Advertisment

‘କଷ୍ଟ କଲେ କୃଷ୍ଣ ମିଳେ’ ଏଣିକି ଆଉ ‘ବଣମଲ୍ଲୀ ବଣରେ ଝଡ଼ି ପଡ଼ିବନି’, ଏଥରର ପଦ୍ମ ପୁରସ୍କାରରୁ ଏହା ସ୍ପଷ୍ଟ..

ସମାଜର ବହୁ ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କୁ ସମ୍ମାନ ତ ମିଳିଛି, ତା ସହ ବଣ ମଲ୍ଲୀ ହୋଇ ବଣରେ ଝଡ଼ି ଯାଉଥିବା ଅନେକ ଅକ୍ଷାତ ପଲ୍ଲୀର ବିଖ୍ୟାତଙ୍କୁ ମିଳିଛି ଏଥର ସମ୍ମାନଜନକ ପଦ୍ମଶ୍ରୀ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Padma Awardee

Padma Awardee

ଖାଲି ବିଖ୍ୟାତ, ବିଶିଷ୍ଟ କି ବିଦ୍ୱାନଙ୍କୁ ନୁହେଁ, ବାସ୍ତବରେ ସମାଜ ପାଇଁ ଜୀବନକୁ ଉତ୍ସର୍ଗ କରୁଥିବା ଯଶସ୍ୱୀଙ୍କୁ ଦିନେ ନା ଦିନେ ମିଳିବ ସାମାଜିକ ସ୍ୱୀକୃତି । ବୃତ୍ତି କି କ୍ଷେତ୍ର ଯାହା ହେଉନା କାହିଁକି ନିଷ୍ଠାର ସହ ସେବା ଓ ସାଧୁତା ଲାଗି ସମ୍ମାନ ସବୁବେଳେ ରହିଛି । ଯାହାର ଉଦାହରଣ ଦେଖିବାକୁ ମିଳିଛି ଏଥର ପଦ୍ମଶ୍ରୀ ପୁରସ୍କାର ପ୍ରଦାନ ବେଳେ । ସମାଜର ବହୁ ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କୁ ସମ୍ମାନ ତ ମିଳିଛି, ତା ସହ ବଣ ମଲ୍ଲୀ ହୋଇ ବଣରେ ଝଡ଼ି ଯାଉଥିବା ଅନେକ ଅକ୍ଷାତ ପଲ୍ଲୀର ବିଖ୍ୟାତଙ୍କୁ ମିଳିଛି ଏଥର ସମ୍ମାନଜନକ ପଦ୍ମଶ୍ରୀ ।

Advertisment

କର୍ଣ୍ଣାଟକ ଅଙ୍କୋଲା ଜିଲ୍ଲାର ତୁଳସୀ ଗୌଡ଼ା । ଜରାଜୀର୍ଣ୍ଣ ଚେହେରା, ଫୁଙ୍ଗୁଳା ପାଦ ଆଉ ଦେହରେ ପାରମ୍ପରିକ ଆଦିବାସୀ ପରିପାଟି । ୭୨ ବର୍ଷୀୟ ଏ ଆଦିବାସୀ ଜନଜାତିର ବୃଦ୍ଧାଙ୍କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । କର୍ଣ୍ଣାଟକର ଏକ ଅଜଣା, ଅଖ୍ୟାତ ପଲ୍ଲୀର ତୁଳସୀ ପାଇଛନ୍ତି ପଦ୍ମଶ୍ରୀ ପୁରସ୍କାର । ଏହାପରେ ସାରା ଦେଶକୁ ଚହଟି ଯାଇଛି ତୁଳସୀଙ୍କ ବାସ । ପ୍ରାୟ ୧ ଲକ୍ଷରୁ ଅଧିକ ବୃକ୍ଷରୋପଣ, ଅସଂଖ୍ୟ ଗଛର ଲାଳନପାଳନ ଏବଂ ବହୁ ଜଙ୍ଗଲ ସୃଷ୍ଟି ପଛରେ ରହିଛି ତୁଳସୀଙ୍କ ଅତୁଳନୀୟ ଅବଦାନ । ବିନା ଶିକ୍ଷାଦିକ୍ଷାରେ ସେ ପାଲଟିଯାଛନ୍ତି ସମଗ୍ର ମାବନଜାତି ଲାଗି ବିଶାଳ ଉଦାହରଣ । ସେଥିପାଇଁ ଅନେକ ତାଙ୍କୁ ବୃକ୍ଷ ଦେବୀର ଆଖ୍ୟା ଦେଉଥିବା ବେଳେ ଆଉ କିଛି ତାଙ୍କୁ ଜଙ୍ଗଲର ଚଳନ୍ତି ଜ୍ଞାନକୋଷ ବି କୁହନ୍ତି ।

Advertisment

ବଣମଲ୍ଲୀ ହୋଇ ବଣରେ ଝଡି ଯିବା ପୂର୍ବରୁ ଦେଶରେ ପ୍ରସିଦ୍ଧି ଓ ପରିଚୟ ପାଇଥିବା ସାହିତ୍ୟର ଆଉ ଜଣେ ଦିପ୍ତୀବନ୍ତ ପ୍ରତିଭା ପୂର୍ଣ୍ଣମାସୀ ଜାନୀ । ଘର କନ୍ଧମାଳ ଜିଲ୍ଲାରେ । ପୂର୍ଣ୍ଣମାସୀ ସ୍କୁଲ ହତା ମାଡ଼ି ନାହାନ୍ତି ସତ, ହେଲେ ତାଙ୍କ ମୁହଁରୁ ଝରିଯାଏ ଅନର୍ଗଳ କବିତା । କୁଇ ଓ ଓଡ଼ିଆ ଭାଷାରେ ପୂର୍ଣ୍ଣମାସୀ ସୃଷ୍ଟି କରିଛନ୍ତି ୫୦ ହଜାରରୁ ଅଧିକ କବିତା । କଳା କ୍ଷେତ୍ର ପାଇଁ ତାଙ୍କୁ ମିଳିଛି ଏଥର ପଦ୍ମଶ୍ରୀ ସମ୍ମାନ । ସେହିଭଳି ଓଡ଼ିଶାର ପାରମ୍ପାରିକ ଚଇତି ଘୋଡ଼ାନାଚ ଗୀତକୁ ପୁନଃ ଜୀବନ୍ୟାସ ଦେବା ଓ ପ୍ରଚାର ପ୍ରସାର କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଅବଦାନ ପାଇଁ ଉତ୍ସବ ଚରଣ ଦାସଙ୍କୁ ବି ମିଳିଛି ପଦ୍ମଶ୍ରୀ । 

୨୦୨୦ ଲାଗି ୧୪୯ ଜଣଙ୍କୁ, ୨୦୨୧ ପାଇଁ ମୋଟ ୧୧୯ ପ୍ରତିଭାଙ୍କୁ ମିଳିଛି ସମ୍ମାନଜନକ ପଦ୍ମ ପୁରସ୍କାର । ପୁରସ୍କୃତ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଖାଲି ପ୍ରତିଷ୍ଠିତ ନୁହଁନ୍ତି, ଗାଁ ଗହଳିର, ବଣ ମୂଲକ ଓ ଅଖ୍ୟାତ ପଲ୍ଲୀର ବହୁ ଅଜ୍ଞାତ ପ୍ରତିଭାଙ୍କୁ ଚିହ୍ନଟ କରାଯାଇ, ସେମାନଙ୍କୁ ସ୍ୱୀକୃତି ମିଳିଛି । ରାଷ୍ଟ୍ରପତି ଭବନରେ ସମ୍ମାନିତ ହେବା ପରେ ଏଭଳି କିଛି ବ୍ୟକ୍ତିତ୍ୱଙ୍କ ସମ୍ପର୍କରେ ଟ୍ୱିଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ । ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ପଶ୍ଚିମବଙ୍ଗରେ ସାନ୍ତାଳିଙ୍କ ପାଇଁ କାର୍ଯ୍ୟ କରୁଥିବା ଗୁରୁମା କମଳି ସୋରେନ୍, ଯାଜପୁରରେ ପ୍ରାଥମିକ ଶିକ୍ଷାର ପ୍ରସାର କରୁଥିବା ବୟୋବୃଦ୍ଧ ଶତାୟୁ ଶିକ୍ଷକ ନନ୍ଦ କିଶୋର ପୃଷ୍ଟି, ତାମିଲନାଡୁରେ ୫ ଟଙ୍କାରେ ରୋଗୀ ସେବା କରୁଥିବା ଡାକ୍ତର ଭି. ଥେରୁଭେଙ୍ଗଦମ୍, ୨୫ ହଜାରରୁ ଅଚିହ୍ନା ମୃତଦେହ ସତ୍କାର କରିଥିବା ମହମ୍ମଦ ଶରିଫ, ଆସାମରେ ଡାଆଣୀ ପ୍ରଥା ବିରୋଧରେ ଲଢୁଥିବା ସମାଜସେବୀ ବୀରୁବାଳା ରଭା, ମହାରାଷ୍ଟ୍ରରେ ବିହନ ବିପ୍ଲବ ସୃଷ୍ଟି କରି ମଞ୍ଜି ମା’ ଭାବେ ଜଣାଶୁଣା ରାହିବାଇ ସୋମା ପୋପେରେ ଏବଂ କମଳା ଦୋକାନ କରି ସେହି ଆୟରୁ ସମାଜସେବା କରୁଥିବା କଣର୍ମାଟକର ହରେକଳା ହଜବା । ସେହିଭଳି ଲୋକକଳା କ୍ଷେତ୍ର ଲାଗି କିନ୍ନର ନୃତ୍ୟଶିଳ୍ପୀ ମାଥା ବି ମାଞ୍ଜାମାଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଛି ।

କଳା ହେଉ କି କୃଷି, ସେବା ହେଉ କି କାରିଗରୀ, ସମାଜ ପାଇଁ ନିଷ୍ଠାପର ଭାବେ କାର୍ଯ୍ୟ କରିବାର ଫଳ ଯେ, ସବୁବେଳେ ମଧୁର, ତାହା ଏଥରର ପଦ୍ମ ବିଜେତାଙ୍କୁ ଦେଖିଲେ ବେଶ୍ ବୁଝାପଡେ ।

Padma Awardee Tulasi Gouda
Advertisment
Advertisment