• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜ୍ୟରେ ଦେଖାଦେଲାଣି ଜଳବିଦ୍ୟୁତ ସଙ୍କଟ । ଦିନକୁ ଦିନ କମୁଛି ଜଳବିଦ୍ୟୁତ ଉତ୍ପାଦନ । ଜଳଭଣ୍ଡାରଗୁଡ଼ିକରେ ପାଣି ନଥିବାରୁ ଚିନ୍ତାରେ ଓଡ଼ିଶା ଜଳବିଦ୍ୟୁତ ନିଗମ- OHPC । ନବରଙ୍ଗପୁରସ୍ଥିତ ଉପର ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପର ୪ ୟୁନିଟ୍ ବିଶିଷ୍ଟ କେନ୍ଦ୍ରର ବିଦ୍ୟୁତ ଉତ୍ପାଦନ କ୍ଷମତା ୬୦୦ ମେଗାୱାଟ୍ । କିନ୍ତୁ ଜଳସ୍ତର ଖସିବା କାରଣରୁ ଗତକାଲି ଉପର ଇନ୍ଦ୍ରାବତୀ ପ୍ରକଳ୍ପରୁ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା ବିଦ୍ୟୁତ ଉତ୍ପାଦନ । ତଥ୍ୟ କହୁଛି, ଏବେ ଇନ୍ଦ୍ରାବତୀ ଜଣଭଣ୍ଡାରର ଜଳସ୍ତର ୬୨୯.୨୮ ମିଟର ରହିଛି ।

ସେହିପରି ମାଲକାନଗିରି ବାଲିମେଳା ଜଳଭଣ୍ଡାରରେ ବି ସମାନ ଅବସ୍ଥା । ୫୧୦ ମେଗାୱାଟ୍ କ୍ଷମତା ବିଶିଷ୍ଟ ଏହି ଜଳବିଦ୍ୟୁତ ପ୍ରକଳ୍ପରୁ ଗତକାଲି ମାତ୍ର ୩୫ ମେଗାୱାଟ୍ ବିଦ୍ୟୁତ ଉତ୍ପାଦନ ହୋଇଛି । ଗତବର୍ଷ ଏହି ସମୟରେ ବାଲିମେଳା ଡ୍ୟାମ୍‌ରେ ୧୪୬୬ ଫୁଟ୍ ସ୍ତରରେ ପାଣି ଥିଲା । ଚଳିତ ବର୍ଷ ପ୍ରାୟ ୨୦ ଫୁଟ୍ କମ୍ ଅର୍ଥାତ୍ ୧୪୪୫ ଫୁଟ୍ ସ୍ତରକୁ ଖସି ଆସିଛି । ୩୨୦ ମେଗାୱାଟ୍ ଉତ୍ପାଦନ କ୍ଷମତା ରଖୁଥିବା ଉପର କୋଲାବ୍‌ରେ ମଧ୍ୟ ଜଳ ସଙ୍କଟ ଯୋଗୁ ସମ୍ପୂର୍ଣ୍ଣ ବନ୍ଦ ରହିଛି ଉତ୍ପାଦନ ।

ରାଜ୍ୟରେ ଥିବା ୭ଟି ମେଗା ଜଳବିଦ୍ୟୁତ କେନ୍ଦ୍ରର ମୋଟ ଉତ୍ପାଦନ କ୍ଷମତା ୨୦୯୯. ୫ ମେଗାୱାଟ୍ । କିନ୍ତୁ ଜୁନ୍ ୨୧ରେ ଏସବୁରୁ ଉତ୍ପାଦନ ହୋଇଛି ମାତ୍ର ୯୪.୫୪ ମେଗାୱାଟ୍, ଯାହାକି ମୋଟ୍ କ୍ଷମତାର ୫ ପ୍ରତିଶତରୁ ବି କମ୍ । ଓଏଚ୍‌ପିସି କର୍ତ୍ତୃପକ୍ଷଙ୍କ କହିବା କଥା, ଏବେ ଜଳଭଣ୍ଡାରଗୁଡ଼ିକରେ ଜଳ ଶେଷସ୍ତରରେ ପହଞ୍ଚିଲାଣି । ଗତବର୍ଷ କମ୍ ବର୍ଷା କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଜଳସେଚନକୁ ଲକ୍ଷ୍ୟ ରଖି ବିଦ୍ୟୁତ ଉତ୍ପାଦନ ବନ୍ଦ ରଖାଯାଇଛି । ଏବେ ମୌସୁମୀ ବର୍ଷା ହିଁ ଭରସା ।

 

ରାଜ୍ୟରେ କିଛିଦିନ ହେଲା ମୌସୁମୀ ସକ୍ରିୟ ଥିବାରୁ ଅନେକ ସ୍ଥାନରେ ବର୍ଷା ହେଉଛି । ତଥାପି ବର୍ଷା ପରିମାଣ ସ୍ୱାଭାବିକଠାରୁ ୩୮ ପ୍ରତିଶତ କମ୍ ରହିଛି । ତେଣୁ ଗତବର୍ଷ ଭଳି ଏବର୍ଷ ଯେ, ସମାନ ସ୍ଥିତି ନ ଉପୁଜିବ, ସେ ଆଶଙ୍କା ଏଡ଼ାଇ ଦିଆଯାଇ ନପାରେ ।