ପୁରୀ: ପଚାରିଲେନି ୫ ପୁଅ। ଅକଥନୀୟ ନିର୍ଯାତନା ଦେଲେ। ଘରୁ ତଡ଼ିଦେଲ। ବୁଢା ବୟସରେ କୁଆଡେ ଯିବେ ? ପିଲାମାନଙ୍କ ପାଦ ଧରି ନେହୁରା ହେଲେ । ହେଲେ କେହି ତାଙ୍କୁ ଦୁଃଖ ଶୁଣିଲେନି। କେହି ଲୁହ ପୋଛି ଦେଲେନି କି ସହାୟତାର ହାତ ବଢାଇଲେନି। ଓଲଟା ଗୋଡ଼ ଛାଟି ପଳାଇଗଲେ। ୫ ପୁଅ ଓ ଗୋଟିଏ ଝିଅକୁ ଜନ୍ମ ଦେଲେ। ମଣିଷ କଲେ। ହେଲେ ମମସ୍ତେ ପର କରିଦେଲେ ! ସେବା ଶୁଶ୍ରୂଷା ତ ପର କଥା, ଶତ୍ରୁ ପରି ବ୍ୟବହାର କଲେ, ମାରଧର, ଗାଳିଗୁଲଜ କଲେ। ଅଭିମାନରେ ଭରିଗଲା ବୃଦ୍ଧ ବାପାର ମନ। ଏ ମିଛ ସଂସାରରେ ସମସ୍ତେ ପର..କେବଳ କାଳିଆ ନିଜର। ଏହା ଭାବି ବାହାରି ଆସିଲେ ଘରୁ।
ରାତିର ଘନ ଅନ୍ଧାର ଭିତରେ ଚାଲୁଥାନ୍ତି । ମଝିରେ ବର୍ଷା ବି ହେଉଥାଏ। ହେଲେ ସେଥିକି ଖାତିର ନ ଥାଏ। କାଳିଆ ଭରସାରେ ଚାଲିଥାନ୍ତି। ଏ କେଉଁ ଫିଲ୍ମର କାହାଣୀ ନୁହେଁ। ଜଣେ ହତଭାଗ୍ୟ ବାପାର ଦୁଃଖଭରା ଅନୁଭୂତି।
ଚନ୍ଦନପୁର ପାଖରେ ବୃଦ୍ଧ ଜଣକ ବର୍ଷାରେ ଭିଜି ଭିଜି ଯାଉଥିବା କିଛି ଲୋକ ଦେଖି ତାଙ୍କ ପାଖରେ ଅଟକିଥିଲେ। ରାତିରେ କୁଆଡେ ଯାଉଛି ବୋଲି ପଚାରିବାରୁ କାନ୍ଦି କାନ୍ଦି କାଳିଆ ଦର୍ଶନ ପାଇଁ ଯାଉଥିବା କହିଥିଲେ। ହେଲେ ବସ୍, ମଟର ଚାଲୁନି। ଚାଲି ଚାଲି କାହିଁକି ଯାଉଛ ବୋଲି ପଚାରିବାରୁ ନିଜ କୋହ ସମ୍ଭାଳି ପାରି ନ ଥିଲେ ବୃଦ୍ଧ ଜଣକ। କାନ୍ଦି କାନ୍ଦି ନିଜ ଦୁଃଖ ବଖାଣିଥିଲେ। ପୁଅ-ବୋହୂମାନେ ମାରଧର କରୁଛନ୍ତି, ନିର୍ଯାତନା ଦେଉଛନ୍ତି, ଖାଇବାକୁ ଦେଉ ନାହାନ୍ତି। କିଛି ଉପାୟ ନ ପାଇ ଶେଷରେ ରାତି ଅଧରେ ଘର ଛାଡ଼ି କାଳିଆ ପାଖକୁ ଚାଲି ଆସିଛନ୍ତି।
ସ୍ଥାନୀୟ ଲୋକମାନେ ତାଙ୍କୁ ଆଶ୍ୱାସନା ଦେବା ସହ ବୀର ପ୍ରତାପପୁର ନିକଟରେ ଥିବା ଜରାଶ୍ରମ ନୀଳାଦ୍ରିନିଳୟରେ ରଖାଇବାର ବ୍ୟବସ୍ଥା କରିଛନ୍ତି।