• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଦୀର୍ଘ ୪ ଶହ ଦିନ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଲେ । ଶେଷରେ ଉଗ୍ରରୂପ ଦେଖାଇଲେ । ସରକାର କୌଣସି ଦାବି ନ ଶୁଣିବାରୁ ଆଜି ପୋଲିସକୁ ଚକମା ଦେଇ ବିଧାନସଭା ନିକଟ ଯାଏଁ ମାଡ଼ି ଆସିଥିଲେ ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ । ଯେଉଁଠି ପୋଲିସ ସହ ହୋଇଥିଲା ଧସ୍ତାଧସ୍ତି । ଶେଷରେ ପୋଲିସ ଆନ୍ଦୋଳନକାରୀଙ୍କୁ ଗିରଫ କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା ।

ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିଲା ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ଆନ୍ଦୋଳନ । ତେବେ ମାସ ମାସ ଧରି ଆନ୍ଦୋଳନ ସତ୍ତ୍ୱେ ବି ତାଙ୍କ କଥା କେହି ଶୁଣୁନଥିବାରୁ ଆଜି ହଠାତ୍ ଗାନ୍ଧିମାର୍ଗରେ କରିଥିଲେ ଗର୍ଜନ । ପୋଲିସର ବାରିକେଡ୍ ଭାଙ୍ଗି ବିଧାନସଭା ଆଡେ ମାଡିଚାଲିଲେ ଆନ୍ଦୋଳନକାରୀ ଅଧ୍ୟାପକ । କେହି କିଛି ବୁଝିବା ପୂର୍ବରୁ ବିଧାନସଭା ପାଖିପାଖି ପହଞ୍ଚିଗଲେ । ଡ୍ୟୁଟିରେ ଥିବା ପୋଲିସ ଯେତେ ବୁଝାଇଲେ ବି ବୁଝିବା ମୁଡରେ ନଥିଲେ । ଭାଗ୍ୟକୁ ବିଧାନସଭା ପୂର୍ବରୁ ପିଏମଜି ପାଖରେ ଏକ ଅସ୍ଥାୟୀ ବାରିକେଡ ଥିଲା ।

ଯାହାକୁ ତୁରନ୍ତ ରାସ୍ତାକୁ ଟାଣି ଆଣି ଆନ୍ଦୋଳନକାରୀଙ୍କୁ ଅଟକାଇଦେଲା ପୋଲିସ । ତଥାପି ମଧ୍ୟ ପୋଲିସ ସହ ଧସ୍ତାଧସ୍ତି ଆଉ ଠେଲାପେଲା ବେଶ କିଛି ସମୟ ଧରି ଚାଲିଥିଲା । ଘଟଣାସ୍ଥଳରେ ଡିସିପିଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚି ଆନ୍ଦୋଳନକାରୀଙ୍କୁ ଚେତାବନୀ ଦେଇଥିଲେ । ଏମିତିକି ଧସ୍ତାଧସ୍ତିରେ କେତେକ ମହିଳା ଅଧ୍ୟାପିକା ଆହତ ହୋଇଥିବା ସୂଚନା ମିଳିଛି।

୨୦୦୮ରୁ ୨୦୧୮ ମଧ୍ୟରେ ନିଯୁକ୍ତ ହୋଇଥିବା ସମସ୍ତ ବେସରକାରୀ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ସରକାରୀ ଅନୁଦାନଭୁକ୍ତ କରିବା ପାଇଁ ଦୀର୍ଘଦିନରୁ ଦାବି ହୋଇ ଆସୁଛି । ଏହି ଗୋଟିଏ ମାତ୍ର ଦାବି ନେଇ ଗାନ୍ଧିମାର୍ଗର ଧାରଣାସ୍ଥଳରେ ଦୀର୍ଘ ୪ ଶହ ଦିନ ଧରି ଶାନ୍ତିପୂର୍ଣ୍ଣ ଉପାୟରେ ଧାରଣା ଦେଇଆସୁଛନ୍ତି ଏହି ଅଧ୍ୟାପକମାନେ । ହେଲେ ଏତେଦିନ ଧରି ଧାରଣା ଦେବା ପରେ ବି ସରକାର ସେମାନଙ୍କ ସହ କୌଣସି ଆଲୋଚନା କରୁନାହାନ୍ତି। ଆନ୍ଦୋଳନକାରୀ ଅଧ୍ୟାପକଙ୍କ ଅଭିଯୋଗ ୨୦୦୮ରୁ ୨୦୧୩ ମଧ୍ୟରେ ପ୍ରତିଷ୍ଠା ହୋଇଥିବା ଅଣଅନୁଦାନପ୍ରାପ୍ତ କଲେଜଗୁଡ଼ିକୁ ଅନୁଦାନ ପ୍ରଦାନ ନିମନ୍ତେ ନୂଆ ଗ୍ରାଣ୍ଟ୍-ଇନ୍-ଏଡ୍ ନୀତି ପ୍ରସ୍ତୁତି ଆରମ୍ଭ କରିଛି ଉଚ୍ଚଶିକ୍ଷା ବିଭାଗ ।

ଏଥିସହ ୨୦୦୮ ଜୁନ୍ ୧ରୁ ୨୦୧୩ ନଭେମ୍ବର ୩୦ ମଧ୍ୟରେ ପ୍ରତିଷ୍ଠା ହୋଇଥିବା କଲେଜ୍ ଏବଂ ଏଥିରେ କାର୍ଯ୍ୟ କରୁଥିବା ଅଧ୍ୟାପକ ଓ କର୍ମଚାରୀଙ୍କ ତାଲିକା ମଗାଯାଇଛି । ଏସବୁ କଲେଜକୁ ସରକାରୀ ମାନ୍ୟତା ଓ ଦରମା ଦେବା ପାଇଁ ନୂଆ ଗ୍ରାଣ୍ଟ-ଇନ୍-ଏଡ୍ ନୀତି ଆସିବ, ଯାହାକୁ ବିରୋଧ କରିଛି ସଙ୍ଘ । ଆଜିର ଜୋରଦାର ଆନ୍ଦୋଳନ ପରେ ଶତାଧିକ ଆଧ୍ୟାପକ ଆଧ୍ୟାପିକାଙ୍କୁ ଗିରଫ କରିଛି ପୋଲିସ । ଆଗାମୀ ଦିନରେ ଆମରଣ ଅନଶନ ପାଇାଁ ସଜବାଜ ହେଉଛି ସଂଘ ।

 

  • Reported by:
  • CHANDAN PAIKRAY