Advertisment

ସଂଶୋଧନ ହେଲା ଆପାର୍ଟମେଣ୍ଟ ମାଲିକାନା ସ୍ୱତ୍ୱ ଓ ପରିଚାଳନା ଆଇନ୍, ବଦଳିଲା ୩ ସଂଜ୍ଞା

ବର୍ଷେ ନ ପୂରୁଣୁ ସଂଶୋଧନ ହେଲା ଆପାର୍ଟମେଣ୍ଟ ମାଲିକାନା ସ୍ବତ୍ବ ଓ ପରିଚାଳନା ଆଇନ। ବଦଳିଲା ୩ ସଂଜ୍ଞା। ଆଉ ଛୋଟ ଆପାର୍ଟମେଣ୍ଟ କ୍ରେତାଙ୍କ ଲାଗି ଆଣିଲା ଖୁସି ଖବର ।

author-image
Santosh Kumar Sahoo
undefined

Apartments Rule

ଛୋଟ ଆପାର୍ଟମେଣ୍ଟ ମାଲିକଙ୍କ ପାଇଁ ଖୁସି ଖବର। ଏଣିକି ବାସଗୃହ ପ୍ରକଳ୍ପ କମନ ଏରିଆ ରକ୍ଷଣାବେକ୍ଷଣ ପାଇଁ ସେମାନେ ଦେବେ ଅପେକ୍ଷାକୃତ କମ୍ ଟଙ୍କା। ଅର୍ଥାତ୍ ହାଉସିଂ ପ୍ରକଳ୍ପରେ ଯେଉଁ ଆପାର୍ଟମେଣ୍ଟର ଆକାର ଯେତେ ବଡ଼ ହେବ, ତା’ର ମାଲିକ ସେତେ ଅଧିକ ମେଣ୍ଟେନାନ୍ସ ଚାର୍ଜ ଗଣିବେ। ତେବେ ୨୦୨୩ ଜୁନରେ ରାଜ୍ୟରେ ପ୍ରଚଳନ ହୋଇଥିବା ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ-୨୦୨୩ରେ ସବୁ ବାସଗୃହ କ୍ରେତାଙ୍କୁ ସମାନ ପରିମାଣର ମେଣ୍ଟେନାନ୍ସ ଦେୟ ଦେବାର ବ୍ୟବସ୍ଥା ଥିଲା। ଏଥିପାଇଁ ନିକଟରେ ଆଇନରେ ସଂଶୋଧନ କରିଛି ଗୃହ ଓ ନଗର ଉନ୍ନୟନ ବିଭାଗ। ଏହାଛଡ଼ା ଆଇନରେ ଥିବା ଅନ୍ୟ ଦୁଇଟି ଧାରା ସଂଶୋଧନ କରିଛି ବିଭାଗ। ଆଇନ ଲାଗୁ ପୂର୍ବରୁ କିଛି ନିର୍ମାତା ଗୋଟିଏ କମନ ଏରିଆରେ ଏକାଧିକ ପ୍ରକଳ୍ପ ତିଆରି କରିଛନ୍ତି। ଏଭଳି କ୍ଷେତ୍ରରେ ସବୁ ପ୍ରକଳ୍ପ ପାଇଁ ଅଲଗା ଅଲଗା ଆସୋସିଏସନ କରି କମନ ଏରିଆ ଭାଗ କରିବା ଏବେ ସମ୍ଭବ ନ ଥିବାରୁ ସମସ୍ତ ପ୍ରକଳ୍ପ ପାଇଁ ଗୋଟିଏ ମାତ୍ର ଆସୋସିଏସନ କରିବାକୁ ଆଇନରେ ପରିବର୍ତ୍ତନ ଅଣାଯାଇଛି ।

Advertisment

ସେହିପରି ଆପାର୍ଟମେଣ୍ଟ ଆଇନରେ ‘ପରିବାର’ ଶବ୍ଦର ସଂଜ୍ଞା ନିର୍ଦ୍ଧାରଣ କରାଯାଇଛି। ଏଥିରେ ପରିବାର ଅର୍ଥ ସ୍ୱାମୀ-ସ୍ତ୍ରୀ ଓ ସେମାନଙ୍କ ଉପରେ ନିର୍ଭରଶୀଳ ପୁଅ ଓ ଝିଅ ବୋଲି ଅଭିହିତ କରାଯାଇଛି । ଫଳରେ ଏଣିକି ଯଦି କୌଣସି ବାସଗୃହ ପ୍ରକଳ୍ପରେ କୌଣସି ପରିବାରର ରୋଜଗାରିଆ ପୁଅ କିମ୍ବା ଝିଅ ସମାନ ପ୍ରକଳ୍ପରେ ବାସଗୃହ କିଣନ୍ତି, ସେମାନଙ୍କର ମଧ୍ୟ ଆସୋସିଏସନ ପାଇଁ ଭୋଟିଂ ଅଧିକାର ରହିବ।

ଏପଟେ ଆପାର୍ଟମେଣ୍ଟ ମାଲିକାନାସ୍ୱତ୍ୱ ଓ ପରିଚାଳନା ନିୟମ ପ୍ରଚଳନକୁ ୧୫ ଦିନ ବିତିଥିଲେ ବି ଆସୋସିଏସନ ଗଠନକୁ ଅନୁମୋଦନ କରିବାକୁ ଥିବା କମ୍ପିଟେଣ୍ଟ ଅଥରିଟି ପାଇଁ ଆବଶ୍ୟକ ଭିତ୍ତିଭୂମି ନ ଥିବାରୁ ଏ ଯାଏଁ ଆରମ୍ଭ ହୋଇପାରିନି ଆପାର୍ଟମେଣ୍ଟ ପଞ୍ଜୀକରଣ। ଯାହାକୁ ନେଇ ଚିନ୍ତାରେ ରିଅଲ ଇଷ୍ଟେଟ୍ ଶିଳ୍ପ । ଶିଳ୍ପ ସଂଘର ଅଭିଯୋଗ, ଗତ ଦେଢ଼ ବର୍ଷରୁ ଅଧିକ ସମୟ ହେଲା ଆପାର୍ଟମେଣ୍ଟ ପଞ୍ଜୀକରଣ ବନ୍ଦ ଥିବାରୁ ରିଅଲ ଇଷ୍ଟେଟ୍ ଶିଳ୍ପର ପ୍ରାୟ ୧୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ଅଟକି ରହିଛି । ଖାଲି ସେତିକି ନୁହେଁ, ରିଅଲ ଇଷ୍ଟେଟ୍ କ୍ଷେତ୍ରକୁ ନୂଆ ପୁଞ୍ଜିନିବେଶ ବି ଆସୁନି। ତେଣୁ ସରକାର କମ୍ପିଟେଣ୍ଟ ଅଥରିଟି ଲାଗି ତୁରନ୍ତ ଭିତ୍ତିଭୂମି ଯୋଗାଇ ଦେଲେ, ଆପାର୍ଟମେଣ୍ଟ ପଞ୍ଜୀକରଣ ଆରମ୍ଭ ହୋଇପାରିବ ବୋଲି ଦାବି କରିଛି ଶିଳ୍ପ ସଂଘ ।

Advertisment

ଏବେ ଅପେକ୍ଷା, କେତେଶୀଘ୍ର ରାଜ୍ୟ ସରକାର କମ୍ପିଟେଣ୍ଟ ଅଥରିଟିକୁ ଆବଶ୍ୟକ ଭିତ୍ତିଭୂମି ଯୋଗାଉଛନ୍ତି ଓ ରାଜ୍ୟରେ କେବେ ପୁଣି ଆରମ୍ଭ ହେଉଛି ଆପାର୍ଟମେଣ୍ଟ ପଞ୍ଜୀକରଣ।

Maintenance Work
Advertisment
Advertisment