• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଚାରି ଚାରି ଥର ଡେଡ୍ ଲାଇନ୍ ଘୁଞ୍ଚିବା ପରେ ଭେଇକିଲ୍ ଲୋକେସନ ଟ୍ରାକିଂ ଡିଭାଇସ୍- ଭିଏଲଟିଡି ଓ ପାନିକ ବଟନ୍ ଲଗାଇବାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ନୂଆ ଗାଡ଼ି ପାଇଁ ଅକ୍ଟୋବର ପହିଲାରୁ ଆରମ୍ଭ ହେବ । ପୁରୁଣା ଗାଡ଼ି ପାଇଁ ଡିସେମ୍ବର ୩୧ ଶେଷ ଦିନ । ଏହି ସମୟ ଭିତରେ VLTD ଓ ପାନିକ ବଟନ୍ ନ ଲଗାଇଲେ- କଡ଼ା କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛି ପରିବହନ । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ବସ୍ ମାଲିକ ସଂଘ । ଭିତ୍ତିଭୂମି ପ୍ରସ୍ତୁତ ନ କରି ଏବେ ଅଯଥା ଖର୍ଚ୍ଚାନ୍ତ କରାଯାଉଥିବା ସଂଘ କହିଛି ।

ଅକ୍ଟୋବର ପହିଲାରୁ ସବୁ ନୂଆ ଗାଡ଼ି ରେଜିଷ୍ଟ୍ରେସନ ବେଳେ ଭେଇକିଲ୍ ଲୋକେସନ ଟ୍ରାକିଂ ଡିଭାଇସ୍- VLTD ଓ ପାନିକ ବଟନ୍ ଲଗାଇବା ବାଧ୍ୟତାମୂଳକ । ପୁରୁଣା ଗାଡ଼ିରେ ଏହି ଦୁଇ ଯନ୍ତ୍ର ଲଗାଇବାର ଶେଷ ଦିନ ହେଉଛି ଡିସେମ୍ବର ୩୧ । ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏହାର ବିଜ୍ଞପ୍ତି ପ୍ରକାଶ ପାଇଛି ।

ମହିଳା ଓ ଶିଶୁ ଯାତ୍ରୀଙ୍କ ସୁରକ୍ଷା ଓ ମାଲ୍ ପରିବହନ ଗାଡ଼ି ଉପରେ ନଜର ରଖିବାକୁ ଏହି ନିଷ୍ପତ୍ତି ନିଆଯାଇଛି । ବସ୍ ପରି ସବୁ ଯାତ୍ରୀବାହୀ ଗାଡ଼ି ଓ ମିନି ବସ୍, ଟ୍ୟାକ୍ସି, କ୍ୟାବ୍, ସ୍କୁଲ କଲେଜର ବସ୍, ଆମ୍ବୁଲାନ୍ସ, ନ୍ୟାସନାଲ ପରମିଟ ଥିବା ମାଲବାହୀ ଗାଡ଼ି, ବିସ୍ଫୋରକ ନେଉଥିବା ଗାଡ଼ି ପାଇଁ ଏହି ନିୟମ ଲାଗୁ ହେବ ।

ପରିବହନ ବିଭାଗ କହିବା ଅନୁସାରେ ଏହି ବ୍ୟବସ୍ଥାରେ ଏକ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ରହିବ । ପୋଲିସ ବିଭାଗ ଦ୍ୱାରା ପରିଚାଳିତ ଏମର୍ଜେନସି, ରେସ୍କ୍ୟୁ, ସପୋର୍ଟ ସିଷ୍ଟମ ସହିତ ଏହାକୁ ସଂଯୋଗ କରାଯିବ । କୌଣସି ସମସ୍ୟା ହେଲେ ସେହି ପ୍ୟାନିକ ବଟନ୍ ଚିପିଲେ, ଲୋକେସନ ଟ୍ରାକ୍ କରାଯାଇ ଗାଡ଼ି ପାଖରେ ପହଞ୍ଚି ହେବ । ଭିତ୍ତିଭୂମି ପ୍ରସ୍ତୁତ ହେଲାଣି ।

୬ଟି କମ୍ପାନିର ଡିଭାଇସ୍ ଟେଷ୍ଟିଂ ପାସ୍ ହୋଇଛି । ଗୋଟିଏ କମ୍ପାନି ଫିଟମେଣ୍ଟ ସେଣ୍ଟର ବି କଲାଣି । ସବୁ ଜିଲ୍ଲାରେ ହେବ ଫିଟମେଣ୍ଟ ସେଣ୍ଟର । କିନ୍ତୁ ବସ୍ ମାଲିକ ସଂଘ ଓ ସଡ଼କ ସୁରକ୍ଷା ବିଶେଷଜ୍ଞ ବର୍ତ୍ତମାନ ଏହାର କାର୍ଯ୍ୟକାରୀକୁ ବିରୋଧ କରିଛନ୍ତି । ବିନା ଭିତ୍ତିଭୂମି ଓ ସଚେତନତାରେ ଏହା କରାଯାଉଛି ବୋଲି ସେମାନେ କହିଛନ୍ତି ।

ଦିଲ୍ଲୀ ନିର୍ଭୟା ମାମଲା ପରେ VLTD ଓ ପ୍ୟାନିକ ବଟନ ଲଗାଇବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ । ଓଡ଼ିଶା ସରକାର ୨୦୨୨ ସେପଟେମ୍ବରରୁ ଏହାର ପ୍ରକ୍ରିୟା ଆରମ୍ଭ କରିଥିଲେ ବି ଚତୁର୍ଥ ଥର ଅବଧି ବଢ଼ାଇଲେଣି ।

  • Reported by:
  • GAUTAM PANDA , KAPILENDRA PRADHAN