• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆସନ୍ତା ମେ ୬ରୁ ବରଗଡ଼ ଜିଲ୍ଲାରେ ଆରମ୍ଭ ହେବ ରବି ଋତୁ ଧାନ ସଂଗ୍ରହ ପ୍ରକ୍ରିୟା । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଏହି ସୂଚନା ଦେଇଛନ୍ତି ବରଗଡ଼ ଜିଲ୍ଲାପାଳ ମୋନୀଷା ବାନାର୍ଜୀ । ବିନା କୌଣସି ଦ୍ୱନ୍ଦ୍ୱରେ ଯେଭଳି ଚାଷୀଙ୍କ ସମସ୍ତ ଧାନ କିଣାଯିବ ସେନେଇ ପ୍ରଶାସନିକ ଅଧିକାରୀ, ଚାଷୀ ଓ ମିଲରଙ୍କୁ ନେଇ ବୈଠକ କରାଯାଇଥିଲା । ପ୍ରଶାସନ ପକ୍ଷରୁ ଧାନ କିଣା ବିକା ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଥିବା କହିଛନ୍ତି ଜିଲ୍ଲାପାଳ ।

ଜିଲ୍ଲାରେ ଥିବା ତିନି ଗୋଟି ନିୟନ୍ତ୍ରିତ ବଜାର କମିଟି ବରଗଡ଼, ଅତାବିରା ଓ ପଦ୍ମପୁର ଅଧୀନରେ ଥିବା ୭୩ଟି ମାର୍କେଟୟାଡ, ୧୨୦ଟି କ୍ରୟ କେନ୍ଦ୍ର ସହ ମୋଟ ୧୯୩ ସ୍ଥାନରେ ଧାନର କିଣା ବିକା ଚାଲିବ । ପ୍ରାଥମିକ କୃଷିସେବା ସଂସ୍ଥା (ପେକ୍ସ) ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ  ମାଧ୍ୟମରେ ନିଜର ଧାନ ବିକ୍ରି କରି ପାରିବେ ଚାଷୀ । ମାର୍କେଟୟାର୍ଡ ଓ କ୍ରୟ କେନ୍ଦ୍ର ମାନଙ୍କରେ ସମସ୍ତ ସୁବିଧା ସହ ସରଞ୍ଜାମ ପ୍ରସ୍ତୁତ ଥିବା ମଧ୍ୟ କୁହାଯାଇଛି ।

ହେଲେ ଏହାରି ଭିତରେ ଆରମ୍ଭରୁ କେଁ ଦେଖାଯାଇଛି । ଟୋକନର ଅବଧିକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ଚାଷୀ । ଟୋକନ ଅବଧି ୧୫ ଦିନ କରାଯାଇଥିବା ବେଳେ ଏହାକୁ ୩୦ ଦିନ ପର୍ଯ୍ୟନ୍ତ ସମୟ ବୃଦ୍ଧି କରାଯାଉ ବୋଲି ଦାବି କରିଛନ୍ତି ଚାଷୀ । ଅନ୍ୟପଟେ ପୂର୍ବ ବର୍ଷ ମାନଙ୍କରେ ଲାଗି ରହିଥିବା ସମସ୍ୟାର ସମାଧାନ ପାଇଁ କୌଣସି ପଦକ୍ଷେପ ନେଉନଥିବାରୁ ଚାଷୀ ଓ ଚାଷୀ ପ୍ରତିନିଧି ଅଭିଯୋଗ କରିଛନ୍ତି ।

ତେବେ ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଜିଲ୍ଲାସ୍ତରୀୟ ବୈଠକରେ ଜିଲ୍ଲାପାଳ ଏହି ସୂଚନା ଦେଇଥିବା ବେଳେ ବୈଠକରେ ଜିଲ୍ଲାପାଳଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ,ଏସ୍‌ପି ରାହୁଲ ଜୈନ, ସାଂସଦ ପ୍ରତିନିଧି ସୁରେଶ୍ୱର ଶତପଥି, କୃଷି ଓ ଯୋଗାଣ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।