• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପ୍ରତିବର୍ଷ ଚାଷ ଜମି କମୁଛି, ହେଲେ ଧାନ ବିକିବା ପାଇଁ ପଞ୍ଜୀକରଣ କିନ୍ତୁ କମୁନି । ବାଲେଶ୍ୱରଭଦ୍ରକ ଜିଲ୍ଲା ରେ ରେକର୍ଡ ସଂଖ୍ୟକ ପଞ୍ଜୀକରଣକୁ ଦେଖି ସରକାର, ପଞ୍ଜୀକୃତ ଚାଷ ଜମିର ସାଟେଲାଇଟ୍ ସର୍ବେକ୍ଷଣ କରୁଛନ୍ତି । ଏଥିରେ ସାମ୍ନାକୁ ଆସିଛି ଚାଂଚଲ୍ୟକର ତଥ୍ୟ । ଦୁଇ ଜିଲ୍ଲାରେ ସନ୍ଦେହ ଘେରରେ ଥିବା ଲକ୍ଷାଧିକ ପ୍ଳଟ୍ ମଧ୍ୟରୁ ପାଖାପାଖି ୯୦ ପ୍ରତିଶତ ଜମିରେ ଆଦୌ ଧାନ ଚାଷ ହେଉନି । ହେଲେ ଧାନ ବିକ୍ରି ପାଇଁ ପଂଜିକରଣ ହୋଇଛି ଜମି ।

ନୀଳଗିରି ଚାଷ ଜମିରେ ଚାଲିଛି ସାଟେଲାଇଟ୍ ସର୍ବେକ୍ଷଣ । କେଉଁଠି ସମବାୟ ସମିତିର କର୍ମଚାରୀ ତ ଆଉ କେଉଁଠି, ରାଜସ୍ୱ ନୀରିକ୍ଷକ ବିଲ ଭିତରକୁ ଯାଇ ଫିଜିକାଲ ସର୍ବେକ୍ଷଣରେ ଲାଗି ପଡିଛନ୍ତି ଅଧିକାରୀ । ସର୍ବେକ୍ଷଣ ପରେ ଜିଲ୍ଲା ସମବାୟ ସମିତିର ସହକାରୀ ନିବନ୍ଧକଙ୍କ ଠାରେ ଦାଖଲ ହୋଇଛି ତଥ୍ୟ । ବାଲେଶ୍ୱର ଜିଲ୍ଲା ଖଇରା ବ୍ଳକ୍‌ର ସାଟେଲାଇଟ୍ ରିପୋର୍ଟରୁ ସ୍ପଷ୍ଟ ହୋଇଛି ଯେ, ପ୍ଲଟ୍ ନମ୍ବର ୮, ୬୦, ୬୧, ୨୫୮, ୫୬ ଏବଂ ୨୮୩ ଭଳି ଅନେକ ପ୍ଳଟ୍‌ରେ ଜମାରୁ ଧାନ ଚାଷ ହୋଇନି । ହେଲେ ଧାନ ବିକିବା ପାଇଁ କିନ୍ତୁ ପଞ୍ଜୀକୃତ ହୋଇଛି ପ୍ଳଟ୍ ।

୨୦୨୨-୨୩ ଖରିଫ ଧାନ ଫସଲ ସାଟେଲାଇଟ୍ ଭେରିଫିକେସନ୍‌ର ଷ୍ଟାଟସ ରିପୋର୍ଟ ଉପରେ ବାଲେଶ୍ୱରରେ ସନ୍ଦେହଘେରରେ ଥିବା ୮୧ ହଜାର ୭୧୭ ପ୍ଳଟ୍ ମଧ୍ୟରୁ ଏଯାଏଁ ୭୮ ହଜାର ୫୨୫ର ଯାଂଚ୍ ସରିଛି । ଏଥିରୁ ମାତ୍ର ୨ ହଜାର ୬୯୨ଟିରେ ଧାନ ଚାଷ ହୋଇଥିବା ବେଳେ ବଳକା ୭୫ ହଜାର ୮୩୩ ପ୍ଳଟ୍ ଜାଲ୍ ଅର୍ଥାତ, ଜମିରେ ଧାନ ଚାଷ ହୋଇନି । କିନ୍ତୁ ବିକ୍ରି ପାଇଁ ରେଜିଷ୍ଟ୍ରେସନ ହୋଇଛି ପ୍ଲଟ୍ ।

ଚଳିତ ବର୍ଷ ଭଦ୍ରକ ଜିଲ୍ଲାରେ ମଧ୍ୟ ରେକର୍ଡ ସଂଖ୍ୟକ ଚାଷୀ ପଂଜୀକରଣ କରିଛନ୍ତି । ଧାନ ବିକ୍ରି କରିବାକୁ ହେଲେ ସାଟେଲାଇଟ୍ ସର୍ବେକ୍ଷଣ ବେଳେ ଧରା ପଡିଛି ଜମି ଜାଲିଆତି । ସର୍ଭେ ରିପୋର୍ଟରେ ଦର୍ଶାଯାଇଛି ଯେ, ଡିସେମ୍ବର ୧୨ ତାରିଖ ସୁଦ୍ଧା ସନ୍ଦେହଘେରରେ ଥିବା ଜିଲ୍ଲାରେ ୧ ଲକ୍ଷ ୨ ହଜାର ୯୫୦ ପ୍ଳଟ୍ ମଧ୍ୟରୁ ମାତ୍ର ୭ ହଜାର ୪୪୪ ପ୍ଳଟରେ ହୋଇଛି ଧାନ ଚାଷ । ବଳକା ୯୫ ହଜାର ୫୦୬ ପ୍ଳଟ୍‌କୁ ଜାଲ କରି ଚାଷ ଜମି ଦର୍ଶାଯାଇଛି । ଜିଲ୍ଲା ସହକାରୀ ନିବନ୍ଧକ କାର୍ଯ୍ୟାଳୟ ପକ୍ଷରୁ ୫୦ଟି ପ୍ଳଟ୍‌କୁ ବ୍ଳକ୍ କରାଯାଇଥିବା ବେଳେ ଅନ୍ୟ ୯୦ ପ୍ରତିଶତ ଜାଲ ପ୍ଲଟ୍ ବିରୋଧରେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ ।

ଚାଷ ଜମିରେ କେଉଁଠି ଫାର୍ମ ହାଉସ ହୋଇଛି ତ ଆଉ କେଉଁଠି ଚାଲିଛି ମାଛ ଓ ପନିପରିବା ଚାଷ । ଅନେକ ସ୍ଥାନରେ ବିଲ ଅନାବାଦୀ ହୋଇ ପଡିରହିଛି । ହେଲେ ଏସବୁ ଜମି ପୂର୍ବ ଖାତାଖତିଆନ୍ ଅନୁଯାୟୀ ଚାଷଜମି ଭାବେ ପଞ୍ଜିକୃତ ହୋଇଆସୁଛି । ଫଳରେ ସେହି ଜମିର ମାଲିକଙ୍କ ନାଁରେ ଧାନ ବିକ୍ରି ପାଇଁ ଟୋକନ ଆସୁଛି । ଆଉ ଜମିର ମାଲିକାନା ନଥିବାରୁ ସରକାରଙ୍କ ଠାରେ ଧାନ ବିକିବାକୁ ପଞ୍ଜୀକରଣ କରିପାରୁନି କ୍ଷୁଦ୍ର ଓ ନାମମାତ୍ର ଚାଷୀ । 

କିଛି ବର୍ଷ ଧରି ହଜାର ହଜାର ଜମି ମାଲିକ ସମବାୟ ସମିତିରେ ଫଲ୍ସ ଚାଷ ଜମି ପଞ୍ଜିକରଣ କରି ଫାଇଦା ନେଉଥିଲେ । ଏବେ ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଛି ନକଲି ପଞ୍ଜିକୃତ ଚାଷୀଙ୍କୁ ଧରିବାପାଇଁ ।  

(ରିପୋର୍ଟ- ବାଲେଶ୍ୱରରୁ ରଶ୍ମିରଞ୍ଜନ ଦାସ)