• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୋଲ ତଳେ ପଡ଼ିଛି ମଣିଷ ଖପୁରୀ । ନରମୁଣ୍ଡ ସହ ବିଛାଡ଼ି ହୋଇ ପଡ଼ିଛି ଖଣ୍ଡ ଖଣ୍ଡ ହାଡ଼ । ଯାହାକି ମଣିଷ ହାତ, ଗୋଡ଼ ଓ ପଞ୍ଜରାର ବୋଲି ପୁରା ପୁରି ବାରି ହୋଇପଡୁଛି । ରାଜଧାନୀ ଉପକଣ୍ଠ କଳାରାହଙ୍ଗରେ ମିଳିଛି ୧୪ରୁ ଅଧିକ ମଣିଷ ଖପୁରୀ । ଅଳିଆ ଆବର୍ଜନା ଭିତରେ ସନ୍ଦେହ ଜନକ ଭାବେ ପଡିଥିବା ଏତେ ସଂଖ୍ୟକ ଖପୁରୀ ଓ ହାଡ଼କଙ୍କାଳ ଦେଖି ଲୋକେ ଆତଙ୍କିତ । ଖବର ପାଇ କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାଡ୍‌ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରୁ ଏସବୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଇଷ୍ଟିଚ୍ୟୁଟ୍‌ ଅଫ୍ ମେଡିକାଲ ସାଇନ୍ସରୁ ଟେଷ୍ଟ ରିପୋର୍ଟ ଆସିବା ପରେ ତଦନ୍ତ ଅଧିକ ଆଗେଇବ ବୋଲି କହିଛି ପୋଲିସ୍ । 

ରାଜଧାନୀ ଉପକଣ୍ଠ କଳାରାହଙ୍ଗ ଇଂଜଣା ପୋଲ ତଳେ ଅଳିଆ ଆବର୍ଜନା ଭିତରେ ଏଭଳି ୧୪ରୁ ଅଧିକ ମଣିଷ ଖପୁରୀ ଓ ଅସ୍ଥିକଙ୍କାଳ ଦେଖି ବିଜୁଳି ବେଗରେ ପ୍ରଚାରିତ ହୋଇଥିଲା ଖବର । କେଉଁଠୁ ଓ କୁଆଡୁ ଆସିଲା ଏତେ ସଂଖ୍ୟକ ଅସ୍ଥି କଙ୍କାଳ ? କିଏ ଫିଙ୍ଗିଲା ଓ କାହିଁକି ଫିଙ୍ଗିଲା ? ଏଭଳି ଅନେକ ଅସମାହିତ ପ୍ରଶ୍ନ ଲୋକଙ୍କୁ ଘାରୁଥିବା ବେଳେ ସନ୍ଦେହ ଓ ଆତଙ୍କ ବି ବଢ଼ିଥିଲା । କେହି ଗୁଣି ଗାରେଡ଼ି କିମ୍ବା ତନ୍ତ୍ର ସାଧନା ସାରିବା ପରେ ଏମିତି ରାତି ଅଧରେ ଫିଙ୍ଗି ଦେଇ ପଳାଇଥିବା ନେଇ ବଢ଼ିଛି ସନ୍ଦେହ । ଏଥିସହ ଏତେ ପରିମାଣର ନରମୁଣ୍ଡକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ଭୟ ବି ସୃଷ୍ଟି ହୋଇଛି ।

୧୪ ଖପୁରୀ ସାଙ୍ଗକୁ ମାଳ ମାଳ ମଣିଷ ହାଡ଼ ପଡିଥିବା ସମ୍ପର୍କରେ ଖବର ପାଇ ତୁରନ୍ତ ଘଟଣାସ୍ଥଳକୁ ଛୁଟିଥିଲା କମିଶନରେଟ୍ ପୋଲିସ୍ ସହ ସାଇଣ୍ଟିଫିକ୍ ଟିମ୍ । ସବୁ ନର କଙ୍କାଳକୁ ଏକାଠି କରି ବାନ୍ଧିବୁନ୍ଧି ପରୀକ୍ଷା ପାଇଁ ଇଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସକୁ ପଠାଇଛି । ସେପଟେ କମିଶନରେଟ୍ ପୋଲିସର ସ୍ପେସାଲ ସ୍କ୍ୱାଡ୍‌ ମୁଖ୍ୟ ସଂଜୀବ ଶତପଥୀ କହିଛନ୍ତି ଅସ୍ଥି ଗୁଡ଼ିକର କେମିକାଲ୍ ଏକଜାମିନେସନ ରିପୋର୍ଟ ଆସିବା ପରେ ସେହି ଆଧାରରେ ତଦନ୍ତ ଆଗେଇବ । ତେବେ ପ୍ରାଥମିକ ତଦନ୍ତରୁ ଏସବୁ ହାଡ଼କଙ୍କାଳ ପୁରୁଣା ବୋଲି ଅନୁମାନ କରାଯାଉଛି । ଯେହେତୁ ନିର୍ମାଣ କାମ ଚାଲିଛି, ତେଣୁ ମାଟି ତଳେ କେଉଁଠି ପୋତା ହୋଇ ରହିବା ପରେ ମିଳିଥାଇ ପାରେ । ତଥାପି କିଏ ଏଠାକୁ ଆଣିଲା ଓ କେଉଁ ଉଦ୍ଦେଶ୍ୟରେ ଫିଙ୍ଗିଲା ତାର ଅନୁସନ୍ଧାନ କରାଯିବ ।

ପରିତ୍ୟକ୍ତ ସ୍ଥାନରୁ ମଣିଷ ଖପୁରୀ ମିଳିବା ନୂଆ ନୁହେଁ । ପୂର୍ବରୁ ୨୦୧୯ ମସିହା ନଭେମ୍ବର ୨୯ରେ ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ଏକ ସ୍କୁଲ ପଛପଟ ଡଷ୍ଟବିନରୁୁ ବି ମଳିଥିଲା ମଣିଷ ଖପୁରୀ ସାଙ୍ଗକୁ ହାଡ଼ । ସେହିପରି ନଭେମ୍ବର ୨୪, ୨୦୧୪ରେ ପୁରୀ କୁଶଭଦ୍ରା ନଦୀ ପୋଲ ତଳୁ ୨୦ରୁ ଅଧିକ ମଣିଷ ଖପୁରି ଉଦ୍ଧାର ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଥିଲା ।