• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଟକ ବଡ଼ ମେଡ଼ିକାଲ୍‌ରେ ବିଚିତ୍ର ବ୍ୟବସ୍ଥା । ଷ୍ଟ୍ରେଚର୍ ଆଉ ହୁଇଲ ଚେୟାର ପାଇଁ ବନ୍ଧା ପଡୁଛି ମୋବାଇଲ୍ ଫୋନ୍ । ବିକଳ ହେଉଛନ୍ତି ରୋଗୀ ଓ ସମ୍ପର୍କୀୟ । କହୁଛନ୍ତି ଜମିପଟ୍ଟା ପଛେ ନିଅ, ମୋବାଇଲ୍ ନିଅନି । ପୂର୍ବରୁ ରୋଗୀ ଓ ସମ୍ପର୍କୀୟଙ୍କ ପରିଚୟପତ୍ର ରଖାଯାଉଥିଲା । ଏବେ କିନ୍ତୁ ବନ୍ଧକ ପଡୁଛି ମୋବାଇଲ୍ । ରୋଗଦୁଃଖ ସମୟରେ ଆଉ ବିକଳ୍ପ ନଥିବା ସଂପର୍କୀୟ ବା କରିବେ କଣ ? ବାଧ୍ୟ ହେଉଛନ୍ତି ମୋବାଇଲ ଦାଖଲ କରିବାକୁ ।

ସେମିତି ଜଣେ ବ୍ୟକ୍ତି ହେଉଛନ୍ତି କଟକ କନ୍ଦରପୁରର ପ୍ରକାଶ ଚନ୍ଦ୍ର ଓଝା । ନିଜ ସଂପର୍କୀୟଙ୍କୁ ଷ୍ଟ୍ରେଚରରେ ନେଇ ଏକ୍ସ-ରେ କରାଇବାର ଆବଶ୍ୟକତା ଥିବାରୁ ଟ୍ରମା କାଜୁଆଲ୍‌ଟି ସାମ୍ନାରୁ ବୁକିଂ କାଉଣ୍ଟରକୁ ଆସିଥିଲେ । ତେବେ ଷ୍ଟ୍ରେଚର୍ ନେବାକୁ ହେଲେ ଏଠିି ଦାଖଲ କରିବାକୁ ହେବ ମୋବାଇଲ୍ । ତେଣୁ ବିକଳ୍ପ ନଥିବାରୁ ମୋବାଇଲ୍ ଦାଖଲ କଲେ ଆଉ ଷ୍ଟ୍ରେଚର୍ ନେଇଗଲେ ।

କେବଳ ପ୍ରକାଶ ନୁହଁନ୍ତି, ଷ୍ଟ୍ରେଚର୍ ଓ ହୁଇଲ ଚେୟାର ନେଲେ ଯେ କୌଣସି ରୋଗୀଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ମୋବାଇଲ୍ ବନ୍ଧକ ପକାଇବାକୁ ହେବ । କଟକ ବଡ଼ ମେଡ଼ିକାଲକୁ ଆସୁଥିବା ଗୁରୁତର ରୋଗୀଙ୍କୁ କାଜୁଆଲିଟିରୁ ସିଟି ସ୍କାନ, ଏକ୍ସରେ, ଅଲ୍ଟ୍ରାସାଉଣ୍ଡ, ଏମ୍ଆର୍‌ଆଇ ଓ ଅନ୍ୟାନ୍ୟ ପରୀକ୍ଷା ପାଇଁ ଏକ୍ସ-ରେ ବିଭାଗକୁ ବୋହି ନେବାକୁ ପଡ଼ିଥାଏ । ଏହା କାଜୁଆଲିଟିଠାରୁ ଦୂରରେ ଥିବା ଯୋଗୁ ଷ୍ଟ୍ରେଚର କିମ୍ବା ହ୍ୱିଲ୍ ଚେୟାର ନିହାତି ଆବଶ୍ୟକ । ସେହି ଜରୁରୀ ସ୍ଥିତିରେ ଏଠି ମାଗଣାରେ ସେବା ଯୋଗାଉଥିବା ଘରୋଇ ଠିକା ସଂସ୍ଥା ସହାୟ କିନ୍ତୁ ମୋବାଇଲ ବନ୍ଧକ ରଖୁଛି ରୋଗୀ ଓ ସମ୍ପର୍କୀୟଙ୍କଠାରୁ । ଏଭଳି ସ୍ଥିତିରେ ମେଡିକାଲ୍ କାମରେ ଆସୁଥିବା ଲୋକେ ଜରୁରୀ ବେଳେ ବିନା ମୋବାଇଲରେ କେମିତି କାହା ସହ ଯୋଗାଯୋଗ କରିବେ, କଥା ହେବେ ସେନେଇ ପ୍ରଶ୍ନ ଉଠାଇଛନ୍ତି ।

କଟକ ଏସ୍‌ସିବି ବଡ଼ ମେଡ଼ିକାଲ୍‌କୁ ଏମ୍ ପ୍ଲସ ଘୋଷଣା କରି ବିଶ୍ୱସ୍ତରୀୟ ମେଡ଼ିକାଲ୍‌ର ସ୍ୱପ୍ନ ଦେଖାଉଛନ୍ତି ରାଜ୍ୟ ସରକାର । ହେଲେ ଷ୍ଟ୍ରେଚର୍ ଆଉ ହୁଇଲ ଚେୟାର ପାଇଁ ଏଠି ମୋବାଇଲ ବନ୍ଧକ ବ୍ୟବସ୍ଥା, ସ୍ୱାସ୍ଥ୍ୟସେବାର ଅସଲ ମୁଖା ଖୋଲିଦେଇଛି ।