Advertisment

ମୁଣ୍ଡ ଉପରେ ଦୁଃଖର ପାହାଡ଼, ତଥାପି ଚାଲିଥିଲେ: ଏବେ ପ୍ରବେଶିକା ପରୀକ୍ଷାରେ ଟପ୍ପର ହେଲେ ଅନାଥ ଶର୍ମିଷ୍ଠା

ଛୋଟ ଝିଅଟିଏ। ଧୂଳି ଖେଳ ଛାଡ଼ିବା ପୂର୍ବରୁ ଆରମ୍ଭ ହୋଇଗଲା ସଂଘର୍ଷ। ଜୀବନ କ’ଣ ଚିହ୍ନିବା ଆଗରୁ ମୁଣ୍ଡ ଉପରୁ ଦୂରେଇ ଗଲା ବାପା-ମା’ଙ୍କ ଆଶୀର୍ବାଦର ହାତ। କେମିତି ବଞ୍ଚିବେ ତାହା ତାଙ୍କ ଭାବନାର ବାହାରେ ଥିଲା।

author-image
Minati Mishra
ଅଦ୍ୟତନ ହୋଇଛି
orphan girl sharmistha

orphan girl sharmistha

 କଟକ:ଛୋଟ ଝିଅଟିଏ। ଧୂଳି ଖେଳ ଛାଡ଼ିବା ପୂର୍ବରୁ ଆରମ୍ଭ ହୋଇଗଲା ସଂଘର୍ଷ। ଜୀବନ କ’ଣ ଚିହ୍ନିବା ଆଗରୁ ମୁଣ୍ଡ ଉପରୁ ଦୂରେଇ ଗଲା ବାପା-ମା’ଙ୍କ ଆଶୀର୍ବାଦର ହାତ। କେମିତି ବଞ୍ଚିବେ ତାହା ତାଙ୍କ ଭାବନାର ବାହାରେ ଥିଲା। ଏହି ସମୟରେ ସହାୟତାର ହାତ ବଢାଇଲେ ମଉସା। ହେଲେ ସେତିକ ବି ତାଙ୍କ ଭାଗ୍ୟରେ ନ ଥିଲା। ଯେଉଁ ଡାଳ ଧରୁଥିଲେ ଯେମିତି ତାହା ଭଙ୍ଗି ଯାଉଥିଲା। ତଥାପି ହାର ମାନି ନ ଥିଲେ। ଚାଲିଥିଲେ।  ତାଙ୍କର ନିଷ୍ଠା, ଉଦ୍ୟମ ଆଉ ଆଗକୁ ଯିବାର ଜିଦ୍‌ ଆଗରେ ହାର ମାନିଛି ଦୁଃଖ। ଅନାଥ ଝିଅ ଏବେ ଡିପ୍ଲୋମା ପ୍ରବେଶିକା ପରୀକ୍ଷାରେ  ଟପ୍ପର ହୋଇଛନ୍ତି।  କଟକ ସ୍ଥିତ ବୋଷ ଇଂଜିନିୟରିଂ ସ୍କୁଲରେ ଡିପ୍ଲୋମା ପଢ଼ିବା ପାଇଁ ମନୋନୀତ ହୋଇଛନ୍ତି।

Advertisment

ସଂଘର୍ଷ ଭିତରେ ସଫଳତା ସାଉଁଟି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥିବା ଏହି ସୁନା ଝିଅ ହେଉଛନ୍ତି  ଶର୍ମିଷ୍ଠା ମାହାପାତ୍ର। ଘର କଟକ ଜିଲ୍ଲା ନରସିଂହପୁରରେ। ବାପା-ମା’ଙ୍କର ଗୋଟିଏ ବୋଲି ଝିଅ ଶର୍ମିଷ୍ଠା ଜୀବନକୁ ଭଲ ଭାବେ ବୁଝିବା ଆଗରୁ ଆରପାରିକୁ ଚାଲିଗଲେ ବାପା ମା’। ଚାଲି ଶିଖି ନ ଥିବା ଶର୍ମିଷ୍ଠା କେମିତି ଏତେବଡ ଦୁନିଆରେ ଏକା ଏକା ଚାଲିବେ ଭାବି ପାରୁ ନ ଥିଲେ। ଏହି ସମୟରେ ଆଶ୍ୱାସନା ଦେଇଥିଲେ ମଉସା। ପାଖରେ ରଖି ପାଠ ପଢାଇବାର ପ୍ରତିଶ୍ରୁତି ଦେଇଥିଲେ। ହେଲେ ଭାଗ୍ୟ ସେତକ ବି ସହିଲା ନାହିଁ। ମଉସା ବି ହାତ ଛାଡ଼ି ଚାଲିଗଲେ ଆରପାରିକୁ। 

ଦୁଃଖର ପାହାଡ ମୁଣ୍ଡେଇ ଚାଲିବା କଷ୍ଟକର ଥିଲା। ତଥାପି ସେ ହାରି ନ ଥିଲେ। ପାଠ ପଢିବାର ନିଷ୍ଠା ଆଉ ଜିଦ୍‌ ପାଖରେ ସବୁ କଷ୍ଟ ତାଙ୍କୁ ସହଜ ମନେ ହେଉଥିଲା। ଜିଲ୍ଲା ପ୍ରଶାସନର ସହାୟତରେ ମଉସାଙ୍କ ଘରୁ ଶୋଭନୀୟ ଶିକ୍ଷାଶ୍ରମକୁ ଆସିଲେ ଶର୍ମିଷ୍ଠା। ସେଠାରେ ଗୁରୁମାଙ୍କ ସ୍ନେହ, ଆଦର, ଦିଗଦର୍ଶନ ତାଙ୍କୁ ଆଗକୁ ଯିବା ପାଇଁ ବାଟ ଦେଖାଇଥିଲା, ପ୍ରୋତ୍ସାହନ ଦେଇଥିଲା। 

Advertisment

ଆତ୍ମନିର୍ଭରଶୀଳ ହେବା ପାଇଁ ଚାହୁଁଥିଲେ ଶର୍ମିଷ୍ଠା। ତାହାକୁ ଆଖିରେ ରଖି ପଢିବା ଆରମ୍ଭ କରିଥିଲେ। ଏବେ ବୋଷ ଇଞ୍ଜିନିୟରିଂ କଲେଜରେ ଡିପ୍ଲୋମା ପଢିବା ପାଇଁ ମନୋନୀତ ହୋଇଛନ୍ତି। ନିଜ ଦୁଃଖଦ ଅନୁଭୂତି ବର୍ଣନା କରି ଶର୍ମିଷ୍ଠା କହନ୍ତି, ‘ବାପାମା’ ଯିବା ପରେ ଭାଙ୍ଗି ପଡ଼ିଥିଲି। ମଉସା ପାଖରେ ରଖି ମୋର ଦାୟିତ୍ୱ ନେଉଥିଲେ। ହେଲେ ଦଶମ ଶ୍ରେଣୀରେ ପଢିବା ସମୟରେ ସେ ବି ହାତ ଛାଡ଼ି ଚାଲିଗଲେ। ବହୁତ ଭାଙ୍ଗି ପଡ଼ିଥିଲି। ହେଲେ ଶୋଭନୀୟ ଶିକ୍ଷାଶ୍ରମକୁ ଆସିବା ପରେ ଗୁରୁମାଙ୍କ ସ୍ନେହ ଓ ଦିଗଦର୍ଶନ ମୋତେ ଏତେ ବାଟକୁ ଆଣିପାରିଛି।’ 

ଏବେ ଡିପ୍ଲୋମା ପ୍ରବେଶିକା ପରୀକ୍ଷାରେ ଟପ୍ପର ହୋଇ  ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଶର୍ମିଷ୍ଠା।   ତାଙ୍କର ସ୍ୱପ୍ନ ଏଇଠି ସରି ଯାଇନି। ଭବିଷ୍ୟତରେ ଜଣେ ଆଇଏଏସ ଅଧିକାରୀ ହେବେ ବୋଲି ଲକ୍ଷ୍ୟ ରଖିଛନ୍ତି । ଶର୍ମିଷ୍ଠାଙ୍କ ସଫଳତାରେ ଶୋଭନୀୟ ଶିକ୍ଷାଶ୍ରମ କର୍ତ୍ତୃପକ୍ଷ ବେଶ ଗର୍ବିତ ବୋଲି କହିଛନ୍ତି  ।

Inspiring Story Odisha
Advertisment
Advertisment