• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଗାଁକୁ ଯିବ ବିଜୁଳି । ଓଟିଭିରେ ଖବର ପ୍ରସାରଣ ପରେ ବିଦ୍ୟୁତ ସଂଯୋଗ ଲାଗି ତତ୍ପର ହେଲା ପ୍ରଶାସନ । ମୟୂରଭଞ୍ଜ ଜିଲ୍ଲା କୁସୁମି ବ୍ଲକ ଉପରବେଡ଼ା ଡୁଙ୍ଗୁରିସାହିକୁ ବିଦ୍ୟୁତ ସଂଯୋଗ ପାଇଁ ତତ୍ପରତା ଦେଖିବାକୁ ମିଳିଛି । ବିଦ୍ୟୁତ୍ ବିଭାଗ ପକ୍ଷରୁ ଗତକାଲି ସର୍ଭେ ହେବା ପରେ ଆଜି ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ୍ ସଂଯୋଗ କାର୍ଯ୍ୟ ଆରମ୍ଭ କରାଯାଇଛି ।

ଗାଁରେ ଟ୍ରାନ୍ସଫର୍ମର ବସାଯିବା ସହ ଖୁଣ୍ଟ ପୋତା କାର୍ଯ୍ୟ ଆରମ୍ଭ ହୋଇଛି । ଆଜି ରାଇରଙ୍ଗପୁର ବିଦ୍ୟୁତ ବିଭାଗ ନିର୍ବାହୀ ଅଧିକାରୀ ଚିନ୍ମୟ କୁମାର ବେହେରା, କୁସୁମି ବ୍ଲକ୍ ବିଦ୍ୟୁତ ବିଭାଗ ଏସ୍‌ଡିଓ ବିରସିଂ ସୋରେନ ଓ ଅନ୍ୟ କର୍ମଚାରୀ ଡୁଙ୍ଗୁରି ସାହିରେ ପହଞ୍ଚିଥିଲେ । ସର୍ଭେ କରି ଉପରବେଡ଼ା ବଡ଼ସାହି ଠାରୁ ୨୮ଟି ବିଦ୍ୟୁତ ଖୁଣ୍ଟ ପୋତିବା ପାଇଁ ସ୍ଥାନ ଚିହ୍ନଟ ହୋଇଛି ଏବଂ ସନ୍ଧ୍ୟାରୁ ଖୁଣ୍ଟ ପୋତା କାମ ଆରମ୍ଭ କରାଯାଇଛି । ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀଙ୍କ ଗାଁକୁ ବିଦ୍ୟୁତ୍ ସଂଯୋଗ ନଥିବା ନେଇ ଓଟିଭିରେ ଖବର ପ୍ରସାରଣ ହୋଇଥିଲା ।

ସୂଚନାଯୋଗ୍ୟ; ଭାରତର ଭାବି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିଜ ଗାଁ ଉପରବେଡା ଗାଁରେ ନାହିଁ ବିଜୁଳି । ଗାଁରେ ଆଦିବାସୀ ଲୋକମାନେ ଆଶା କରିଥିଲେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ଗାଁକୁ ବିଜୁଳିବତୀ ନିଶ୍ଚୟ ଆସିବ । କେବଳ ସେତିକି ନୁହଁ ଗାଁର ଭାଗ୍ୟ ବଦଳି ଯିବ । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଠାରୁ ୨୦ କିଲୋମିଟର ଯିବା ପରେ କୁସୁମି ବ୍ଲକରେ ପଡିବ ଉପରବେଡା ଡୁଙ୍ଗୁରିସାହି । ଯେଉଁ ଗାଁ ଏବେ ବେଶ ଚର୍ଚ୍ଚିତ । ଆଦିବାସୀ ବହୁଳ ଏହି ଗାଁ ଲୋକଙ୍କ ଭିତରୁ ଅଧିକାଂଶ ନିରକ୍ଷର । ଅନେକ ଜାଣନ୍ତନିି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି କି ନାହିଁ । ତଥାପି ଦ୍ରୌପଦୀଙ୍କ ବିଷୟରେ ଖବର ପ୍ରସାରିତ ହେବାପରେ ଖୁସି କହିଲେ ନସେର ।

ହେଲେ ସବୁଠାରୁ ବଡ଼ କଥା ହେଲା, ଆଜି ଯାଏଁ ଦ୍ରୌପଦୀଙ୍କ ଗାଁକୁ ଆସିନାହିଁ ବିଜୁଳି । ଏହି ଗାଁରେ ଦ୍ରୌପଦୀଙ୍କ ଘର ସହ ଆହୁରି ପାଖାପାଖି ୫୦ରୁ ଅଧିକ ଘର ରହିଛି । ତାଙ୍କର ଜଣେ ସଂପର୍କୀୟ ବୋହୁ କହିଛନ୍ତି, ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ଜାଣି ବହୁତ ଖୁସି । ହେଲେ ଏତିକି ଦୁଃଖ ମଧ୍ୟ ଜଣାଇଥିଲେ ଯେ, ଅନେକ ନେତା ମନ୍ତ୍ରୀ ଓ ବିଧାୟକଙ୍କୁ କହିବାପରେ ବି ତାଙ୍କ ଗାଁରେ ବିଜୁଳି ବ୍ୟବସ୍ଥା ହୋଇପାରି ନାହିଁ । କିନ୍ତୁ ଦ୍ରୌପଦୀ ରାଷ୍ଟପତି ହେବା ପରେ ଗାଁକୁ ନିଶ୍ଚୟ ବିଜୁଳି ଆସିବ ବୋଲି ସେ ଆଶା ରଖିଛନ୍ତି ।