• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

୨୧ ଦିନରେ ପହଞ୍ଚିଲାଣି ପ୍ରାଣୀ ଚିକିତ୍ସିକଙ୍କ ଆନ୍ଦୋଳନ । ଦୁର୍ଦ୍ଦିନରେ ପଶୁ ପକ୍ଷୀଙ୍କ ସ୍ୱାସ୍ଥାବସ୍ଥା । କେଉଁଠି ଚିକିତ୍ସା ଅଭାବରୁ ପଶୁ ପକ୍ଷୀ ମୃତ୍ୟୁ ବରଣ କଲେଣି ତ କେଉଁଠି ପଶୁପ୍ରେମୀ ନିଜର ଗୃହପାଳିତ ପଶୁପକ୍ଷୀଙ୍କ ଚିକିତ୍ସା କରିନପାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନ କରିବାକୁ ବାଧ୍ୟ ହୋଇଛନ୍ତି । ସ୍ଥିତିକୁ ଦେଖିଲେ ଲାଗୁଛି ସରକାର ସମାଧାନର ବାଟ ବାହାର କରିବା ବଦଳରେ କଥା କହିପାରୁନଥିବା ନିରୀହ ପଶୁ ପକ୍ଷୀଙ୍କ ଜୀବନ, ସେମାନଙ୍କ ଭାଗ୍ୟ ଉପରେ ଛାଡ଼ି ଦେଇଛନ୍ତି ।

ବାଲେଶ୍ୱର ସଦର ମହକୁମାରେ ଥିବା ପ୍ରାଣୀ ଚିକିତ୍ସା କେନ୍ଦ୍ର ବାହାରେ ଆଜିକୁ ୨୧ ଦିନ ଧରି ପ୍ରାଣୀ ଚିକିତ୍ସକମାନେ ଚଳାଇଛନ୍ତି ଆନ୍ଦୋଳନ । ସେପଟେ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କିଏ ହାତରେ ନିଜର ପୋଷା କୁକୁର ତ ଆଉ କିଏ ବିଲେଇ ଧରି ଆସିଛି ଜିଲ୍ଲାପାଳଙ୍କୁ ଗୁହାରୀ କରିବା ପାଇଁ । ପଶୁ ଡାକ୍ତରଙ୍କ ଆନ୍ଦୋଳନ ଯୋଗୁ ଗୃହପାଳିତ ପଶୁ ପକ୍ଷୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଗଲାଣି । ସେଥିପାଇଁ ଗୁହାରୀ କରିବାକୁ ଆସିଛନ୍ତି ।

ସେପଟେ ଜିଲ୍ଲାର ଖଇରା ବ୍ଲକର ହରିପୁରର ମନମୋହନ ସ୍ୱାଇଁଙ୍କ କୁକୁଡା ଫାର୍ମରେ ଆଗରୁ ପ୍ରାଣୀ ଚିକିତ୍ସକମାନେ ରିତିମତ ଚିକିତ୍ସା କରୁଥିଲେ । ହେଲେ କିଛି ଦିନ ହେବ କୁକୁଡାମାନଙ୍କୁ କି ରୋଗ ହୋଇଛି ତାହା ସେ ଜାଣିପାରୁ ନାହାନ୍ତି । ଅଜଣା ରୋଗରେ ଅନେକ କୁକୁଡା ମଲେଣି । ଯେଉଁଥି ପାଇଁ ତାଙ୍କୁ କ୍ଷତି ସହିବାକୁ ପଡୁଛି । ସେପଟେ କୁକୁଡାକୁ ରୋଗ ବ୍ୟାପିବା ଯୋଗୁ ଅଣ୍ଡା ଦାମ ବି ବଢିଛି ।

ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ ଯୋଗୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ । ବାରିପଦା ସହରର ଜଣେ ମହିଳାଙ୍କ ଗର୍ଭଣୀ ଗାଈ ଚିକିତ୍ସା ଅଭାବରୁ ପ୍ରାଣ ହରାଇବା ପରେ ନିଜ କୋହ ସମ୍ଭାଳିନପାରି ଏକ ଗାଡ଼ିରେ ଗାଈକୁ ଲଦି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆଣିଥିଲେ । ତାଙ୍କ କହିବା କଥା, ଇନସୁରାନ୍ସ ଥିବାରୁ ଗାଈର ପୋଷ୍ଟମର୍ଟମ ନିହାତି ଦରକାର ।

ସେଥିପାଇଁ ସେ ପଶୁ ଚିକିତ୍ସକଙ୍କୁ ନିବେଦନ କରିଥିଲେ ମଧ୍ୟ କେହି ତାଙ୍କ କଥା ଶୁଣିନଥିଲେ । ପାନ୍ତ ମାଲକାନଗିରିରେ ବି ସ୍ଥିତି ଜଟିଳ । ମାଲକାନଗିରିର ଶଭଜିତ୍ ଗଉଡ । ସେ ଜଣେ କୁକୁର ପ୍ରେମୀ । ତାଙ୍କର ଛୋଟ ବଡ ମୋଟ ୧୫ଟି କୁକୁର ଥିବା ବେଳେ ଚିକିତ୍ସା ଅଭାବରୁ ୫ଟି କୁକୁର ମରିଯାଇଥିବା ସେ ଅଭିଯୋଗ କରିଛନ୍ତି ।

୨୧ଦିନ ଧରି ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ ଥମିବାରେ ନାଁ ଦରିନଥିବା ବେଳେ କିଛି ଜିଲ୍ଲାରେ ଜିଲ୍ଲାପାଳ କେବଳ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ଦାୟିତ୍ୱ ଦେଇ ଚୁପ୍ ବସିଛନ୍ତି । ସେପଟେ ଡାକ୍ତର ନଥିବାରୁ ସିଡିଭିଓ ବି ହାତ ଟେକି ଦେଲେଣି । ଏନେଇ କିନ୍ତୁ ସରକାର ନିଦା ବିଷ୍ଣୁ । ୨୧ ଦନପରେ ପ୍ରାଣୀ ଚିକିତ୍ସକଙ୍କ ସହ ରାଜ୍ୟ ସରକାରଙ୍କ କଣ ଆଲୋଚନା ହୋଇଛି, ତାହା ଜଣା ପଡିନି ।

ବାରିପଦାରୁ ମାଣିକଲାଲ ପାଣି, ବାଲେଶ୍ୱରରୁ ପ୍ରକାଶ ମହାନ୍ତି, ସୋରରୁ ନିରଂଜନ ବେହେରା, ମାଲକାନଗିରିରୁ ଜିତେନ୍ଦ୍ର ବେଉରାଙ୍କ ସହ ଭୁବନେଶ୍ୱରରୁ ରଶ୍ମିରଂଜନ ଦାସଙ୍କ ରିପୋର୍ଟ, ଓଟିଭି