/odishatv-khabar/media/post_attachments/uploadimage/library/16_9/16_9_0/IMAGE_1640885082.jpg)
Paddy Stock In Mandis Damaged In Rain
ବରଗଡ଼: ଅଦିନରେ ମାଡିଆସିଲା ବର୍ଷା। ଦୁଇ ଦିନ ଲଗାତର ବର୍ଷିଲା। ଆଉ ତାପରେ ଅମଳ ଧାନର ଅବସ୍ଥା କହିଲେ ନସରେ। ମଣ୍ଡିରେ ଭିଜିଛି ହଜାର ହଜାର ବସ୍ତା ଧାନ। ପାଲ ଉପରେ ଜମି ରହିଛି ବର୍ଷା ପାଣି। ଆଉ ତଳେ ସୁଅ କାଟୁଛି। ଓଦା ଧାନକୁ ସୁଖାଇବାକୁ ଯେତେ ଚେଷ୍ଟା କଲେ ବି ଦୁଇ ଦିନ ଧରି ବର୍ଷା ଓ କୁଆପଥର ମାଡ ଖାଇଥିବା ଧାନ ସହଜରେ କଣ ଶୁଖିବ? ଓଦା ଧାନରେ ଗଜା ହେବାକୁ ବସିଲାଣି। ଓଡିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ ଜିଲ୍ଲାର ଅଧିକାଂଶ ମଣ୍ଡିରେ ଦୟନୀୟ ସ୍ଥିତି। ଅଦିନିଆ ବର୍ଷାରେ ବର୍ଷକର ପରିଶ୍ରମ ଧୋଇଯାଇଥିବା ବେଳେ ଧାନ ସଂଗ୍ରହରେ ପ୍ରଶାସନର ଅବହେଳାକୁ ଚାଷୀ ଦାୟୀ କରିଛନ୍ତି। ମଣ୍ଡିରେ ପଡି ଓଦା ହୋଇଥିବା ସମସ୍ତ ଧାନକୁ ବିନା କଟନୀ ଛଟନୀରେ ଉଠାଇବାକୁ ଦାବି ଉଠିଛି।
ଅମଳ ଧାନ ବିକ୍ରି ବେଳକୁ ଦାଉ ସାଜିଛି ଅଦିନିଆ ବର୍ଷା। ପଦ୍ମପୁର ପାଇକମାଳ ମଣ୍ଡିରେ ସବୁକିଛି ଉଜାଡି ଦେଇଛି ତୁହାକୁ ତୁହା ହୋଇଥିବା ବର୍ଷା। କୁଚିଣ୍ଡାର ଜମନକିରା, ଧୁଡିପାଲି, ସୁବର୍ଣ୍ଣପାଲି ଓ ଡିମିରିମୁଣ୍ଡା ମଣ୍ଡିରେ ଖୋଲା ଆକାଶ ତଳେ ଗଜା ହେବାକୁ ବସିଛି ହଜାର ହଜାର ବସ୍ତା ଧାନ। ଭିଜା ଧାନକୁ ଦେଖି ଚାଷୀ ଆଖିରୁ ଲୁହ ଗଡିଯାଉଥିବା ବେଳେ ତରତର ହୋଇ ଘରକୁ ଫେରାଇ ନେଉଛି। ଦୁଇ ଦିନର ବର୍ଷାରେ ବେହାଲ ହୋଇପଡିଥିବା ବଣାଇରେ ବି ଭିଜୁଛି ଚାଷୀର ଝାଳବୁହା ପରିଶ୍ରମ।
ଖାଲି ଅମଳ ଧାନ ନୁହେଁ, ଲଗାଣ ବର୍ଷାରେ ପ୍ରଭାବିତ ହୋଇଛି ପନିପରିବା ଚାଷ। ବରଗଡ ଜିଲ୍ଲାର ଅମ୍ବାଭୋନାରେ ଉଜୁଡି ଯାଇଛି କୋବି, ଟମାଟୋ, ସୋରିଷ ଓ ବାଇଗଣ ଚାଷ। ବଣାଇରେ ଏଥର ଆଳୁ ଚାଷ ଭଲ ହୋଇଥିବା ବେଳେ କିଆରି ଭିତରେ ପାଣି ପଶିଛି। ମାଟି ମାଡିଯାଇଛି ଫୁଲକୋବି ଫସଲରେ। ପନିପରିବା ଚାଷ ପାଇଁ ସାରା ପଶ୍ଚିମ ଓଡିଶାରେ ନାଁ କରିଥିବା ସୁନ୍ଦରଗଡ ଜିଲ୍ଲାର ନୂଆଁ ଗାଁରେ ପରିବା ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି। ଏକର ଏକର ଜମିରେ ହୋଇଥିବା ବନ୍ଧାକୋବି, ଫୁଲକୋବି, ବିନ୍ସ, ମୂଳା ଓ ଟମାଟୋ ଫସଲ ନଷ୍ଟ ହୋଇଯାଇଛି। ପ୍ରଥମେ ବାତ୍ୟା ଜୱାଦ ପ୍ରଭାବରେ ବର୍ଷା ଆଉ ଏବେ ଅଦିନିଆ ବର୍ଷା, ଚାଷୀଙ୍କ ନିଦ ହଜାଇ ଦେଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)