• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଜେଇ ସିଭିଲ ପ୍ରଶ୍ନପତ୍ର ଲିକ୍ ପଛରେ ଅଛି କି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନର ଅଧିକାରୀ କିମ୍ବା କର୍ମଚାରୀଙ୍କ ସଂପୃକ୍ତି । କେଉଁ ସ୍ତରରୁ ହେଲା ପ୍ରଶ୍ନପତ୍ର ଲିକ୍ । ଦଲାଲଙ୍କ ହାତକୁ କେମିତି ଗଲା ପ୍ରଶ୍ନପତ୍ର, ଆଉ ପରୀକ୍ଷାର୍ଥୀଙ୍କ ନାଁ ନମ୍ବର । ଏସବୁ ପ୍ରଶ୍ନକୁ ନେଇ ଆଜି OSSC କାର୍ଯ୍ୟାଳୟ ଘେରିଛନ୍ତି ଛାତ୍ରଛାତ୍ରୀ । ଏହା ଭିତରେ ଓଟିଭି ହାତରେ ଲାଗିଛି ଦଲାଲ ପ୍ରସ୍ତୁତ କରିଥିବା ପରୀକ୍ଷାର୍ଥୀଙ୍କ ExCLUSIVE ତାଲିକା ଓ ସେମାନଙ୍କ ମଧ୍ୟରୁ ଜଣେ ପରୀକ୍ଷାର୍ଥୀଙ୍କ ପ୍ରତିକ୍ରିୟା ।

ଜେଇ ସିଭିଲ ପ୍ରଶ୍ନପତ୍ର ଲିକ୍ ପଛରେ କିଏ ? OSSCରେ ଏବେ ବି କାମ କରୁଛି କି ବିରଞ୍ଚି ଥିଓରୀ ? ପ୍ରଶ୍ନପତ୍ର ଲିକ୍ ମାମଲାରେ କେମିତି ଥିଲା ଦଲାଲଙ୍କ କାରସାଦି ? ବାଲେଶ୍ୱର ପୋଲିସ ହାତରେ ଲାଗିଥିବା ଏ ହେଉଛି ସେହି ତାଲିକା, ଯେଉଁଥିରେ ରହିଛି ଜେଇ ସିଭିଲ ପ୍ରଶ୍ନପତ୍ର ଲିକ୍ ମାମଲାରେ ଦଲାଲ ଲେଖିଥିବା ପରୀକ୍ଷାର୍ଥୀଙ୍କ ନାଁ ଆଉ ଫୋନ୍ ନମ୍ବର । ଏସବୁ ପରୀକ୍ଷାର୍ଥୀଙ୍କୁ ଟାର୍ଗେଟ କରି ଯୋଗାଯୋଗ କରିଥିଲେ ଦଲାଲ୍ । ଏମିତି କି ବସରେ ବସାଇ ବାଲେଶ୍ୱର ସୀମାନ୍ତ ଦୀଘାକୁ ନେଇଥିଲେ ।

ଡିଲ୍ ହୋଇଥିଲା ଟଙ୍କା ବାବଦକୁ ଦଲାଲଙ୍କ ପାଖରେ ବନ୍ଧା ରହିବ ସାର୍ଟିଫିକେଟ । ଦିଆ ଯାଇଥିବା ପ୍ରଶ୍ନପତ୍ର ମେଳ ଖାଇଲେ ପରୀକ୍ଷା ଦେବା ପରେ ୫୦ ପ୍ରତିଶତ ଆଉ ଚାକିରି ପାଇବା ପରେ ୫୦ ପ୍ରତିଶତ ଟଙ୍କା ଦେବାକୁ ହୋଇଥିଲା ଡିଲ୍ । ଜଣଙ୍କ ପିଛା ୮ରୁ ୧୦ ଲକ୍ଷ ଟଙ୍କା ପାଇଁ ହୋଇଥିଲା ମୂଲଚାଲ । ଦଲାଲ୍ ଯୋଗାଯୋଗ କରିଥିବା ଜଣେ ଛାତ୍ରଙ୍କ କହିବା କଥା, ସେମାନଙ୍କୁ ହ୍ୱାଟସାପ ଜରିଆରେ କଲ୍ ଯାଇଥିଲା । କିନ୍ତୁ କିଏ କଲ୍ କରିଥିଲା ସେମାନଙ୍କୁ ଚିହ୍ନିନଥିବା ସେ କହିଛନ୍ତି ।

ପ୍ରଶ୍ନ ଉଠୁଛି ପରୀକ୍ଷାର୍ଥୀଙ୍କ ତାଲିକା ଆଉ ଫୋନ ନମ୍ବର କେମିତି ପାଇଲେ ଦଲାଲ୍ ? ପ୍ରଶ୍ନ ପ୍ରସ୍ତୁତି ଓ ପରୀକ୍ଷା ପରିଚାଳନା OSSC ନିଜେ କରୁଥିବା ବେଳେ ଦଲାଲଙ୍କ ପାଖକୁ କେମିତି ଗଲା ପ୍ରଶ୍ନପତ୍ର ? ଦଲାଲ ଓ OSSC ଅଧିକାରୀଙ୍କ ମଧ୍ୟରେ ରହିଛି କି ମଧୁଚନ୍ଦ୍ରିକା । କିଛି ମାସ ତଳେ OSSC ସଦସ୍ୟଙ୍କ ବ୍ୟକ୍ତିଗତ ସହାୟକ ବିରଞ୍ଚି ନାରାୟଣ ସାହୁଙ୍କୁ ମଧ୍ୟ ଚାକିରି କରାଇଦେବା ନାଁରେ ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଥିଲା ଭିଜିଲାନ୍ସ । ତେଣୁ ଏବେ ବି ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିଶନରେ ବିରଞ୍ଚି ଥିଓରୀ କାମ କରୁଥିବା ନେଇ ସନ୍ଦେହ ଉପୁଜିଛି ।

ଏପଟେ ପ୍ରଶ୍ନପତ୍ର ଲିକ୍ ଘଟଣାରେ ତଦନ୍ତ ଏବଂ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଓଏସଏସସିଙ୍କ ଅଫିସ୍ ଆଗରେ ଆଜି ଧାରଣା ଦେଇଥିଲେ ପରୀକ୍ଷାର୍ଥୀ । ବାତିଲ ହୋଇଥିବା ପରୀକ୍ଷା ସେପ୍ଟେମ୍ବର ୩ରେ ହେବାକୁ ଥିବା ବେଳେ ଏହାକୁ ସ୍ୱଚ୍ଛତାର ସହ କରିବାକୁ କମିଶନରଙ୍କ ପ୍ରତିଶ୍ରୁତି ପାଇଁ ଅଡି ବସିଥିଲେ । ହେଲେ ଅଭିଯୋଗ ଶୁଣିବା ତ ଦୂରର କଥା ଖୋଲି ନଥିଲା କମିଶନଙ୍କ କାର୍ଯ୍ୟାଳୟର ଗେଟ । ଘଣ୍ଟା ଘଣ୍ଟାର ପ୍ରତିବାଦ ପରେ ଗେଟ ସାମ୍ନାରେ ଦଣ୍ଡବତ ମାରି ଖାଲି ପାଦରେ ଚାଲି ଚାଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିଥିଲେ ପରୀକ୍ଷାର୍ଥୀ ।

ବାଲେଶ୍ୱର ପ୍ରଶ୍ନପତ୍ର ଲିକ ମାମଲାରେ ମାତ୍ର ୯ ଜଣ ଦଲାଲ ଗିରଫ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ମାଷ୍ଟର ମାଇଣ୍ଡର ପତ୍ତା ପାଉନି ପୋଲିସ୍ । ବଡ଼ ପ୍ରଶ୍ନ, ଓଡିଶା ଷ୍ଟାଫ ସିଲେକ୍ସନ କମିଶନକୁ କାହିଁକି ତଦନ୍ତ ପରିସରକୁ ଆଣୁନି ପୋଲିସ । ବିଭାଗୀୟ ଅଧିକାରୀଙ୍କ ସଂପୃକ୍ତି ନେଇ ସନ୍ଦେହ ବଢୁଥିବା ବେଳେ କାହିଁକି ଚୁପ୍ ବସୁଛନ୍ତି OSSCର ଅଧ୍ୟକ୍ଷ ଦାୟିତ୍ୱରେ ଥିବା ପୂର୍ବତନ ପୋଲିସ ଡିଜି ଅଭୟ । ଅନ୍ୟପକ୍ଷରେ ପ୍ରଶ୍ନପତ୍ର ଲିକ୍ ମାମଲାରେ OSSC କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

  • Reported by:
  • RASHMIRANJAN DAS , SOUMYA RANJAN SAHOO