Advertisment

ମଣ୍ଡି ନ ଖୋଲୁଣୁ ଗାଁ ଗାଁ ବୁଲିଲେଣି ଅସାଧୁ ବ୍ୟବସାୟୀ, ଚିନ୍ତାରେ ଚାଷୀ

ସଚିବ ବୁଲିବେ ଧାନ ମଣ୍ଡି। ସେଠାକାର ସ୍ଥିତି କଣ ? ପ୍ରସ୍ତୁତି କେମିତି ରହିଛି ? ଜିଲ୍ଲା ଗସ୍ତ ସମୟରେ ଅନୁଧ୍ୟାନ କରିବେ। କିନ୍ତୁ ଗ୍ରାଉଣ୍ଡ ରିଅଲିଟି ହେଉଛି କିଛି ଅଲଗା...

author-image
Kausik Mohapatra
undefined

Paddy

ସଚିବ ବୁଲିବେ ଧାନ ମଣ୍ଡି। ସେଠାକାର ସ୍ଥିତି କଣ ? ପ୍ରସ୍ତୁତି କେମିତି ରହିଛି ? ଜିଲ୍ଲା ଗସ୍ତ ସମୟରେ ଅନୁଧ୍ୟାନ କରିବେ। କିନ୍ତୁ ଗ୍ରାଉଣ୍ଡ ରିଅଲିଟି ହେଉଛି ମଣ୍ଡି ଖୋଲିବାରେ ବିଳମ୍ୱ ହେଉଥିବାରୁ ଚାଷୀର ଧାନ ଉପରେ ଏବେ ଅସାଧୁ ବ୍ୟବସାୟୀଙ୍କ ନଜର। କେଉଁଠି କେଉଁଠି କଳାବଜାରି ବି ଆରମ୍ଭ ହୋଇଗଲାଣି। ଯାହାକୁ ନେଇ ତେଜିଛି ରାଜନୀତି।

Advertisment

ଏଥର ଭଲ ଅମଳ ହୋଇଛି। ଚାଷୀ ମନ କୁଣ୍ଢେମୋଟ। କେଉଁଠି ବିଲରେ ଲହଡି ମାରୁଛି ପାଚିଲା ଧାନ ତ କେଉଁଠି ଖଳାରେ ପଡିରହିଛି ଅମଳ ହୋଇଥିବା ଧାନ। ଅପେକ୍ଷା ଖରିଫ ଧାନ ସଂଗ୍ରହକୁ। କିନ୍ତୁ ମଣ୍ଡି ଏଯାଏଁ ଖୋଲି ନଥିବାରୁ ଚାଷୀର ଚିନ୍ତା ବଢିଯାଇଛି। କାରଣ ଧାନ ବିକିଲେ ସିନା ଋଣ ସୁଝିବ। ଚାଷୀ ମନରେ ଭୟ ମଣ୍ଡିକୁ ଯିବା ପୂର୍ବରୁ ବର୍ଷା ହେଲେ ଧାନ ସବୁ ନଷ୍ଟ ହୋଇଯିବ। ଖାଲି ସେତିକି ନୁହେଁ ଟୋକନ ସମସ୍ୟା ପାଇଁ ଠିକ୍ ସମୟରେ ଧାନ ବିକ୍ରି ହୋଇ ପାରୁନଥିବାରୁ ଚାଷୀ ମନରେ ଏବେଠୁ ଶଙ୍କା। କାରଣ ଏ ସମସ୍ୟା ପ୍ରତିଥର ମଣ୍ଡି ଖୋଲିବା ପରେ ହିଁ ଦେଖାଦେଉଛି। ସେପଟେ ମଣ୍ଡି ଖୋଲିବାରେ ବିଳମ୍ବ ହେଉଥିବାରୁ ଏହାର ସୁଯୋଗ ନେଲେଣି ଅସାଧୁ ଧାନ ବ୍ୟବସାୟୀ। ଗାଁ ଗାଁ ବୁଲି ଶସ୍ତାରେ ଚାଷୀଠୁ ଧାନ କିଣିବା ଆରମ୍ଭ କଲେଣି।

ଅନ୍ୟପଟେ ମଣ୍ଡି ଖୋଲିବା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସଚିବମାନେ ଜିଲ୍ଲା ଗସ୍ତ ସମୟରେ ମଣ୍ଡି ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟ ଶାସନ ସଚିବ ସବୁ ବିଭାଗର ସଚିବଙ୍କ ସହ ଏନେଇ ଆଲୋଚନା କରିଛନ୍ତି। ସେହିପରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ମଧ୍ୟ ଖରିଫ ଧାନ ସଂଗ୍ରହ ନେଇ ବୈଠକ କରାଯାଇ ଚାଷୀ ଯେପରି ଧାନ ବିକ୍ରୟ ବେଳେ କୌଣସି ଅସୁବିଧାର ସମ୍ମୁଖୀନ ନହୁଏ ସେନେଇ ପଦକ୍ଷେପ ନେବାକୁ ସ୍କ୍ୱାଡ ଗଠନ କରାଯାଇଛି। ଅଭିଯୋଗ ପାଇଁ ଟୋଲ୍ ଫ୍ରି ନମ୍ୱର ଜାରି ସହ ୪୮ ଘଣ୍ଟା ଭିତରେ ଚାଷୀ କିପରି ବିକ୍ରୟ ମୂଲ୍ୟ ପାଇବ ସେନେଇ ଦିଆଯାଇଛି ନିର୍ଦ୍ଦେଶ।

Advertisment

ସେପଟେ ଧାନ ମଣ୍ଡି ଖୋଲିବାରେ ବିଳମ୍ୱକୁ ନେଇ ରାଜନୀତି ଘନେଇଛି। ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ଚିଠି ଲେଖି ଦାବି କରିଛନ୍ତି ଯେ ନଭେମ୍ୱର ୧୫ ସୁଦ୍ଧା ମଣ୍ଡି ଖୋଲାଯାଉ। ନଚେତ ଅସାଧୁ ବ୍ୟବସାୟୀଙ୍କ ଦୌରାତ୍ମ୍ୟ ବଢିଯିବ। ଅପରପକ୍ଷେ କଂଗ୍ରେସ ସାଂଘାତିକ ଅଭିଯୋଗ ଆଣି କହିଛି ଅସାଧୁ ବ୍ୟବସାୟୀଙ୍କ ସହ ସରକାରଙ୍କ ମେଣ୍ଟ ହୋଇଥିବାରୁ ଚାଷୀ ହତାସ ହୋଇ କମ୍ ଦାମରେ ଧାନ ବିକୁଛି।

ଚାଷୀ ଧାନ ଧରି ବସିଛି। ଏପଟେ ମଣ୍ଡି ଖୋଲୁ ନଥିବାରୁ ବାଧ୍ୟ ହୋଇ ବାହାର ବ୍ୟବସାୟୀଙ୍କୁ ଧାନ ବିକୁଛି। ଏବେ ଅପେକ୍ଷା ସରକାର କେବେ ଚାଷୀଙ୍କ ଦୁଃଖ ଶୁଣି ମଣ୍ଡିକୁ ଖୋଲୁଛନ୍ତି।

ବରଗଡରୁ ଧର୍ମଦତ୍ତ ପାଢୀ

Paddy Procurement
Advertisment
Advertisment