• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଗୋଆ ଷ୍ଟାଇଲରେ ପୁରୀ ବିଚ୍‌ !

  • ବିଚ୍‌ରେ ମଦ ପିଇବାର ସୁବିଧା କରିବ OTDC ।

  • ଶଙ୍କାରାଚାର୍ଯ୍ୟ କରୁଛନ୍ତି ବିରୋଧ ।

ପୁରୀ: ପୁରୀ ବେଳାଭୂମିରେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ବା OTDC ପକ୍ଷରୁ ହେବ ମଦ୍ୟ ପାନ ବ୍ୟବସ୍ଥା । ବିଚ୍ ସ୍ନାକ୍ସ ନାଁରେ ଖୋଲିବାର ଯୋଜନା ଥିବା ବେଳେ ଗୋଆ ଭଳି ପୁରୀ ବେଳାଭୂମୀରେ ଏହି ବ୍ୟବସ୍ଥା ପାଇଁ ଓଟିଡିସି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ପର୍ଯ୍ୟଟକଙ୍କ ପାଇଁ ମଦ୍ୟପାନ ବ୍ୟବସ୍ଥା ହୋଇଛି ।  ଏଥିପାଇଁ ଅନଲାଇନ୍ ଆବେଦନ ଆରମ୍ଭ ହୋଇ ସାରିଥିବା ବେଳେ ଆସନ୍ତାକାଲି ଏହାର ଆବେଦନର ଶେଷ ଦିନ ରହିଛି ।

ଅନ୍ୟପଟେ ଶ୍ରୀକ୍ଷେତ୍ର ଭଳି ଜାଗାରେ ଓଟିଡିସି ପର୍ଯ୍ୟଟନର ବିକାଶ ନାଁରେ ମଦ ପ୍ରସାରର ଯୋଜନାକୁ କଡା ବିରୋଧ କରିଛନ୍ତି ପୁରୀର ବିଭିନ୍ନ ସଂଗଠନ । ଏଭଳି ଯୋଜନାକୁ ଜମା ବି ପୁରୀ ସହରରେ କରାଇ ଦିଆଯିବ ନାହିଁ ବୋଲି ବିଭିନ୍ନ ସଂଗଠନ କହିଛନ୍ତି । ଏଥିପାଇଁ ୫୦ରୁ ଅଧିକ ସଂଗଠନ ଏକାଠି ହୋଇଥିବା ବେଳେ ଏନେଇ ପୁରୀ ଜିଲାପାଳଙ୍କୁ ଭେଟି ଏହି ଯୋଜନା ବନ୍ଦ ପାଇଁ ଦାବି କରାଯାଇଛି ।

ସେପଟେ ଅଧ୍ୟାତ୍ମିକ ଓ ଧାର୍ମିକ ନଗରୀ ଶ୍ରୀକ୍ଷେତ୍ରର ମହୋଦଧି କୂଳରେ ଏପରି ମଦ୍ୟପାନ ବ୍ୟବସ୍ଥା ବନ୍ଦ କରିବାକୁ ଜଗତଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମତ ରଖିଛନ୍ତି । ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପୁରୀ ବେଳାଭୂମିରେ ମଦ କୁଟିର ପ୍ରତିଷ୍ଠାରୁ କ୍ଷାନ୍ତ ରୁହନ୍ତୁ ବୋଲି ସେ କହିଛନ୍ତି । 

ରାଜ୍ୟର ପ୍ରମୁଖ ୬ଟି ସମୁଦ୍ରତଟରେ ଗୋଆ ଭଳି ବେଳାଭୂମି କୁଟୀର ବା ଅସ୍ଥାୟୀ ବାର ନିର୍ମାଣ ଲାଗି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଯେଉଁଠି ମିଳିବ ଭଳିକି ଭଳି ସୁସ୍ୱାଦୁ ଖାଦ୍ୟ ସାଙ୍ଗକୁ ଆଲକୋହଲ ଯୁକ୍ତ ପାନୀୟ, ମ୍ୟୁଜିକ୍ ସାଙ୍ଗକୁ ମନୋରଂଜନର ଅନ୍ୟାନ୍ୟ ସୁବିଧା । ଘରୋଇ ସଂସ୍ଥାମାନେ ଏସବୁ ବାର ପରିଚାଳନା ଦାୟିତ୍ୱରେ ରହିବେ । ତେବେ ଓଟିଡିସି ସମସ୍ତ ଆନୁସଂଗିକ ସୁବିଧା ଯୋଗାଇ ଦେବ ବୋଲି ସ୍ଥିର ହୋଇଛି ।

ରାଜ୍ୟର ଏହି ୬ଟି ବେଳାଭୂମି ହେଲା ବାଲେଶ୍ୱରର ତାଳସାରି, ଚାନ୍ଦିପୁର, ପାରାଦ୍ୱୀପ, ପୁରୀ, କୋଣାର୍କ ଏବଂ ଗଞ୍ଜାମର ପଟି ସୋନାପୁର ଏବଂ ଗୋପାଳପୁର । ଏହି ସବୁସ୍ଥାନରେ ୨୦ଟି ବେଳାଭୂମି କୂଟୀର ବା ଅସ୍ଥାୟୀ ବାର ନିର୍ମାଣ ଲାଗି ସରକାର ଘରୋଇ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କଠାରୁ ଆବେଦନ ଆହ୍ୱାନ କରିଛନ୍ତି । ହୋଟେଲ ଓ ବାର ପରିଚାଳନାରେ ଅତି କମ୍‌ରେ ୩ ବର୍ଷର ଅଭିଜ୍ଞତା ଥିବା ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କୁ ଏସବୁ ବାରର ପରିଚାଳନା ଦାୟିତ୍ୱ ଦିଆଯିବ । ତେବେ ଏଥିପାଇଁ ଆବଶ୍ୟକ ଜମି, ବିଦ୍ୟୁତ୍, ପାଣି, ସ୍ୱରେଜ୍ ଓ ବର୍ଜ୍ୟ ପରିଚାଳନାରେ ଓଟିଡିସି ସହାୟତା କରିବ । ସେହିପରି କେବଳ ଓଟିଡିସି ହିଁ ଏସବୁ ବାରକୁ ଆଲକୋହଲଯୁକ୍ତ ପାନୀୟ ଯୋଗାଣ କରିବ ।

କେବଳ ପରିବେଶ ଉପଯୋଗୀ ସାମଗ୍ରୀ ଯେଭଳି କାଠ, ବାଉଁଶ ଓ ଅନ୍ୟାନ୍ୟ ଅସ୍ଥାୟୀ ଉପକରଣରେ କୂଟୀର ନିିର୍ମାଣ କରାଯିବ । କେଉଁଠି ବି ସିମେଣ୍ଟ କିମ୍ବା ରଡ୍ ବ୍ୟବହାର କରାଯିବ ନାହିଁ । କୌଣସି ସ୍ଥାନରେ ସବୁଜିମା ଥିଲେ ତାକୁ ସଂପୂର୍ଣ୍ଣ ସୁରକ୍ଷିତ କରାଯିବ । ବେଳାଭୂମିର ପରିବେଶ ଯେପରି ପ୍ରଦୂଷିତ ନହୁଏ ସେଥିଲାଗି ପରିଚାଳନା ଦାୟିତ୍ୱ ନେଉଥିବା ସଂସ୍ଥାମାନେ ଦୃଷ୍ଟି ଦେବେ । ଉକୃଷ୍ଟମାନର ସେବା ଓ ସଂପୂର୍ଣ୍ଣ ପେସାଦାର ଭାବେ ଏସବୁ କୂଟୀରର ପରିଚାଳନା କରାଯିବ । ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଗାଇଡ୍‌ଲାଇନର ଉଲ୍ଲଙ୍ଘନ ହେଲେ ଓଟିଡିସି ସଂପୃକ୍ତ ସଂସ୍ଥାଠାରୁ ପରିଚାଳନା ଦାୟିତ୍ୱ ପ୍ରତ୍ୟାହାର କରିନେବ ।