ଚଣା ବିକ୍ରି କରୁଛନ୍ତି ଓ ଜୀବନର ଅନ୍ତିମ ସମୟ ପର୍ଯ୍ୟନ୍ତ ସେ ଏହାକୁ ଜାରି ରଖିବେ ବୋଲି କହିଛନ୍ତି ।