/odishatv-khabar/media/post_attachments/uploadimage/library/16_9/16_9_0/IMAGE_1682702556.jpg)
OTV Impact: Dead Man Comes Out Alive
ଓଟିଭିରେ ଖବର ବାଜିଲା, ମଲା ଲୋକ ବଞ୍ଚିଲା ଆଉ ଭତ୍ତା ବି ପାଇଲା । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏମିତି ଘଟଣା ଘଟିଛି ସୁନ୍ଦରଗଡ଼ ବଣାଇରେ । ଅଙ୍ଗନବାଡି ଦିଦିଙ୍କ ଭୁଲ ପାଇଁ ବଞ୍ଚିଥିବ ଲୋକଙ୍କୁ କାଗଜପତ୍ରରେ ମରିଯାଇଥିବା ଦର୍ଶାଯାଇଥିଲା । ଖାଲି ଦର୍ଶାଯାଇଥିଲା ତାହା ନୁହେଁ ବରଂ ତାଙ୍କର ଭତ୍ତା ବି ବନ୍ଦ କରିଦିଆଯାଇଥିଲା । ବାର୍ଦ୍ଧକ୍ୟ ସମୟରେ ଭତ୍ତା ବନ୍ଦ ହେବାରୁ ନାହିଁନଥିବା ଅସୁବିଧାର ସାମ୍ନା କରୁଥିଲେ ବୃଦ୍ଧା । ଆଉ ଏନେଇ ଓଟିଭିର ଟିମ୍ ପ୍ରଶାସନ ପାଖରେ ଖବର ପହଞ୍ଚାଇଥିଲା । ଆଉ ଏବେ ପୁଣି ଥରେ ଭତ୍ତା ଟଙ୍କା ପାଇଛନ୍ତି ବୃଦ୍ଧ ।
ସୁନ୍ଦରଗଡ ବଣାଇ ବ୍ଲକ ଜକେଇ କଲା ପଂଚାୟତ ବଡ଼ ପୋଷ ଗାଁର ମଲ୍ଲି କିସାନ । ବଞ୍ଚିଛନ୍ତି, ଠିକ୍ରେ କଥାବାର୍ତ୍ତା ବି କରୁଛନ୍ତି । ହେଲେ କାଗଜ ପତ୍ରରେ ତାଙ୍କୁ ମୃତ ଦର୍ଶାଇଥିଲେ ଅଙ୍ଗନବାଡି ଦିଦି । ବଞ୍ଚିଥିବ ଲୋକ ମରିଯାଇଥିବା ଦର୍ଶାଯିବା ପରେ ମଲ୍ଲିଙ୍କର ଭତ୍ତା ବି ବନ୍ଦ ହୋଇଥିଲା । ପରିଣତ ବୟସରେ ସରକାରୀ ଭତ୍ତା ବନ୍ଦ ହେବାକୁ ଜୀବନ ତାଙ୍କ ଲାଗି ଦୁର୍ବିପାକ ହୋଇପଡିଥିଲା।
ମଲ୍ଲିଙ୍କ ଦୁଃଖ ଓଟିଭିରେ ପ୍ରସାରଣ ହେବା ପରେ ପ୍ରଶାସନର ନିଦ ଭାଙ୍ଗିଥିଲା । ଏମିତିକି ବକେୟା ବାବଦକୁ ଥିବା ଭତ୍ତା ଟଙ୍କା ତାଙ୍କୁ ଦିଆଯାଇଥିଲା । ତେବେ ଏହି ଘଟଣାକୁ ନେଇ ଉପଖଣ୍ଡ ସାମାଜିକ ଅଧିକାରୀ କହିଛନ୍ତି, ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସୋ କଜ୍ ନୋଟିସ ମଗାଯାଇଛି ।
ଆଶ୍ଚର୍ଯ୍ୟର କଥା ସରକାରୀ କର୍ମଚାରୀ ସଠିକ ତଦନ୍ତ ନକରି ଜଣେ ଜୀବିତ ବ୍ୟକ୍ତିଙ୍କୁ ମୃତ ବୋଲି ରିପୋର୍ଟ ଦେଲେ । ଆଉ ଏହାକୁ ନେଇ ବଞ୍ଚିଥିବା ବ୍ୟକ୍ତିଙ୍କର ଭତ୍ତା ବି ବନ୍ଦ ହୋଇଗଲା । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ଦେଖାଯିବା ସହିତ ଘଟଣାରେ ଯିଏ ଦୋଷୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଜୋର ଧରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)