• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କି ରାତି କି ଦିନ । ବିଜୁଳିକାଟ୍ ଘନଘନ । ପ୍ରଚଣ୍ଡ ତାତି ସମୟରେ ଅଘୋଷିତ ବିଦ୍ୟୁତ କାଟ୍‌ରେ କଲବଲ ରାଜ୍ୟବାସୀ । ଖୋର୍ଦ୍ଧା ସହରରେ ସନ୍ଧ୍ୟା ବେଳେ କରେଣ୍ଟ ନଥିବାରୁ ମୋବାଇଲ୍ ଲାଇଟ୍‌ରେ ଚାଲିଛି ପାଠପଢ଼ା । ଏହାସହ ଫ୍ୟାନ୍ ବୁଲୁନଥିବାରୁ ଗରମ ଓ ଗୁଳୁଗୁଳିରେ ଆଉଟୁ ପାଉଟୁ ମଣିଷ ବିଞ୍ଚଣା ହିଁ ଭରସା । ଦିନବେଳା ପ୍ରବଳ ଖରା କୋପ ଯେତିକି ଅକ୍ତାମାକ୍ତା କରୁଛି, ବିଦ୍ୟୁତ୍ କାଟ୍ ତାକୁ ଦ୍ୱିଗୁଣିତ କରି ଦେଉଛି ।

ସାମନ ସ୍ଥିତି ବାଲେଶ୍ୱରରେ । ସଞ୍ଜ ନଇଁବା ମାତ୍ରେ ରାଜୁତି କରୁଛି ଅନ୍ଧକାର । ଏଠି ପାଓ୍ୱାରକଟ୍ ନିତିଦିନିଆ ହେଲାଣି । ଜିଲ୍ଲାର ସୋର, ସିମୁଳିଆ ଓ ଖଇରା ଅଚଂଳରେ ବି ଘନ ଘନ ପାଓ୍ୱାରକାଟ୍‌ରେ ଅସ୍ତବ୍ୟସ୍ତ ହୋଇଗଲେଣି ବିଦ୍ୟୁତ୍ ଉପଭୋକ୍ତା । ସେମିତି ଗଂଜାମ ଜିଲ୍ଲାରେ ବି ଅଘୋଷିତ ବିଜୁଳି କାଟ୍‌ରରେ ଲୋକେ ସନ୍ତୁଳି ହୋଇଗଲେଣି । ସକାଳ, ମଧ୍ୟାନ୍ନ, ସନ୍ଧ୍ୟା, କେଉଁ ବେଳକୁ ବି ଛାଡ଼ୁନି ବିଦ୍ୟୁତ୍‌କାଟ୍ । ଯାହାକୁ ନେଇ ଲୋକଙ୍କ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି ।

ଏଠି ପ୍ରଶ୍ନ- ରାଜ୍ୟରେ ଉନ୍ନତ ମାନର ବିଦ୍ୟୁତ୍ ସେବା ଯୋଗାଇବାକୁ ଟାଟା ପାଓ୍ୱର ଦେଇଥିବା ପ୍ରତିଶ୍ରୁତି ଗଲା କୁଆଡ଼େ ? କାହିଁକି ବିଦ୍ୟୁତ୍ ଉପଭୋକ୍ତାଙ୍କ ସହ ଏ ଖେଳ ? ଯେଉଁ ଟାଟା ପାଓ୍ୱାର ହାତକୁ ବିଦ୍ୟୁତ୍ ବିତରଣ ହସ୍ତାନ୍ତର ପରେ ଆଉ ଆଦୌ ବିଦ୍ୟୁତ କାଟ୍ ହେବନି ବୋଲି କୁହାଯାଉଥିଲା । ଏବେ କିନ୍ତୁ ଚିତ୍ର ସମ୍ପୂର୍ଣ୍ଣ ଓଲଟା । ପାଓ୍ୱାରକଟ୍ ସମସ୍ୟା ପାଇଁ ଟ୍ରାନସଫର୍ମର ମରାମତି ଚାଲିଥିବାର ଯେଉଁ ଆଳ ଦେଖାଯାଉଛି, ତାକୁ ନେଇ ବି ତେଜିଲାଣି ଅସନ୍ତୋଷ । ଏମିତିକି ନିଜ ଦୋଷ ଲୁଚାଇବାକୁ ବିତରଣ କଂପାନୀର ଇଏ ସବୁ ଚାଲ୍ ବୋଲି କହିଛନ୍ତି ଉପଭୋକ୍ତା ।

ତେଣେ ଲୋକଙ୍କ ଚରମ ଆକ୍ରୋଶ ଭିତରେ ଟାଟା ପାଓ୍ୱାର ଦେଇଛି ସଫେଇ । ଟ୍ରାନସଫର୍ମର ମରାମତି ଓ ଲୋ-ଭୋଲଟେଜ୍ ସମସ୍ୟା ଓ ଜଳ ବିଦ୍ୟୁତ୍ ଉତ୍ପାଦନ ହ୍ରାସ, ବିଦ୍ୟୁତ୍‌କାଟ୍‌ର ମୁଖ୍ୟ କାରଣ । ଏପରିକି ଏବେ ଅସ୍ଥାୟୀ ଭାବେ ବିଦ୍ୟୁତ କାଟ୍ ଜାରି ରହିଛି, ଆଗକୁ ମଧ୍ୟ ଚାଲିବ ବୋଲି ଟାଟା ପାଓ୍ୱାର ପକ୍ଷରୁ କୁହାଯାଇଛି ।

ଟାଟା ପାଓ୍ୱାର୍ ରାଜ୍ୟରେ ବିଦ୍ୟୁତ ସେବା ଯୋଗାଇବା ଦାୟିତ୍ୱ ନେବା ଦିନଠୁ କେତେବେଳେ ବିଦ୍ୟୁତ ବିଲ୍‌ରେ ଗଡ଼ବଡ଼ ତ କେତେବେଳେ ଅଧିକ ଦେୟ ଆଦାୟ ଅଭିଯୋଗ ଚାଲିଛି । ତାଭିତରେ ଏବେ ପ୍ରଚଣ୍ଡ ଖରାଦିନେ ଘନ ଘନ ବିଦ୍ୟୁତକାଟ୍ ଲୋକଙ୍କ ଅସନ୍ତୋଷ ଚରମ ସୀମାରେ ପହଞ୍ଚାଇଛି ।